ସରକାରଙ୍କ ନୂଆ କଟକଣା : ୟୁରୋପ,ବ୍ରିଟେନ, ତୁର୍କୀରୁ ଭାରତ ଆସିବା ମନା

ବର୍ଲିନ : ଏହି ଭାଇରସ ସଂକ୍ରମଣ ବଢିଚାଲିଥିବାରୁ ସରକାର ଆଜି ଆଉ କେତେକ କଟକଣା ଜାରି କରିଛନ୍ତି । ୟୁରୋପୀୟ ସଂଘ ଅଧିନରେ ଆସୁଥିବା ରାଷ୍ଟ୍ର, ବ୍ରିଟେନ ଓ ତୁର୍କୀରୁ ଆସୁଥିବା ଯାତ୍ରୀମାନଙ୍କୁ ଭାରତ ଆସିବା ମନା କରାଯାଇଛି । ଏସବୁ ଦେଶରୁ ଆସୁଥିବା ଯାତ୍ରୀମାନଙ୍କୁ କୌଣସି ଏୟାରଲାଇନ୍ସ ଯାତ୍ରା କରାଇବେ ନାହିଁ । ମାର୍ଚ୍ଚ ୧୮ରୁ ୩୧ ତାରିଖ ପର୍ଯ୍ୟନ୍ତ ଏହି ନିଷେଧାଜ୍ଞା ଜାରି ରହିବ । ୩୧ ପରେ ସ୍ଥିତିକୁ ଦୃଷ୍ଟିରେ ରଖି ସମୟସୀମା ବଢାଇବା ବାବଦରେ ନିଷ୍ପତ୍ତି ନିଆଯିବ ।

ଏହାଛଡ଼ା ଉପସାଗରୀୟ ଦେଶ କୁଏତ, କାତାର, ଓମାନ ଓ ୟୁଏଇରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ୧୪ ଦିନିଆ ବାଧ୍ୟତାମୂଳକ ପୃଥକୀକରଣ ବା କ୍ୱାରାଣ୍ଟାଇନ କରାଯିବାର ବ୍ୟବସ୍ଥା ରହିଛି । ଏହି ନିଷ୍ପତ୍ତି ସଂପର୍କରେ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି । ଚୀନରୁ ସୃଷ୍ଟି ହୋଇଥିବା କରୋନା ଭାଇରସକୁ ନେଇ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି ହୋଇଥିବାବେଳେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ଓ ମୃତ୍ୟୁସଂଖ୍ୟା ବଢିଚାଲିଛି । ଏହି ଭୁତାଣୁ ଏବେ ବିଶ୍ୱର ୧୩୫ଟି ଦେଶରେ ପହଞ୍ଚିଥିବାବେଳେ ପ୍ରାୟ ୧ ଲକ୍ଷ ୫୩ ହଜାର ଲୋକ ସଂକ୍ରମିତ ହୋଇଛନ୍ତି ଓ ୫୭୦୦ ଜଣ ମୃତ୍ୟୁବରଣ କରିଛନ୍ତି । ଭାରତରେ ଏପର୍ଯ୍ୟନ୍ତ ୧୧୪ ଜଣ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି ।

ଆଜି ଆମେରିକାରୁ ବାଙ୍ଗାଲୁରୁ ଫେରିଥିବା ଜଣେ ଇଂଜିନିୟର କରୋନା ସଂକ୍ରମିତ ବୋଲି ଜଣାପଡ଼ିଛି । ଏହାକୁ ମିଶାଇ କର୍ଣ୍ଣାଟକରେ ମୋଟ ସଂକ୍ରମିତ ସଂଖ୍ୟା ୮ରେ ପହଞ୍ଚିଛି ।

ସମ୍ବନ୍ଧିତ ଖବର