ନୂଆଦିଲ୍ଳୀ: ଆଜି ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଚାଲିଥିବା ବେଳେ ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୬ ଟି ଆସନରେ ମତଦାନ ଚାଲିଛି। ପଶ୍ଚିମବଙ୍ଗ ଏବଂ ଉତ୍ତରପ୍ରଦେଶରେ ଅନେକ ହେଭିୱେଟ୍ଙ୍କ ପାଇଁ ଆଜି ଭୋଟ୍ ପଡୁଛି।
ପୂର୍ବ ପର୍ଯ୍ୟାୟ ନିର୍ବାଚନ ପରି ଏଥର ବି ପଶ୍ଚିମବଙ୍ଗରେ ମତଦାନ ବେଳେ ଗଣ୍ଡଗୋଳ ଉପୁଜିଛି। ଏପଟେ ନିର୍ବାଚନ ପୂର୍ବରୁ ଏକ ବୋମା ବିସ୍ଫୋରଣରେ ପଶ୍ଚିମବଙ୍ଗର ଜଣେ ତୃଣ ମୂଳ କଂଗ୍ରେସ (ଟିଏମ୍ସି) କର୍ମୀଙ୍କ ମୃତ୍ୟୁ ଘଟିଛି।
ମତଦାନ ଆରମ୍ଭ ହେବାର କିଛି ଘଣ୍ଟା ପୂର୍ବରୁ ବୋଲପୁର ଲୋକସଭା ନିର୍ବାଚନମଣ୍ଡଳୀରେ ଏହି ଘଟଣା ଘଟିଥିବା ସୂଚନା ରହିଛି। ମତଦାନର ପ୍ରଥମ ଦୁଇ ଘଣ୍ଟା ମଧ୍ୟରେ ମତଦାନ ୧୦.୩୫ ପ୍ରତିଶତ ଥିଲା। ପଶ୍ଚିମବଙ୍ଗରେ ୧୫.୨୪ ମତଦାନ ସହ ଶୀର୍ଷରେ ଥିବାବେଳେ ଜାମ୍ମୁ କାଶ୍ମୀରରେ ୫.୦୭ ପ୍ରତିଶତ ମତଦାନ ହୋଇଛି।
ଆନ୍ଧ୍ରପ୍ରଦେଶର ସମସ୍ତ ୧୭୫ ବିଧାନସଭା ଆସନ ଏବଂ ଓଡ଼ିଶାର ୨୮ ବିଧାନସଭା ଆସନରେ ଏକକାଳୀନ ମତଦାନ ଚାଲିଛି। ଏପର୍ଯ୍ୟନ୍ତ ୨୦ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୨୮୩ ଲୋକସଭା ନିର୍ବାଚନମଣ୍ଡଳୀରେ ତିନୋଟି ପର୍ଯ୍ୟାୟରେ ମତଦାନ ଶେଷ ହୋଇଛି। ଭୋଟ୍ ଗଣନା ଜୁନ୍ ୪ ପାଇଁ ଧାର୍ଯ୍ୟ କରାଯାଇଛି।
ଲୋକସଭା ନିର୍ବାଚନ ୨୦୨୪ର ତିନୋଟି ପର୍ଯ୍ୟାୟ ପାଇଁ ୧୯ ଏପ୍ରିଲ, ୨୬ ଏପ୍ରିଲ ଏବଂ ୭ ମେ’ରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ୧୯ ଏପ୍ରିଲରେ ମତଦାନ ହାର ୬୬.୧ ପ୍ରତିଶତ, ଏପ୍ରିଲ୨୬ ରେ ୬୬.୭ ପ୍ରତିଶତ ଏବଂ ମେ’ ୭ ରେ ୬୧ ପ୍ରତିଶତ ଥିଲା।