କେନ୍ଦ୍ରାପଡ଼ା: ଭିତରକନିକା ଜାତୀୟ ଉଦ୍ୟାନ ନିକଟରେ ଭାସୁଛି ବୃହତ୍ତ ତିମି, ଲମ୍ବ ଏତିକି

ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ଭିତରକନିକା ଅଂଚଳରେ ବୈତରଣୀ ନଦୀ କୂଳରେ ସମୁଦ୍ର ମୁହାଣରେ ପୁଣି ଥରେ ଏକ ବୃହତ୍ତ ତିମି ଭାସୁଥିବା ଶୁକ୍ରବାର ଦେଖାଯାଇଛି। ସୂଚନା ଅନୁସାରେ ଜାତୀୟ ଉଦ୍ୟାନର ଅହିରାଜପୁର ନିକଟରେ ଆଜି ଅପରାହ୍ନରେ ଏକ ୩୦ ଫୁଟ ବିଶିଷ୍ଟ ତିମି ଭାସୁଥିବା ସ୍ଥାନୀୟ ଅଂଚଳର ଲୋକେ ଠାବ କରିଛନ୍ତି।

ଆସନ୍ତାକାଲି ଉଦ୍ଧାର ହେବ ତିମି

ସ୍ଥାନୀୟ ଲୋକଙ୍କ ଦ୍ୱାରା ତିମି ଠାବ ହେବା ପରେ ବନ ବିଭାଗକୁ ଏ ବାବଦରେ ସୂଚନା ଦିଆଯାଇଛି। ବନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଘଟଣାସ୍ଥଳକୁ ପହଂଚୁଥିବା ବେଳେ ସନ୍ଧ୍ୟା ହୋଇଯାଇଥିବାରୁ ବିଶାଳ ତିମି ଉଦ୍ଧାର କରିବା ସମ୍ଭବ ନୁହେଁ, ତେଣୁ ଏହାକୁ ଶନିବାର ଉଦ୍ଧାର କରାଯାଇ ପୋଷ୍ଟମର୍ଟମ କରାଯିବ। ପୋଷ୍ଟମର୍ଟମ ପରେ ତିମି ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।

ମୃତ ତିମିକୁ ଦେଖି ସ୍ଥାନୀୟ ଅଂଚଳର ପିଲାମାନେ ଖୁସି ହୋଇଯାଇଛନ୍ତି। ପିଲାମାନେ ତିମି ଉପରେ ଚଢ଼ି ଖେଳିଛନ୍ତି। ପ୍ରତକ୍ଷ୍ୟଦର୍ଶୀଙ୍କ କହିବା ଅନୁସାରେ ତିମି ଗୋଟିଏ ବା ୨ ଦିନ ମଧ୍ୟରେ ମରି ଯାଇଥାଇ ପାରେ। ମୃତ୍ୟୁର କାରଣ ଯଦିଓ ସ୍ପଷ୍ଟ ନୁହେଁ, ତଥାପି ମାଛ ଧରା ଟ୍ରଲର ସଂସ୍ପର୍ଶରେ ଆସି ‘ତିମି’ର ମୃତ୍ୟୁ ହୋଇଥାଏ ପାରେ ବୋଲି ସନ୍ଦେହ କରାଯାଉଛି। ଏକ ମାସ ତଳେ ମଧ୍ୟ ଏହି ଅଂଚଳରେ ଏକ ‘ତିମି’ର ମୃତ୍ୟୁ ଘଟିଥିଲା।

ସୂଚନାଯୋଗ୍ୟ ସାମୁଦ୍ରିକ ଜୀବମାନେ ପୂର୍ବାପେକ୍ଷା ଆଜିକାଲି ସୁରକ୍ଷିତ ନାହାନ୍ତି। କାରଣ ସମୁଦ୍ରରେ ମାଛ ଧରା ଟ୍ରଲର ଯୋଗୁଁ ସେମାନେ ଆଘାତ ପାଉ ଥିବା ବେଳେ ପରିବେଶର ପରିବର୍ତ୍ତନ ଯୋଗୁଁ ମଧ୍ୟ ସେମାନଙ୍କ ଜୀବନରେଖା ବଦଳିଯାଇଛି। ସେହିପରି ବେଳେ ବେଳେ ସମୁଦ୍ର ଜଳରେ ବିଷାକ୍ତ ଦ୍ରବ୍ୟ ମିଶୁଥିବାରୁ ସାମୁଦ୍ରିକ ଜୀବ ମୃତ୍ୟୁ ମୁଖରେ ପଡୁଛନ୍ତି।

ସମ୍ବନ୍ଧିତ ଖବର