କୋଲକାତା: ଆଜି ତୃତୀୟ ପର୍ଯ୍ୟାୟ ମତଦାନରେ ପଶ୍ଚିମବଙ୍ଗର ମୁର୍ଶିଦାବାଦ୍ଠାରେ କଂଗ୍ରେସ ଏବଂ ତୃଣମୂଳ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଉପୁଜିଥିବା ହିଂସା ହେତୁ ମତଦାନ ପାଇଁ ଧାଡ଼ିରେ ଛିଡ଼ା ହୋଇଥିବା ଜଣେ ମତଦାତାଙ୍କ ଜୀବନ ଯାଇଥିବା ସୂଚନା ରହିଛି।
ପୂର୍ବରୁ ସକାଳୁ ପଶ୍ଚିମବଙ୍ଗରେ ଉପୁଜି ଥିବା ନିର୍ବାଚନୀ ହିଂସା ଯୋଗୁ ହୋଇଥିବା ବୋମା ମାଡ଼ରେ ୩ ଜଣ ତୃଣ ମୂଳ କଂଗ୍ରେସ(ଟିଏମ୍ସି) କର୍ମୀ ଆହତ ହୋଇଥିଲେ। ପଶ୍ଚିମବଙ୍ଗର ମୁର୍ଶିଦାବାଦ୍ସ୍ଥିତ ଡୋମକଲ୍ ମୁନିସିପାଲଟି ଅଂଚଳରେ ଏହି ବୋମା ମାଡ଼ରେ ୩ ଜଣ ତୃଣ ମୂଳ ଟିଏମ୍ସି କର୍ମୀ ଆହତ ହୋଇଥିଲେ ବୋଲି ଜାଣିବାକୁ ମିଳିଥିଲା। ଆହତକର୍ମୀମାନଙ୍କୁ ଗୁରୁତର ଅବସ୍ଥାରେ ତୁରନ୍ତ ହସ୍ପିଟାଲ୍କୁ ନିଆଯାଇଥିଲା। ତେବେ, ବୋମା କିଏ ପକାଇଥିଲା ତାହା ଯଦିଓ ଜଣାପଡ଼ି ନଥିଲା ନିର୍ବାଚନୀ ପ୍ରତିଦ୍ୱନ୍ଦ୍ୱିତା ହେତୁ କେହି ବିରୋଧୀ ଏପରି କରିଥିବା ସନ୍ଦେହ କରାଯାଇଥିଲା।
ଉଲ୍ଲେଖଯୋଗ୍ୟ, ପଶ୍ଚିମବଙ୍ଗରେ ଆଜି ୫ଟି ଲୋକସଭା ମଣ୍ଡଳୀ ପାଇଁ ମତଦାନ ହୋଇଛି। ନିର୍ବାଚନ ମଣ୍ଡଳୀଗୁଡ଼ିକ ହେଉଛି ବାଲୁରଘାଟ, ମାଲଦା ଉତ୍ତର, ମାଲଦା ଦକ୍ଷିଣ, ଜଙ୍ଗିପୁର ଓ ମୁର୍ଶିଦାବାଦ୍।