ନୂଆଦିଲ୍ଲୀ: ଆଜିକାଲି ଫଟୋ ଉଠାଇ ତାହାକୁ ସୋସିଆଲ ମିଡିଆରେ ପକାଇ ବାଃ ବାଃ ନେବା ମାୟାରେ ସମସ୍ତେ ପଡିଛନ୍ତି | ଆଉ ଏଥିରୁ ନେତା/ନେତ୍ରୀମାନେ ବାଦ ପଡିବେ ବା କିପରି | କିଭଳି ଲୋକଙ୍କ ସହ ମିଶିବା ଆଉ ତାହାର ଫଟୋ ଉଠାଇ ପୋଷ୍ଟ କରିବା, ପୁଳାପୁଳା ଲାଇକ ପାଇବା ସହ କମେଣ୍ଟରେ ପୋତି ହୋଇପଡିବା ଏହି ବିଦ୍ୟା ଆଉ ନେତା/ନେତ୍ରୀଙ୍କୁ ଅଛପା ନାହିଁ |

Advertisment

ଏବେ ରାଜସ୍ଥାନର ରାଜଧାନୀ ଜୟପୁରର ଏକ ଭିଡିଓ ଚର୍ଚ୍ଚାର ବିଷୟ ପାଲଟିଛି। ବାସ୍ତବରେ ଜୟପୁରର ଏକ ହସ୍ପିଟାଲରେ ବିଜେପି କର୍ମୀମାନେ ସେବା ଅପେକ୍ଷା ଫଟୋସୁଟରେ ଅଧିକ ଆଗ୍ରହୀ ଥିବା ଦେଖାଯାଇଥିଲା, ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ, ଜଣେ ମହିଳା କର୍ମୀ ଜଣେ ରୋଗୀଙ୍କୁ ବିସ୍କୁଟର ପ୍ୟାକେଟ ଦେଉଥିବାର ଦେଖାଯାଉଛି। ଫଟୋ ଉଠାଯିବା ମାତ୍ରେ ସେ ରୋଗୀଙ୍କଠାରୁ ଏହାକୁ ଫେରାଇ ନେଉଛନ୍ତି।

ଏହି ଭିଡିଓ ସୋସିଆଲ ମିଡିଆରେ ଆଲୋଚନାର ବିଷୟ ପାଲଟିଛି। ଜଣେ ମହିଳା କର୍ମୀ ୫ ଟଙ୍କାର ବିସ୍କୁଟ ପ୍ରଦାନ କରି ଫଟୋ ଉଠାଇବା ପରେ ପୁଣି ରୋଗୀଙ୍କ ହାତରୁ ନେଇ ଆଉ ଜଣେ ରୋଗୀଙ୍କୁ ଦେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି | ଏହି ଭିଡିଓ ଭାଇରାଲ ହେବା ପରେ ବିଜେପି ନେତ୍ରୀଙ୍କ କାମକୁ ନେଇ ସୋସିଆଲ ମିଡିଆରେ ସମାଲୋଚନାର ସୁଅ ଛୁଟିଛି | ଅନେକ ୟୁଜର୍ସ ଲେଖିଛନ୍ତି ନେତ୍ରୀଙ୍କର ବିସ୍କୁଟ ଦେଇ ଫଟୋ ଉଠାଇବା ହିଁ ମୁଖ୍ୟ କାମ ଥିଲା, ରୋଗୀଙ୍କ ପାଇଁ ସାହାଯ୍ୟ କେବେ ଉଦ୍ଦେଶ୍ୟ ହିଁ ନଥିଲା |