ନୂଆଦିଲ୍ଲୀ: ଋତୁଚକ୍ର ଏବଂ ଜୁଆରଜନିତ ସ୍ରୋତ ଅନୁସାରେ ପଶ୍ଚିମବଙ୍ଗରେ ଆବର୍ଜନାରୁ ନିଷ୍କାସିତ ଜଳ ଗଙ୍ଗାଜଳର ଗୁଣବତ୍ତାକୁ ପ୍ରଭାବିତ କରୁଥିବା କଥା ୨୦୨୨ ଫେବ୍ରୁଆରି ୧୫ରେ ପ୍ରକାଶିତ ନୂତନ ଅଧ୍ୟୟନରୁ ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଅଧ୍ୟୟନ କରିଥିବା ବୈଜ୍ଞାନିକ ଦଳର ଅନ୍ୟତମ ସଦସ୍ୟ ଯାଦବପୁର ବିଶ୍ବବିଦ୍ୟାଳୟର ସାୟନ୍ତୀ କର ଗଙ୍ଗା ଉପରେ ଜୁଆର ଏବଂ ଋତୁଚକ୍ର ପ୍ରଭାବକୁ ଭଲ ଭାବେ ବୁଝିବା ଲାଗି ୨୦୧୪ରୁ ୧୦୧୮ ମଧ୍ୟରେ ସାମଗ୍ରିକ ଭାବେ ଜଳର ଗୁଣବତ୍ତା ବିଶ୍ଳେଷଣ କରିଥିଲେ।
ସେ ଏବଂ କୋଲ୍କାତାସ୍ଥିତ ଆଶୁତୋଷ କଲେଜର ଅନ୍ୟ ଗବେଷକମାନେ ହାଓଡ଼ା ଷ୍ଟେସନ୍ରୁ ଆରମ୍ଭ କରି ଉତ୍ତର ୨୪ ପ୍ରଗଣାର ଖାର୍ଦା ପର୍ଯ୍ୟନ୍ତ ଗଙ୍ଗା ସ୍ରୋତର ଉପରମୁଣ୍ଡ ଯାଏଁ ଅନୁଧ୍ୟାନ କରିଥିଲେ। ଏଥିପାଇଁ ସେମାନେ କୋଲ୍କାତା, ହାଓଡ଼ା ଏବଂ ଉତ୍ତର ୨୪ ପ୍ରଗଣା ଜିଲ୍ଲାରୁ ଜଳ ନମୁନା ସଂଗ୍ରହ କରୁଥିଲେ। ପଶ୍ଚିମବଙ୍ଗ ଅନ୍ତର୍ଗତ ଗଙ୍ଗା ନଦୀର ସେହି ସବୁ କୂଳବର୍ତ୍ତୀ ଅଞ୍ଚଳରେ ଛୋଟ ବଡ଼ କାରଖାନା ସବୁ ଅବସ୍ଥିତ।
ପଶ୍ଚିମବଙ୍ଗରେ ‘ହୁଗୁଳି’ ନଦୀ ଭାବେ ପରିଚିତ ଗଙ୍ଗା ସ୍ବଭାବତଃ ଜୁଆରିଆ ହୋଇଥିବାରୁ ବିଭିନ୍ନ ସ୍ଥାନରୁ ଏହାର ସ୍ରୋତ ବୋହି ଆଣୁଥିବା ପ୍ରଦୂଷଣକାରୀ ସାମଗ୍ରୀ ସବୁ ବଙ୍ଗୋପସାଗର ମଧ୍ୟକୁ ପ୍ରବେଶ କରିବାରେ ବାଧା ଉପୁଜୁଛି। ଜୁଆର ଯୋଗୁଁ ବୃଦ୍ଧି ପାଉଥିବା ଜଳସ୍ତର ନର୍ଦ୍ଦମା ଶଯ୍ୟା ଊର୍ଦ୍ଧ୍ବକୁ ଉଠିଯାଉଛି। ଫଳତଃ ନଦୀ ସ୍ରୋତରେ ଭାସି ବଙ୍ଗୋପସାଗରକୁ ଯାଉଥିବା ପ୍ରଦୂଷଣକାରୀ ସାମଗ୍ରୀ ସବୁ ପୁନଶ୍ଚ ନର୍ଦ୍ଦମା ମଧ୍ୟକୁ ପ୍ରବେଶ କରୁଛି। ଏବଂ ଜୁଆର ଛାଡ଼ ବା ଭଟ୍ଟା ସମୟରେ ଯଥେଷ୍ଟ ପାଣି ରହୁ ନ ଥିବାରୁ ପ୍ରଦୂଷଣକାରୀ ସାମଗ୍ରୀ ସବୁ ପାଣିରେ ମିଳେଇ ଯାଇ ପାରୁନାହିଁ।
ବର୍ଷାକାଳ (ଅଗଷ୍ଟ-ସେପ୍ଟେମ୍ବର) ଏବଂ ତା’ ପରବର୍ତ୍ତୀ କାଳ (ନଭେମ୍ବର-ଡିସେମ୍ବର) ବେଳକୁ ନଦୀରେ ଅତ୍ୟଧିକ ବର୍ଷାଜଳ ମିଶିଯାଉଥିବାରୁ ନଦୀଜଳରେ ପ୍ରଦୂଷଣକାରୀ ସାମଗ୍ରୀ ମାତ୍ରା ହ୍ରାସ ପାଉଛି। କିନ୍ତୁ, ମାର୍ଚ-ଏପ୍ରିଲ୍ ମାସରେ ଅଳ୍ପ ପାଣି ରହୁଥିବାରୁ ପ୍ରଦୂଷଣକାରୀ ସାମଗ୍ରୀ ମାତ୍ରା ଖୁବ୍ ବୃଦ୍ଧି ପାଉଛି। ଏଥିପାଇଁ, ବିଭିନ୍ନ ଋତୁରେ ଗଙ୍ଗାଜଳର ଗୁଣବତ୍ତା ଭିନ୍ନ ଭିନ୍ନ ହେଉଥିବା କଥା ଗବେଷକମାନେ କହୁଛନ୍ତି।