କୋଲକାତା: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଦୁଇ ଥର ବିଜେତା ୱେଷ୍ଟଇଣ୍ଡିଜ୍ ଲଗାତାର ଚତୁର୍ଥ ବିଜୟ ହାସଲ କରିଛି। ଗ୍ରୁପ୍‌-ବି’ର ଶେଷ ଲିଗ୍‌ ମ୍ୟାଚ୍‌ରେ ପ୍ରଥମ ଥର ଯୋଗ୍ୟତା ହାସଲ କରିଥିବା ୟୁରୋପୀୟ ଦେଶଇଟାଲିକୁ ୪୨ ରନ୍‌ରେ ହରାଇ ସୁପର-୮ ପର୍ଯ୍ୟାୟ ପୂର୍ବରୁ ତା’ର ଆତ୍ମବିଶ୍ବାସକୁ ଆହୁରି ବଢ଼ାଇଛି। ସୁପର-୮ର ଗ୍ରୁପ୍‌-୧ରେ ଥିବା ୱେଷ୍ଟଇଣ୍ଡିଜ୍‌ ଆସନ୍ତା ୨୩ ତାରିଖରେ ଜିମ୍ବାୱେ ବିପକ୍ଷରେ ତା’ର ନକ୍‌ଆଉଟ୍‌ ପର୍ଯ୍ୟାୟ ଅଭିଯାନ ଆରମ୍ଭ କରିବ। ସେହିଭଳି ତୃତୀୟ ଥର ଲାଗି ବିଜେତା ହେବା ଦିଗରେ ଆଉ ଏକ ପାଦ ଅଗ୍ରସର ହେବା ଲାଗି ଚେଷ୍ଟା କରିବ। ଅନ୍ୟ ପକ୍ଷରେ ଫୁଟ୍‌ବଲ୍‌ ପ୍ରଧାନ ଦେଶ ଇଟାଲିର ଉତ୍ସାହୀ କ୍ରିକେଟ୍‌ ଦଳ ବିଶ୍ବକପ୍‌ ଖେଳିବାର ନୂଆ ଅଭିଜ୍ଞତା ନେଇ ସ୍ବଦେଶ ଫେରିବାକୁ ଯାଉଛି। ଏହି ଅନଭିଜ୍ଞ ଦଳ ବିଶ୍ବକପ୍‌କୁ ପ୍ରଥମ ଥର ଯୋଗ୍ୟତା ଅର୍ଜନ କରି ଇତିହାସ ରଚିଥିଲା। ତା’ ସହିତ ପଦାର୍ପଣରେ ଗୋଟିଏ ମ୍ୟାଚ୍‌ ଜିତିବାର ଗୌରବ ଓ ଖୁସି ମଧ୍ୟ ପାଇଛି ଗୁୁରୁବାର।

Advertisment

ଇଟାଲି ନିଜ ଚାରିଟି ଲିଗ୍‌ ମ୍ୟାଚ୍‌ରୁ ତିନିଟିକୁ ହାରିଥିଲେ ମଧ୍ୟ ଗୋଟିଏ ସ୍ମରଣୀୟ ବିଜୟରେ ନେପାଳକୁ ହରାଇଛି। ନେପାଳ ମଧ୍ୟ ଗୋଟିଏ ବିଜୟ ହାସଲ କରିଛି। ତେବେ ରନ୍‌ ରେଟ୍‌ରେ ଇଟାଲିଠାରୁ ପଛରେ ରହି ଗ୍ରୁପ୍‌-ବି’ର ସବା ଶେଷ ସ୍ଥାନରେ ଅଭିଯାନ ‌‌‌ଶେଷ କରିଛି ନେପାଳ। ଗୁରୁବାର ଐତିହାସିକ ଇଡେନ୍‌ ଗାର୍ଡେନ୍ସରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍‌ ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିଲା। ୩୧ ରନ୍‌ରେ ୨ ୱିକେଟ୍‌ ହରାଇ ସଙ୍କଟରେ ବି ପଡ଼ିଥିଲା। ତେବେ ରକ୍ଷଣ ଓ ଆକ୍ରମଣାତ୍ମକ ବ୍ୟାଟିଂର ଅପୂର୍ବ ସମାହାରରେ ଅଧିନାୟକ ସାଇ ହୋପ୍‌ ଖେଳିଥିବା ୭୫ ରନ୍‌ର ପାଳି ଇଣ୍ଡିଜ୍‌କୁ ରକ୍ଷା କରି ଦେଇଥିଲା।

ହୋପ୍‌ଙ୍କ ଅର୍ଦ୍ଧଶତକ ବଳରେ ୬ ୱିକେଟ୍‌ ହରାଇ ୧୬୫ ରନ୍‌ର ସମ୍ମାନଜନକ ସ୍କୋର୍‌ କରି ନେଇଥିଲା ଏହି ଦଳ। ଜବାବରେ ଇଟାଲି ନିୟମିତ ବ୍ୟବଧାନରେ ୱିକେଟ୍‌ ହରାଇ ୧୮ ଓଭରରେ ମାତ୍ର ୧୨୩ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ଇଣ୍ଡିଜ୍‌ ବୋଲର୍‌ଙ୍କ ଉଚ୍ଚଗୁଣମାନ ଓ ପ୍ରଭାବଶାଳୀ ବୋଲିଂର ମୁକାବିଲା କରିବାରେ ଏହି ଦଳର ବ୍ୟାଟିଂ ବାହିନୀ ପୂରା ବିଫଳ ହୋଇଥିଲା। ଅନ୍ୟପକ୍ଷରେ ସଠିକ୍‌ ଲାଇନ୍‌ ଓ ଲେନ୍‌ଥରେ ବଲ୍‌ ପକାଇ ସମର ଯୋଥେଫ (୪/୩୦) ଓ ମାଥ୍ୟୁ ଫର୍ଡେ (୩/୧୯) ଏହି ଦଳର ଘୋର ବିପର୍ଯ୍ୟୟ ଘଟାଇଥିଲେ। ତେବେ ହୋପ୍‌ ତାଙ୍କ ଦର୍ଶନୀୟ ପାଳି ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।