ନିକଟରେ ପ୍ରକାଶ ପାଇଛି ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ପରୀକ୍ଷାର ଫଳାଫଳ। ରାଜ୍ୟ ସ୍ତରରେ ବହୁ ଛାତ୍ରଛାତ୍ରୀଙ୍କ ଆକାଂକ୍ଷିତ ସ୍ବପ୍ନ ହେଉଛି ଓଏଏସ୍ ପାଇବା। ୨୦୧୮ ମସିହାରେ ଏଥିପାଇଁ ହୋଇଥିବା ସାକ୍ଷାତକାର ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୧୮ ଜଣ ନିଜର ସ୍ବପ୍ନକୁ ସାକାର କରିଛନ୍ତି। କୃତକାର୍ଯ୍ୟ ହେବା ସହିତ ନିଯୁକ୍ତି ପାଇବାରେ ସଫଳ ହୋଇଛନ୍ତି। ଏହି କୃତିତ୍ବ ପଛରେ ସେମାନଙ୍କ କେତେ ନିଷ୍ଠା ଓ ଅଧ୍ୟବସାୟ ଥିବ, ତାହାକୁ କଳନା କରାଯାଇ ପାରିବନାହିଁ। କିନ୍ତୁ ସେମାନଙ୍କ ମଧ୍ୟରୁ କେେତଜଣ ଅଛନ୍ତି, ଯେଉଁମାନେ କି ପ୍ରତିକୂଳ ପରିସ୍ଥିତିର ସାମ୍ନା କରି ଏହି ଭଳି କୃତିତ୍ବ ହାସଲ କରିଛନ୍ତି। ସେମାନଙ୍କ କାହାଣୀ ଖବରକାଗଜ ପୃଷ୍ଠା ମଣ୍ଡନ କଲାବେଳେ ଭାରି ଆଶ୍ଚର୍ଯ୍ୟ ବି ଲାଗେ। ଆଜିକାର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପ୍ରତିଯୋଗିତା ସତ୍ତ୍ବେ ସେମାନେ କିଭଳି ଏତେ ବଡ଼ ସଫଳତା ହାସଲ କଲେ, ତାହାକୁ ନେଇ ମନରେ ପ୍ରଶ୍ନ ଉଙ୍କିମାରେ। ଆଉ, ଅନ୍ୟମାନଙ୍କ ପ୍ରେରଣା ସାଜିଥିବାରୁ ସାବାସୀ ଦେବାକୁ ଇଚ୍ଛା ହୁଏ।
Sambad is now on WhatsApp
Join and get latest news updates delivered to you via WhatsApp
ସେମାନଙ୍କ ଭିତରେ କେତେଜଣ ବି ଖୁବ୍ ଅଭାବୀ ଘରର ପିଲା। ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ସେମାନଙ୍କ ବାପାମା’ଙ୍କୁ ଖୁବ୍ ସଂଘର୍ଷ କରିବାକୁ ପଡ଼ିଥାଏ। ସେମିତି ଜଣେ ହେଉଛନ୍ତି, ବୀରେନ୍ଦ୍ର ତ୍ରିପାଠୀ। ଓଏଏସ୍ ସଫଳତା ତାଲିକାରେ ୬୭ତମ ସ୍ଥାନରେ ରହିଛନ୍ତି ବୀରେନ୍ଦ୍ର। ସେ ଆର୍ଥିକ ସ୍ବଚ୍ଛଳ ବର୍ଗର ପିଲା ନୁହନ୍ତି। ତାଙ୍କର ଏକ ଜଳଖିଆ ଦୋକାନ ଅଛି ଭୁବନେଶ୍ବର ଉପକଣ୍ଠରେ। ଦୋକାନରେ ବରା, ପିଆଜି ଓ ପକୁଡ଼ି ବିକ୍ରିହେଲେ ପରିବାର ଚଳେ। ବୀରେନ୍ଦ୍ର ଅନେକ ସମୟରେ ବି ନିଜେ ଯାଇ ଦୋକାନରେ ସାହାଯ୍ୟ କରୁଥିଲେ। ଆବଶ୍ୟକ ସ୍ଥଳେ ଗ୍ରାହକଙ୍କ ପ୍ଲେଟ୍ ବି ଧୋଉଥିଲେ। ଛୋଟ ଦୋକାନରୁ ମିଳୁଥିବା ସୀମିତ ରୋଜଗାର ଯେତେବେଳେ ପରିବାର ପାଇଁ ନିଅଣ୍ଟ, ସେହି ପରିବେଶ ଭିତରେ ରହି ଓଏଏସ୍ ହେବା ପାଇଁ ସ୍ବପ୍ନ ଦେଖିବା ଆଜିକାଲି ଦୁନିଆରେ କମ୍ ସାହସର କଥା ନୁହେଁ! ତଥାପି, ଦାରିଦ୍ର୍ୟର ତାଡ଼ନା ବାରମ୍ବାର ମନରେ ଆନ୍ଦୋଳିତ କରୁଥିଲେ ବି ନିଜର ନିଷ୍ଠା ଓ ଅଧ୍ୟବସାୟ ବଳରେ ସେ ସ୍ବପ୍ନ ନିକଟରେ ପହଞ୍ଚିପାରିଲେ। ଇଏ ଗୋଟିଏ ଉଦାହରଣ ମାତ୍ର। ଏମିତି କେତେ ଉଦାହରଣ ଆମ ସାମ୍ନାରେ ରହିଛି। ଆଜିକାର ଦ୍ରୁତ ଗଣମାଧ୍ୟମ ଯୁଗରେ ଏହି ସଫଳତା କାହାଣୀ ବି ଛପି ରହୁନାହିଁ। ଯେଉଁ ଅଭାବୀ ଘରର ପିଲାମାନେ ଅର୍ଥ ଅଭାବ କାରଣରୁ ନିଜର ସ୍ବପ୍ନ ଅଧାରେ ରଖିବା ପାଇଁ ବାଧ୍ୟ ହେଉଛନ୍ତି, ସେମାନେ ଏଥିରୁ ପ୍ରେରଣା ପାଉଛନ୍ତି। ଉଜ୍ଜଳ ବତୀଖୁଣ୍ଟକୁ ଲକ୍ଷ୍ୟ କଲାଭଳି ନିଜ ଲକ୍ଷ୍ୟ ପଥରେ ପହଞ୍ଚିବା ପାଇଁ ବି ସଦା ଚେଷ୍ଟିତ ହେଉଛନ୍ତି।
ଏବେ ଯେଉଁ କଥା କୁହାଯାଉଛି ତାହା ସଫଳତା ପ୍ରାପ୍ତିର ପରବର୍ତ୍ତୀ ସୋପାନ ଓ ସମୟର କଥା। ଯେଉଁମାନେ ଆଇଏଏସ୍ କି ଓଏଏସ୍ ପାଉଛନ୍ତି କିମ୍ବା ସମାନ ପଦବି ନିମନ୍ତେ ପ୍ରତିଯୋଗିତାମୂଳକ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହେଉଛନ୍ତି, ପରବର୍ତ୍ତୀ ସମୟରେ ଉଚ୍ଚ ପାହ୍ୟାରେ ନିଯୁକ୍ତି ପାଉଛନ୍ତି ଏବଂ ଧାର୍ଯ୍ୟ ବ୍ୟବଧାନରେ ପଦୋନ୍ନତି ପାଇ ବୃତ୍ତିଗତ ଜୀବନର ଶିଖରରେ ପହଞ୍ଚୁଛନ୍ତି, ତା‘ପରେ ସାମ୍ନାକୁ ଆସୁଛି ସେମାନଙ୍କର ବିଫଳତାର କାହାଣୀ। ସେମାନଙ୍କ ବିଫଳତା ପଛରେ ଗୋଟିଏ ବଡ଼ କାରଣ ହେଉଛି ଦୁର୍ନୀତି। ଦୁର୍ନୀତି ହିଁ ପରବର୍ତ୍ତୀ ସମୟରେ ସେମାନଙ୍କ ଚାକିରିର ଅବସ୍ଥା ଏବଂ ଗାମ୍ଭୀର୍ଯ୍ୟପୂର୍ଣ୍ଣ ଜୀବନକୁ ବଦଳାଇ ଦେଇଥାଏ। ଠିକ୍ ଆଇଏଏସ୍ ଅଧିକାରୀ ବିଜୟ କେତନ ଉପାଧ୍ୟାୟଙ୍କ ଭଳି। ନିକଟରେ ଉଦ୍ୟାନ କୃଷି ବିଭାଗ ନିର୍ଦ୍ଦେଶକ ଥିବା ବିଜୟ କେତନ ଉପାଧ୍ୟାୟ ଲକ୍ଷେ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଥିଲେ। ଖାଲି ଧରା ପଡ଼ିନାହାନ୍ତି, ଚାକିରିରୁ ନିଲମ୍ବିତ ହେବା ସହିତ ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଅଛନ୍ତି। ଶ୍ରୀ ଉପାଧ୍ୟାୟ ୨୦୦୯ ବ୍ୟାଚ୍ର ଆଇଏଏସ୍ ଅଧିକାରୀ। ୨୦୦୮ ମସିହାରେ ୟୁପିଏସ୍ସି ଦ୍ବାରା ପରିଚାଳିତ ସର୍ବଭାରତୀୟ ପରୀକ୍ଷାରେ ସେ ପଞ୍ଚମ ସ୍ଥାନରେ ରହିଥିଲେ। ନିଜର ସଫଳତା ସମ୍ପର୍କରେ ସେତେବେଳେ ସେ କହୁଥିଲେ, ‘୨୦୦୦ ମସିହାରେ ଯେତେବେଳେ ତାଙ୍କ କଲେଜର ସତ୍ୟସାଇ ରଥ ୟୁପିଏସ୍ସି ପରୀକ୍ଷାରେ କୃତକାର୍ଯ୍ୟ ହେଲେ, ସେତେବେଳେ କ୍ୟାମ୍ପସ୍ ଏକପ୍ରକାର ଉତ୍ସବ ମୁଖର ହୋଇଉଠିଥିଲା। ସେତେବେଳେ ମୁଁ ଭାବିଥିଲି ଆଇଏଏସ୍ ହିଁ ସବୁଠାରୁ ସମ୍ମାନଜନକ ଚାକିରି। ମୁଁ ନିଶ୍ଚୟ ଏହାକୁ ହାସଲ କରିବି। ’ ୨୦୦୫ ମସିହାରେ ଯେତେବେଳେ ରୁପା ମିଶ୍ର ସର୍ବଭାରତୀୟ ସ୍ତରର ରାଙ୍କ-୧ରେ ରହିଲେ , ସେ ବି ଅନୁରୂପ ଭାବେ ପ୍ରଥମ ସ୍ଥାନ ଅକ୍ତିଆର କରିବେ ବୋଲି ସଂକଳ୍ପବଦ୍ଧ ହୋଇଥିଲେ। ତଥାପି, ୫ମ ସ୍ଥାନରେ ରହିବା କମ୍ ବଡ଼ ଗର୍ବର ବିଷୟ ନଥିଲା! ଶ୍ରୀ ଉପାଧ୍ୟାୟଙ୍କ ସଫଳତା କାହାଣୀରୁ ଜଣାପଡ଼େ, ସେ ବି ଦିନେ କାହାଦ୍ବାରା ଅନୁପ୍ରାଣିତ ହୋଇଥିଲେ।
ତେଣୁ ସଫଳତା ପାଇବା ଯେତିକି ବଡ଼ କଥା ନୁହେଁ, ଏହାକୁ କେନ୍ଦ୍ରକରି ତିଆରି ହୋଇଥିବା ନିଜର ପରିଚୟ ଓ ଭାବମୂର୍ତ୍ତିକୁ ଅକ୍ଷୁର୍ଣ୍ଣ ରହିବା ହେଉଛି ବହୁତ ବଡ଼ କଥା। ଏବେ ରାଜ୍ୟ ସରକାର ‘ଜିରୋ ଟଲେରାନ୍ସ ବା ଶୂନ ସହନଶୀଳତା’ କଥା କହୁଛନ୍ତି। ଯଦି ପରିସଂଖ୍ୟାନକୁ ଦୃଷ୍ଟିକୁ ଅଣାଯାଏ, ବିଗତ ୧୦ ବର୍ଷ ମଧ୍ୟରେ ୧୧ ଜଣ ଆଇଏଏସ୍ ଅଧିକାରୀ ଏବଂ ୨୨୭ ଜଣ ଓଏଏସ୍ ଅଧିକାରୀଙ୍କ ବିରୋଧରେ ଭିଜିଲାନ୍ସ ମାମଲା ଚାଲିଛି। ସେମାନଙ୍କ ମଧ୍ୟରୁ ଅନେକ ଦୋଷୀ ସାବ୍ୟସ୍ତ ହୋଇଥିଲା ବେଳେ ଜଣେ ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ଶ୍ରୀ ଉପାଧ୍ୟାୟ ହୁଅନ୍ତୁ କି ଏମାନେ ସମସ୍ତେ , ସଫଳତାକୁ ସବୁଦିନ ଧରି ନ ରଖିବା ସେମାନଙ୍କ ପାଇଁ ପ୍ରକୃତରେ ବିଫଳତା। ସେଦିନ ଆଦର୍ଶ, ପ୍ରେରଣାର ଉତ୍ସ ପାଲଟିଥିଲେ ଏଇମାନେ । ଏବେ ଅନ୍ୟମାନଙ୍କ ପାଇଁ ଲଜ୍ଜିତ ହେବାର କାରଣ। ପରିବାର ଓ ସମ୍ପର୍କୀୟମାନଙ୍କ ପାଇଁ ଖରାପ ସମୟର ହେତୁ। ଏବେ ଯେଉଁମାନେ ଓଏଏସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି, ଚାକିରି ଜୀବନ ଆରମ୍ଭରୁ ଏଥିରୁ ଶିଖିବା ଦରକାର। ଲୋକମାନଙ୍କ ସେବାରେ ଅନୁବ୍ରତୀ ହେବା ପାଇଁ ପ୍ରଶାସନିକ କର୍ତ୍ତବ୍ୟ ପାଳନ କରିବା ଉଚିତ, ଖୁବ୍ ନିଷ୍ଠାପରତାର ସହ । ଅନ୍ତତଃପେକ୍ଷ, ତାହା ହିଁ ଆଶା କରାଯାଉ!! ସେମାନଙ୍କ ବୃତ୍ତିଗତ ଜୀବନରେ ଆଜି ଦିନ ଠିକ୍ ଆଜି ହୋଇଥାଉ। ସେମାନଙ୍କ ଆଜି ଓ କାଲି ଭିତରେ, ଆଜିକାର ବାବୁମାନଙ୍କୁ ନେଇ ରହିଥିବା ଲୋକମାନଙ୍କ ଧାରଣା ବି ବଦଳିଯାଉ।
(ଲେଖକ ‘ସମ୍ବାଦ’ର ସଂପାଦନା ବିଭାଗରେ କାର୍ଯ୍ୟରତ। ୦୯୪୩୭୪୪୯୬୪୪, ଇମେଲ୍: [email protected]/ କିମ୍ବା https://www.facebook.com/chittaranjan.chiranjit / https://twitter.com/chittachiranjitରେ ଯୋଗାଯୋଗ କରାଯାଇପାରିବ)