ବିଶ୍ବଜିତ ଦାଶ

Advertisment

ବରଗଡ଼: ଭାଷାଭିତ୍ତିକ ରାଜ୍ୟ ଓଡ଼ିଶା ଗଠନ ହେବାର ଶହେ ବର୍ଷ ପୂରିବାକୁ ଆଉ ମାତ୍ର ୧୨ ବର୍ଷ ବାକି। କିନ୍ତୁ ଓଡ଼ିଶା ଗଠନର ଏତେ ବର୍ଷ ପରେ ବି ଓଡ଼ିଆ ଅସ୍ମିତା ସବୁଠୁ ବଡ଼ ପ୍ରସଙ୍ଗ ହୋଇଛି। ଅନେକ ସ୍ଥାନରେ ଓଡ଼ିଆ ଲୋକଙ୍କ ପାଇଁ ଓଡ଼ିଆ ଜାଣିବାର ଆନୁଷଙ୍ଗିକ ସୁବିଧା ସୁଯୋଗ ନାହିଁ। ଆଜି ମଧ୍ୟ ଓଡ଼ିଶାର ବହୁ ଅଞ୍ଚଳ ପଡ଼ୋଶୀ ରାଜ୍ୟ ଭିତରେ ରହିଛି। ହେଲେ ସେଠି ରହୁଥିବା ଲୋକେ ନିଜର ଓଡ଼ିଆ ଅସ୍ମିତାକୁ ଭୁଲି ନାହାନ୍ତି। ଜୀବନ ବଂଚିବାର ଶୈଳୀ ହେଉ କି ଜୀବନଚର୍ଯ୍ୟାର ରୂପରେଖ; ସବୁ କିଛି ଓଡ଼ିଆ। ପଡ଼ୋଶୀ ରାଜ୍ୟରେ ରହୁଥିଲେ ମଧ୍ୟ ସେମାନଙ୍କ କଥାକୁହା ଭାଷା ଓଡ଼ିଆ। କିନ୍ତୁ ବିଡ଼ମ୍ବନା, ସେଠାରେ ଓଡ଼ିଆ ପଢ଼ିବାର ସୁବିଧା ନାହିଁ। ଓଡ଼ିଆ ପୁସ୍ତକର ଅଭାବ। ତେଣୁ ସ୍କୁଲ ଛାତ୍ରଛାତ୍ରୀ ଭଲ ଓଡ଼ିଆ କହୁଥିବା ବେଳେ ଧାଡ଼ିଏ ଓଡ଼ିଆ ଲେଖି ପାରୁନାହାନ୍ତି। ତନ-ମନ-ଧନରେ ଓଡ଼ିଆ ହୋଇଥିଲେ ବି ସେମାନଙ୍କ ପରିଚୟ ଛତିଶଗଡ଼ିଆ। ଓଡ଼ିଶା ସୀମାରେ ଓଡ଼ିଆ ଅସ୍ମିତାକୁ ନେଇ ‘ସମ୍ବାଦ’ ଟିମ୍‌ ପହଞ୍ଚିଥିଲା ଗ୍ରାଉଣ୍ଡ୍‌ ଜିରୋରେ। 

ବରଗଡ଼-ଛତିଶଗଡ଼ ସୀମାବର୍ତ୍ତୀ ଇଲାକା ହେଉଛି ଲୁହୁରାଚଟି। ୫୩ ନଂବର ଜାତୀୟ ରାଜପଥ ସୋହେଲା-ରାୟପୁର ରାସ୍ତାରେ ଲୁହୁରାଚଟିର ଠିକ୍‌ ଗୋଟିଏ କିମି ଆଗକୁ ରହିଛି ରେହେଣ୍ଟିଖୋଲ ଗାଁ। ଗାଁର ଜନସଂଖ୍ୟା ପ୍ରାୟ ୩୦୦। ଏହି ଗାଁଟି ଛତିଶଗଡ଼ ମହାସମୁନ୍ଦ ଜିଲ୍ଲା ସରେଇପାଲି ବ୍ଲକ୍‌ ଛିବ୍ରା ପଞ୍ଚାୟତ ଅଧୀନରେ ରହିଛି। ଗାଁ ଲୋକଙ୍କୁ ଏହି ପ୍ରତିନିଧି ଭେଟି ଆଲୋଚନା କରିଥିଲେ। ଗ୍ରାମବାସୀଙ୍କ କହିବାନୁସାରେ, ସେମାନଙ୍କ ଆଧାରକାର୍ଡରୁ ନେଇ ଭୋଟର କାର୍ଡ, ସବୁରେ ଛତିଶଗଡ଼ିଆ। କିନ୍ତୁ ଓଡ଼ିଶାକୁ ଲାଗି ରହୁଥିବାରୁ କାହିଁ କେତେ ବର୍ଷ ହେଲା ପୂର୍ବପିଢ଼ି ଅନୁସାରେ ଓଡ଼ିଆରେ କଥାବାର୍ତ୍ତା କରିଥାନ୍ତି। ଘରୁ ନେଇ ବାହାରକୁ ଗଲେ ବି ତାଙ୍କ କଥାକୁହା ଭାଷା ଓଡ଼ିଆ। ଏପରିକି ଓଡ଼ିଶାର ବିଭିନ୍ନ ପରମ୍ପରା ଅନୁସାରେ ପର୍ବପର୍ବାଣି ପାଳନ କରିଥାନ୍ତି। ନୂଆଁଖାଇ ସହିତ ବିଭିନ୍ନ ପର୍ବ ଧୁମଧାମରେ ଗାଁରେ ପାଳନ କରାଯାଏ। ଗାଁର ଅଧିକାଂଶ ଲୋକ ଚାଷ ଉପରେ ନିର୍ଭରଶୀଳ। କିଛି ଶ୍ରମିକ ଶ୍ରେଣୀର ଲୋକ ବି ଅଛନ୍ତି। ସେମାନେ ଛତିଶଗଡ଼ର ହୋଇଥିବାରୁ ଛତିଶଗଡ଼ୀ, ହିନ୍ଦୀ ଭାଷା ଜାଣିଛନ୍ତି ଏବଂ ଓଡ଼ିଆ ତାଙ୍କ କଥାକୁହା ଭାଷା ବୋଲି କହିଛନ୍ତି। ଗାଁର ଜଣେ ଚାଷୀ ସୁକଲାଲ ସା କହିଛନ୍ତି, ତାଙ୍କ ପୁଅ ଏବେ ଛିବ୍ରା ପଞ୍ଚାୟତ ସ୍କୁଲ ଯାଉଛି। ସେଠି ହିନ୍ଦୀ ଓ ଇଂରାଜୀରେ ପାଠପଢ଼ା ହୁଏ। ହେଲେ ସେ ଓଡ଼ିଆ ଭାଷାରେ ଘରେ ଓ ଗାଁରେ କଥାବାର୍ତ୍ତା କରେ। ସ୍କୁଲରେ ଓଡ଼ିଆ ପାଠପଢ଼ା ହେଲେ ଭଲ ହୁଅନ୍ତା।

କାରଣ ଓଡ଼ିଆ କଥା କହିପାରିଲେ ବି ଲେଖିବା ପଢ଼ିବା ହୋଇପାରୁନି। ସେହିପରି ବସନ୍ତ ବିଶାଲ କହିଛନ୍ତି, ଓଡ଼ିଆ ଭାଷା ପାଠପଢ଼ା ସ୍କୁଲରେ ହେଲେ ଦୁଇ ଧାଡ଼ି ପିଲା ଲେଖିପାରନ୍ତେ। କାରଣ ହାଇସ୍କୁଲ ପରେ ଉଚ୍ଚଶିକ୍ଷା ପାଇଁ ପ୍ରାୟତଃ ପିଲା ଓଡ଼ିଶାରେ ପଢୁଛନ୍ତି। ଏପରିକି ଶିକ୍ଷା ଓ ସ୍ୱାସ୍ଥ୍ୟ ଉପରେ ସେମାନେ ଓଡ଼ିଶା ତଥା ବରଗଡ଼ ଓ ସମ୍ବଲପୁର ଉପରେ ନିର୍ଭରଶୀଳ। ଗାଁରେ ସେମାନେ ସମସ୍ତେ ଓଡ଼ିଆ କଥା କହିବାକୁ ନେଇ ଗର୍ବ ଅନୁଭବ କରନ୍ତି। ଗାଁର କିଛି ଯୁବପିଢ଼ି ଓଡ଼ିଶାର ସୀମାବର୍ତ୍ତୀ ଅଞ୍ଚଳରେ ବ୍ୟବସାୟ କରି ଗୁଜୁରାଣ ମେଣ୍ଟାଉଛନ୍ତି। ଆମେ ଛତିଶଗଡ଼ିଆ ହେଲେ ବି ଓଡ଼ିଶାକୁ ଖୁବ ଭଲ ପାଉ ବୋଲି କହିଛନ୍ତି ଗ୍ରାମବାସୀ। ଛତିଶଗଡ଼ ସରକାରଙ୍କ ପାଖରୁ ସବୁ ସୁବିଧା ସୁଯୋଗ ମିଳୁଛି। ଓଡ଼ିଆ ଭାଷା ଦିଗରେ ଯଦି ଓଡ଼ିଶା-ଛତିଶଗଡ଼ ସରକାର ମିଳିତ ଭାବରେ କିଛି ପଦକ୍ଷେପ ନିଅନ୍ତେ ତେବେ ସ୍କୁଲ ପିଲା ଓଡ଼ିଆରେ ପାଠ ପଢ଼ିବା ସହ ଦୁଇ ଧାଡ଼ି ଲେଖିପାରନ୍ତେ ବୋଲି ଗ୍ରାମବାସୀ କହିଛନ୍ତି।