ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଅଧିନାୟକ ବିରାଟ କୋହଲି ବିଶ୍ୱର ସର୍ବାଧିକ ରୋଜଗାର କରୁଥିବା ଖେଳାଳିଙ୍କ ତାଲିକାରେ ସାମିଲ ହୋଇ ପାରିଛନ୍ତି। ଫୋର୍ବସ ଦ୍ୱାରା ପ୍ରସ୍ତୁତ ଏହି ତାଲିକାରେ ଆମେରିକାର ଚମ୍ପିଅନ ବକ୍ସର ଫ୍ଲାୟଡ ମେଭେଦର ଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଯେ, ଏହି ତାଲିକାରେ ଭାରତରୁ କେବଳ କୋହଲିଙ୍କ ନାମ ରହିଛି। କୋହଲି ୨କୋଟି ୪୦ ଲକ୍ଷ ଡଲାର ରୋଜଗାର କରିବା ସହିତ ୮୩ତମ ସ୍ଥାନ ପାଇଛନ୍ତି। ବିଶ୍ୱରେ ଅଧିକ ରୋଜଗାର କରୁଥିବା ଖେଳାଳିଙ୍କ ୧୦୦ ଧନୀ ତାଲିକାରେ କୌଣସି ମହିଳା ନାହାନ୍ତି।
କ୍ରିକେଟର ହିରୋ କୋହଲି ଭାରତରେ କେବଳ ବଡ଼ ନାମ ନୁହେଁ, ବରଂ ସେ ହେଉଛନ୍ତି ଲୋକପ୍ରିୟ ଖେଳାଳି। ଟୁଇଟରରେ ତାଙ୍କୁ ଅଢ଼େଇ କୋଟି ଫଲୋ କରନ୍ତି। ମେଭେଦର ଏହି ତାଲିକାର ଶୀର୍ଷରେ ଅଛନ୍ତି। ଗତ ବର୍ଷ ତାଙ୍କର ରୋଜଗାର ୨୫ କୋଟି ୫୦ ଲକ୍ଷ ଡଲାର ଥିଲା।
କୋହଲି ପଡ଼ିଆ ଅପେକ୍ଷା ବାହାରୁ ଅଧିକ ରୋଜଗାର କରନ୍ତି। ପୁମା, ପେପ୍ସି, ଅଡି ଓ ଓକଲେ ଭଳି କମ୍ପାନିର ବ୍ରାଣ୍ଡ ଆମ୍ବାସିଡର। ଏହି ତାଲିକାରେ ଏନବିଏର ୪୦ ଖେଳାଳି ଅଛନ୍ତି। ମେଭେଦର ୭ ବର୍ଷରେ ୪ଥର ଶ୍ରେଷ୍ଠ ସ୍ଥାନ ଦଖଲ କରିଛନ୍ତି। ଆର୍ଜେଣ୍ଟିନାର ଷ୍ଟାର ଫୁଟବଲର ଲିଓନେଲ ମେସି ୨ୟ ସ୍ଥାନ ପାଇଛନ୍ତି। ସେହିଭଳି ପର୍ତ୍ତୁଗାଲର ଷ୍ଟାର ଷ୍ଟ୍ର୍ରାଇକରଙ୍କୁ ମିଳିଛି ତୃତୀୟ ସ୍ଥାନ।
-ଫୋର୍ବସ
ମେସିଙ୍କ ଦରମା ଓ ବୋନସ ଆଠ କୋଟି ଡଲାରରୁ ଅଧିକ। ଅଢ଼େଇ କୋଟି ଡଲାରରୁ ଅଧିକ ଆଦିଦାସ, ଗେଟୋରେଡ, ପେପ୍ସି ଓ ହୁେଓ୍ଵଇରୁ ବିଜ୍ଞାପନ ପାଇଁ ମିଳିଥାଏ। ରୋନାଲଡୋଙ୍କ ରୋଜଗାର ୧୦ କୋଟି ୮ଲକ୍ଷ ଡଲାର ରହିଛି।
ବ୍ରାଜିଲର ଫୁଟବଲ୍ ଷ୍ଟାର ନେମାର ୧୩ଟି କ୍ରମ ଉତ୍ତିର୍ଣ୍ଣ ହୋଇ ୫ମ ସ୍ଥାନରେ ପହଞ୍ଚିଛନ୍ତି। ତାଙ୍କ ରୋଜଗାର ହେଉଛି ୯ କୋଟି ଡଲାର। ଟେନିସ ଷ୍ଟାର ରୋଜର ଫେଡେରର ୭ମ, ଗୋଲଫର ଟାଇଗର ଉଡ ୧୬ତମ, ଟେନିସ ଷ୍ଟାର ରାଫାଲ ନାଡାଲ ୨୦ତମ ଓ ଗୋଲଫର ରୋରି ମ୍ୟାକଲରୋଙ୍କୁ ୨୬ତମ ସ୍ଥାନ ମିଳିଛି। ଶ୍ରେଷ୍ଠ ୧୦୦ ଧନୀ ତାଲିକାରେ ୨୨ଟି ଦେଶର ଖେଳାଳି ଅଛନ୍ତି। ଆମେରିକାରୁ ୬୬ ଜଣ ଖେଳାଳିଙ୍କୁ ସ୍ଥାନ ମିଳିଛି। ବେସବଲ, ବାସ୍କେଟବଲ ଓ ଫୁଟବଲର ୭୨ ଜଣ ଖେଳାଳିଙ୍କୁ ଫୋର୍ବସ ତାଲିକାରେ ଥିବା ଜଣାପଡ଼ିଛି।