ଭୋଟର ଚାହିଁଲେ ବିଜେଡି-ବିଜେପିକୁ ଉପଯୁକ୍ତ ଜବାବ ଦେବେ: ନିରଞ୍ଜନ

ଭୁବନେଶ୍ୱର: ଦେଶରେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ସୋମବାର ହେଉଥିବାବେଳେ ଓଡ଼ିଶାରେ ଶେଷ ପର୍ଯ୍ୟାୟ ମତଦାନ ହେବ  । ରାଜ୍ୟରେ ୪ଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିବା ବେଳେ ନିର୍ବାଚନରେ ବିଜେଡି ଓ ବିଜେପି ଯେଭଳି ଆଚରଣବିଧି ଉଲ୍ଲଙ୍ଘନ କରିଛନ୍ତି ଏହା ପୂର୍ବରୁ କେବେ ଦେଖିବାକୁ ମିଳି ନଥିଲା ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ଘଷିପୁରା ଆଠଗଡ଼ ପିପିଲି ଓ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ଏହାର ସଦ୍ୟ ଉଦାହରଣ । ଏହି ସବୁ ନିର୍ବାଚନ ମଣ୍ଡଳୀରେ ବାହୁବଳ ଓ ସରକାରୀ କଳ ଓ ଅର୍ଥ ବଳ ଦ୍ୱାରା ଭୋଟରଙ୍କୁ କବଳିତ କରିବାକୁ ବିଜେଡି ଓ ବିଜେପି ପ୍ରୟାସ କରିଛନ୍ତି । ସବୁଠାରୁ ଶାସକ ଦଳ ବିଜେଡି ହିଂସାତ୍ମକ କାଣ୍ଡ ଭିଆଇବାରେ ଚରମ ସୀମା ଅତିକ୍ରମ କରିଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

ଓଡ଼ିଶାର ଭୋଟର ଶାନ୍ତ ଓ ଅହିଂସା ପ୍ରିୟ ତେବେ ବିଜେଡି କ୍ଷମତା ଦଖଲ କରିବା ପାଇଁ ନିର୍ବାଚନ ଆଚରଣବିଧିକୁ ଜଳାଞ୍ଜଳି ଦେଇ ସରକାରୀ କଳର ସର୍ବାଧିକ ଅପବ୍ୟବହାର କରିଛି ବୋଲି ସେ ଅଭିଯୋଗ କରିଛନ୍ତି । କଂଗ୍ରେସ ଆଶାକରେ ଆପଣମାନଙ୍କ ଭୋଟର ମୂଲ୍ୟ ଗଣତନ୍ତ୍ରରେ ସବୁଠାରୁ ଅଧିକ । ଗୋଟିଏ ଗୋଟିଏ ଭୋଟ କେବଳ ପ୍ରାର୍ଥୀଙ୍କ ଭାଗ୍ୟ ବଦଳାଇବ ନାହିଁ ବରଂ ରାଜ୍ୟ ବିକାଶରେ ଓ ଦେଶକୁ ସମୃଦ୍ଧ କରିବାରେ ପରିବର୍ତ୍ତନ ଆଣିପାରିବ ।

ଟଙ୍କା, ଧମକ, ମଦ, ମାଂସ ଦ୍ୱାରା ନିଜକୁ ବିକଶିତ ନକରି ନିର୍ଭୟରେ ମତଦାନ କରିବେ ବୋଲି କଂଗ୍ରେସ ଆହ୍ଵାନ ଦେଇଛି । ଶେଷ ପର୍ଯ୍ୟାୟ ର୍ନିବାଚନରେ ୪୧ଟି ବିଧାନସଭା ଓ ୬ଟି ଲୋକସଭା ନିର୍ବାଚନରେ ମତଦାନ କରିବାକୁ ଯାଉଥିବା ଭୋଟରମାନେ ସଚେତନ ହୋଇ ଗଣତନ୍ତ୍ରର ସୁରକ୍ଷା ପାଇଁ ଆପଣମାନଙ୍କ ମତଦାନ ମହ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧିତ ଖବର