ଭୁବନେଶ୍ୱର: ନା ନିୟମ ମାନିବୁ, ନା କାହାକୁ ଡ଼ରିବୁ, ରାସ୍ତାରେ ବି ବିପଦପୂର୍ଣ୍ଣ ଭାବେ ଖୁଲମଖୁଲା ପ୍ରେମ କରିବୁ | ମାତ୍ର ୧୦ ଦିନ ତଳେ ସ୍ୱାମୀ-ସ୍ତ୍ରୀଙ୍କର ବିପଜ୍ଜନକ ବାଇକ ଚଳାଇବାର ଭିଡିଓ ସୋସିଆଲ ମିଡିଆରେ ଘୁରିବୁଲିଥିବାବେଳେ ଏବେ ଆଉ ଜଣେ ପ୍ରେମୀଯୁଗଳଙ୍କ ଭିଡିଓ ସାମ୍ନାକୁ ଆସିଛି | ଭିଡିଓରେ ପ୍ରେମରେ ମତୁଆଲା ଯୁବକ ଯୁବତୀଙ୍କୁ ଦେଖିବାକୁ ମିଳିଥିବାବେଳେ ଟ୍ରାଫିକ୍ ନିୟମକୁ ଫୁ କରି ଉଡାଇଦେଇଛନ୍ତି | ଚଳନ୍ତା ବାଇକରେ ଯୁବତୀଙ୍କୁ ଓଲଟା ଟାଙ୍କି ଉପରେ ବସାଇ ଚଳାଇଲେ ବାଇକ୍ I ନା ମୁଣ୍ଡରେ ଅଛି ହେଲମେଟ ନା ସୁରକ୍ଷାକୁ କୌଣସି ଚିନ୍ତା I

Advertisment

ବାଇକରେ ଯୁବତୀ ଜଣଙ୍କ ଓଲଟା ବସିବା ସହ ଯୁବକଙ୍କ କାନ୍ଧକୁ ଧରି ବସିବା ସହ ରୋମାନ୍ସ କରୁଥିବା ଦେଖା ଯାଇଛି I ଇନଫୋସିଟି ଥାନାରୁ ଇନଫୋସିଟି ଛକ ଆଡ଼େ ବାଇକରେ ଏହି ଯୁବକ ଯୁବତୀ ଆସୁଥିବା ଦେଖିବାକୁ ମିଳିଛି I ଏହି ଦୃଶ୍ୟ ଦେଖି ରାସ୍ତାରେ ଯାଉଥିବା ଅନ୍ୟ ଲୋକମାନେ ତାଜୁବ୍ ହୋଇଥିବାବେଳେ ପ୍ରେମୀଯୁଗଳଙ୍କର କିଛି ଖାତିର ନାହିଁ |

ଉଲ୍ଲେଖ ଥାଉ କି କିଛିଦିନ ତଳେ ବି କଟକରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଥିଲା | ଯେଉଁଥିରେ ସ୍ତ୍ରୀ ଜଣକ ଟାଙ୍କି ଆଗରେ ବସିଥିବାବେଳେ ସ୍ୱାମୀ ବାଇକ ଚଳାଉଥିଲେ | କଟକ ଧାଇପୁରର ଏହି ଯୁବକ ଓ ତାଙ୍କ ପତ୍ନୀ ରାସ୍ତାରେ ବିପଦପୂର୍ଣ୍ଣ ଭାବେ ରିଲସ କରୁଥିବାବେଳେ ଏହା ଭାଇରାଲ ହୋଇଥିଲା | ଭିଡିଓକୁ ନେଇ କିଛି ୟୁଜର୍ସ ଟ୍ରାଫିକ ନିୟମ ଭଙ୍ଗ ନେଇ କଟକ ଜିଲ୍ଲାପାଳଙ୍କ ଦୃଷ୍ଟିକୁ ଆଣିଥିଲେ | ଏହାପରେ ଜିଲ୍ଲାପାଳ ଆରଟିଓଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେବା ପରେ ଆରଟିଓ ପକ୍ଷରୁ ୧୬ ହଜାର ଟଙ୍କାର ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା | ପରିବହନ ବିଭାଗ ପକ୍ଷରୁ ପଠାଯାଇଥିବା ନୋଟିସରେ ଉଲ୍ଲେଖ କରାଯାଇଥିଲା ଯେ ବିପଦପୂର୍ଣ୍ଣ ଗାଡି ଚାଳନା ପାଇଁ ୫ ହଜାର, ବାୟୁ ଓ ଶବ୍ଦ ପ୍ରଦୂଷଣ ପାଇଁ ୧୦ ହଜାର, ହେଲମେଟ ପିନ୍ଧିନଥିବାରୁ ୧ ହଜାର ଜରିମାନା ଦେବେ |