କନ୍ଧମାଳ: କୁଖ୍ୟାତ ମାଓବାଦୀ ସୁଶାନ୍ତ ଗିରଫ

ଫୁଲବାଣୀ: କନ୍ଧମାଳ ପୁଲିସକୁ ଗୁରୁବାର ପୁଣି ଥରେ ଏକ ବଡ଼ ସଫଳତା ମିଳିଛି। ସିପିଆଇ ମାଓ ସଂଗଠନର ସଦସ୍ୟ ତଥା କୁଖ୍ୟାତ ମାଓବାଦୀ ସୁଶାନ୍ତ କୁମାର ସାହୁକୁ ପୁଲିସ ଆଜି ଗିରଫ କରିଛି। ନୟାଗଡ଼ ଜିଲ୍ଲାର ମାଲିବେରେଣି ଗାଁର ଉଦୟନାଥ ସାହୁଙ୍କ ପୁଅ ସୁକାନ୍ତ କନ୍ଧମାଳ ଜିଲ୍ଲାରେ ବିଭିନ୍ନ ମାଓ ସଂଗଠନକୁ ସାହାଯ୍ୟ କରୁଥିଲା। ପରବର୍ତ୍ତୀ ସମୟରେ ସେ ମାଓ ସଂଗଠନରେ ସାମିଲ ହୋଇଥିଲା।

କନ୍ଧମାଳରେ ବିଭିନ୍ନ ସମୟରେ ଗୁଳି ବିନିମୟ ଏବଂ ଆକ୍ରମଣ ଘଟଣାରେ ସୁଶାନ୍ତ ଥିଲା ବୋଲି ପୁଲିସ କହିଛି। ଫିରିଙ୍ଗିଆ ଥାନା କଟାରିଘାଟି ଜଙ୍ଗଲରେ ସେ ବୁଲୁଥିବା ବେଳେ ପୁଲିସକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା। ପୁଲିସକୁ ଦେଖି ସୁଶାନ୍ତ ଛାନିଆ ହୋଇ ଦୌଡ଼ିଥିଲା। ଶେଷର ପୁଲିସ କବଜାରେ ପଡ଼ିଯାଇଥିଲା ସୁଶାନ୍ତ। ପୁଲିସ ସୁଶାନ୍ତକୁ ଫୁଲବାଣୀ କୋର୍ଟକୁ ଚାଲାଣ କରିଛି।

ଗତ ନଭେମ୍ବର ୧୮ରେ ହୋଇଥିବା ଗୁଳିକାଣ୍ଡରେ ସୁଶାନ୍ତ ସଂପୃକ୍ତ ଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି। ପୁଲିସ ସୁଶାନ୍ତ ନିକଟରୁ ପୋଷ୍ଟର ଓ ଅନ୍ୟ ସାମଗ୍ରୀ ଜବତ କରିଛି। ସୁଶାନ୍ତ କନ୍ଧମାଳ ସମେତ ଆଉ କେଉଁଠି ସଂପୃକ୍ତ ରହିଛି, ଅନୁଧ୍ୟାନ ପରେ ଜଣାପଡ଼ିବ ବୋଲି ପୁଲିସ କହିଛି। ସୂଚନାଯୋଗ୍ୟ ଗତ ମାସରେ କନ୍ଧମାଳ ପୁଲିସ ଅପରେସନ ସମୟରେ ୫ ଜଣ ମାଓବାଦୀଙ୍କୁ ନିହତ କରିଥିଲା।

ସମ୍ବନ୍ଧିତ ଖବର