‘‘ମୋର ଅନୁରୋଧ, ଦୟାକରି ଟିକିଏ ଈଶ୍ୱରବାବୁଙ୍କୁ ଡାକିଦିଅନ୍ତୁ। ସେ ମୋତେ ସକାଳ ପର୍ଯ୍ୟନ୍ତ ବଞ୍ଚାଇ ଦିଅନ୍ତୁ। ମୋର ଭୋଟଦେଇ ମୁଁ ମରିବି।’’ ଏ ଆକୁଳ ଅନୁରୋଧଟି ଥିଲା ରାଜମାତା ବସନ୍ତମଞ୍ଜରୀ ଦେବୀଙ୍କର। ୧୯୬୧ ମସିହା ବିଧାନସଭା ନିର୍ବାଚନ ସମୟରେ, ଭୋଟଗ୍ରହଣ ପୂର୍ବଦିନ ରାତ୍ରିଭୋଜନ ପରେ, ଚାନ୍ଦପୁର ନିକଟସ୍ଥ କେରେଣ୍ଡାଟାଙ୍ଗି ବାସଭବନର ଉପରମହଲାରେ ବିଶ୍ରାମ କରୁଥିଲେ ସେ। ରାତି ପ୍ରାୟ ୧୨ଟା ବେଳକୁ ତଳମହଲାରେ ବିଶ୍ରାମ କରୁଥିବା ତତ୍କାଳୀନ ପୁରୀ ଜିଲ୍ଲା କଂଗ୍ରେସ କମିଟି ସଭାପତି ଗଙ୍ଗାଧର ମହାପାତ୍ରଙ୍କୁ ଡକାଇ ସେ ଏକଥା କହିଥିଲୋ ଈଶ୍ୱରବାବୁ ସେତେବେଳକୁ ଚାନ୍ଦପୁର ଯକ୍ଷ୍ମା ଚିକିତ୍ସାଳୟର ସୁପରିନ୍‌ଟେଣ୍ଡେଣ୍ଟ। ମାତ୍ର ସେ ଖବର ପାଇ ପହଞ୍ଚିବାବେଳକୁ ରାଜମାତାଙ୍କ ମହାପ୍ରୟାଣ ହୋଇସାରିଥିଲା। ଏହି ଦୁଃଖଦାୟକ ଘଟଣାର ବିସ୍ତୃତ ବିବରଣୀ ଲିପିବଦ୍ଧ ହୋଇଛି ୨୦୦୩ ମସିହାରେ ପ୍ରକାଶିତ ଗୌରୀଶ୍ୟାମ ପଟ୍ଟନାୟକଙ୍କର ‘ଐତିହାସିକ ପୀଠ ରଣପୁର’ ପୁସ୍ତକରେ।
ଘଟଣାଟି ଯେତିକି ଉତ୍କଣ୍ଠାପୂର୍ଣ୍ଣ ସେତିିକି ବେଦନାଦାୟକ। ୧୯୫୨ ଓ ୧୯୫୭ ନିର୍ବାଚନରେ ରଣପୁର ବିଧାନସଭା ଆସନରୁ ଜିଣି ରାଜ୍ୟର ପ୍ରଥମ ମହିଳା ମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଥିବାରାଜମାତା ବସନ୍ତମଞ୍ଜରୀ ୧୯୬୧ ବିଧାନସଭା ନିର୍ବାଚନରେ ପ୍ରତିଦ୍ଵନ୍ଦ୍ୱିତା କରିନଥିଲେ। ସେଥର କଂଗ୍ରେସ ଦଳ ତରଫରୁ ପ୍ରାର୍ଥୀ ହୋଇଥିଲେ ରଘୁନାଥ ରାୟଏବଂ ତାଙ୍କ ବିରୋଧରେ ଥିଲେ କମ୍ୟୁନିଷ୍ଟ ଦଳର ରାମଚନ୍ଦ୍ର ରାମ। ଏହି ନିର୍ବାଚନରେ ରାଜ୍ୟରେ କଂଗ୍ରେସ ଦଳର ମଙ୍ଗ ଧରିଥାଆନ୍ତି ବିଜୁ ପଟ୍ଟନାୟକ। ତାଙ୍କ ନେତୃତ୍ଵରେ ସାରା ଓଡ଼ିଶାରେ କଂଗ୍ରେସ ଦଳ ଆଗରେ ଥିଲାବେଳେ ରଣପୁର ଆସନରେ କମ୍ୟୁନିଷ୍ଟ ଦଳର ବେଶ୍‌ ପ୍ରଭାବଥିବା କାରଣରୁ ରାଜମାତା କଂଗ୍ରେସ ପ୍ରାର୍ଥୀ ରଘୁନାଥଙ୍କୁ ଜିତାଇବା ପାଇଁ ପ୍ରଚାରରେ ଦିନରାତି ଏକ କରିଦେଇ ଥାଆନ୍ତି।
୧୯୬୧ ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ମତଦାନ ଜୁନ୍‌ ୨ରୁ ୮ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଜୁନ୍‌ ମାସ ୭ ତାରିଖ ଦିନ ରଣପୁରରେ ଭୋଟ ଗ୍ରହଣ ହେବାକୁ ଥାଏଏବଂ ତା’ର ପୂର୍ବଦିନ, ୬ ତାରିଖ ସନ୍ଧ୍ୟାରେ ରାଜମାତା ବ୍ରହ୍ମପୁର ଗସ୍ତରୁ ଫେରିଥିଲେ। ଗଙ୍ଗାଧର ମହାପାତ୍ର ଓ ଅନ୍ୟାନ୍ୟ କଂଗ୍ରେସ କର୍ମୀଙ୍କ ସହ ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ସାରି ସେ ଉପରମହଲାକୁ ବିଶ୍ରାମ କରିବାକୁ ଯାଇଥିଲେ। ସେଦିନ ରାତିରେ ସେ ହଠାତ୍‌ ଅସୁସ୍ଥ ହୋଇପଡ଼ିଲେଏବଂ ତାଙ୍କୁ ବଞ୍ଚାଇବା ପାଇଁ ଡାକ୍ତରମାନଙ୍କର ପ୍ରଚେଷ୍ଟା ସତ୍ତେ୍ଵ ପରଦିନ ଭୋଟ ଦେବା ପାଇଁ ସେ ଜୀବିତ ନଥିଲେ।
ସେତେବେଳେ କଟକରେ ଥିବା ତାଙ୍କର ପୁଅ ବ୍ରଜେନ୍ଦ୍ରଚନ୍ଦ୍ର ଓ ବୋହୂ ଦୁର୍ଗେଶନନ୍ଦିନୀ ରାଜମାତାଙ୍କ ମୃତ୍ୟୁ ଖବର ପାଇ ରଣପୁର ପହଞ୍ଚିବା ପରେ, ୭ ତାରିଖ ଦିନ ପ୍ରାୟ ୧୨ଟା ବେଳେ ଶବ ଶୋଭାଯାତ୍ରା ଆରମ୍ଭ ହୋଇଥିଲା ରଣପୁର ଗଡ଼ରେ। ଭୋଟଦାତାମାନେ ଭୋଟ ଦେଉଥିବାବେଳେ ଶ୍ମଶାନରେ ଜଳୁଥିଲା ରାଜମାତାଙ୍କ ଚିତା। ରଣପୁରର ହଜାର ହଜାର ଶୋକାକୁଳ ଜନତା ଶ୍ମଶାନଭୂଇଁକୁ ଚାଲିଆସିଥିଲେ ସେମାନଙ୍କ ଆଦରର ରାଜାମାତାଙ୍କ ଶେଷଦର୍ଶନ ପାଇଁ।

Advertisment

publive-image
ସେଥର ଭୋଟର ଫଳାଫଳ ମଧ୍ୟ ଥିଲା ଅଭୂତପୂର୍ବ। ରଣପୁର ମାଟି ଦେଖିଲା ରଣପୁର ଇତିହାସର ସବୁଠାରୁ ସଂଘର୍ଷପୂର୍ଣ୍ଣ ଲଢ଼େଇ। ସେଥିରେ କମୁନିଷ୍ଟ ପ୍ରାର୍ଥୀ ରାମଚନ୍ଦ୍ର ରାମ ମାତ୍ର ୫ ଖଣ୍ଡ ଭୋଟ ବ୍ୟବଧାନରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ମୋଟ ୨୮,୮୧୮ ବୈଧ ଭୋଟ ମଧ୍ୟରୁ ରାମଚନ୍ଦ୍ର ରାମ ୧୪,୦୫୩ ଖଣ୍ଡ ଭୋଟପାଇଥିବାବେଳେ କଂଗ୍ରେସ ଦଳର ରଘୁନାଥ ରାୟ ପାଇଥିଲେ ୧୪,୦୪୮ ଖଣ୍ଡ ଭୋଟ୍‌ ଏବଂ ଗଣତନ୍ତ୍ର ପରିଷଦ ପ୍ରାର୍ଥୀ ମଦନମୋହନ ଦାସ ପାଇଥିଲେ ୭୧୭ ଖଣ୍ଡ ଭୋଟ। ରଣପୁର ମନ୍ଦିର ସମ୍ମୁଖରେ ଅନୁଷ୍ଠିତ ବସନ୍ତମଞ୍ଜରୀଙ୍କ ଶୋକସଭାରେ ରାମଚନ୍ଦ୍ର ରାମ ପ୍ରଚାର ସମୟରେ ରାଜମାତାଙ୍କୁ ଭେଟିଥିବା ବେଳର ଏକ ପ୍ରସଙ୍ଗ ବର୍ଣ୍ଣନା କରିଥିଲେ। ଗୋପାଳପୁରଠାରେ ରାମଚନ୍ଦ୍ରଙ୍କ ଜିପ୍‌କୁ ଦେଖି ରାଜମାତା କାରକୁ ବ୍ରେକ୍‌ରେ ରଖି ପଚାରିଥିଲେ, ‘‘କିରେ ରାମ, ତୁ କୁଆଡ଼େ ଯାଉଥିଲୁ ?’’ ରାମଚନ୍ଦ୍ର ପ୍ରତ୍ୟୁତ୍ତରରେ ପଚାରିଥିଲେ ‘‘ମାମା, ଆପଣ କୁଆଡ଼େ ଯାଉଥିଲେ?’’ ରାଜମାତା କାର୍‌କୁ ଆଗେଇ ନେଲାବେଳେ ରାମଚନ୍ଦ୍ର ରାମଙ୍କୁ ସଫଳ ହେବା ପାଇଁ ଆଶୀର୍ବାଦ ଦେଇଥିଲେ- ‘‘ଆଇ ଉଇସ୍‌ ୟୁ ସକ୍‌ସେସ୍‌।’’ ତାଙ୍କର ଏହି ମାତୃସୁଲଭ ଆଶୀର୍ବାଦ ସଂଯୋଗକ୍ରମେ ସତ ହୋଇଯାଇଥିଲା।
‘ରଘୁନାଥ’ ଆଉ ‘ରାମଚନ୍ଦ୍ର’ ଉଭୟ ଶ୍ରୀରାମଚନ୍ଦ୍ରଙ୍କର ନାମ। ଏ ଦୁଇ ରାମଙ୍କ ମଧ୍ୟରେ ହୋଇଥିବା ଲଢ଼େଇରେ କମ୍ୟୁନିଷ୍ଟ ଦଳର ରାମଚନ୍ଦ୍ର ରାମ ବିଜୟୀ ହେଲେ ସତ, ମାତ୍ର ରଣପୁରବାସୀ ଭୁଲି ପାରୁନଥିଲେ ସେମାନଙ୍କ ଆଦରର ରାଜମାତାଙ୍କୁ। ସେମାନଙ୍କ କାନରେ ପ୍ରତିଧ୍ୱନିତ ହେଉଥିଲା ରାଜମାତାଙ୍କ ଅନ୍ତିମଯାତ୍ରା ବେଳର ଶେଷ ଉଚ୍ଚାରଣ ‘ରାମ ନାମ ସତ୍ୟ ହେ...’ ।