ନୂଆଦିଲ୍ଲୀ: ନେପାଳରେ ସୋସିଆଲ୍ ମିଡିଆ ନିଷିଦ୍ଧ ଘଟଣାକୁ ନେଇ ଚାଲିଥିବା ହିଂସାତ୍ମକ ଆନ୍ଦୋଳନ ଦୁଇ ଦିନ ହେଲା ଭୟାନକ ରୂପ ନେଇଥିଲା | ଅବଶ୍ୟ ଆଜି ଟିକେ ମାମଲା ଶାନ୍ତ ରହିଛି | ସରକାରର ପତନ ପରେ ସେନା ବର୍ତ୍ତମାନ ଶାସନକୁ ନିଜ ନିୟନ୍ତ୍ରଣକୁ ନେଇଛି। ସେନା ମଧ୍ୟସ୍ଥତାରେ ଅନ୍ତରୀଣ ସରକାର ଗଠନ ପାଇଁ ପ୍ରସ୍ତୁତି ଚାଲିଛି। ତେବେ କାଠମାଣ୍ଡୁର ତ୍ରିଭୁବନ ବିମାନବନ୍ଦର ବର୍ତ୍ତମାନ ପାଇଁ ବନ୍ଦ ରହିବ। ସୁରକ୍ଷା କାରଣରୁ ଏହି ନିଷ୍ପତ୍ତି ନିଆଯାଇଛି। ନେପାଳରେ ପରିସ୍ଥିତି ଖରାପ ହେବା ଏବଂ ହିଂସା ଘଟଣାକୁ ଦୃଷ୍ଟିରେ ରଖି ଭାରତ ନେପାଳ ସୀମା ସଂଲଗ୍ନ ଅଞ୍ଚଳରେ ସୁରକ୍ଷା କଡ଼ାକଡ଼ି କରିଛି। କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ କଡା ସୁରକ୍ଷା ସତର୍କତା ଜାରି କରିଛନ୍ତି ଏବଂ ଭାରତ-ନେପାଳ ସୀମାରେ ନିୟୋଜିତ ସୁରକ୍ଷା ବାହିନୀ ଏବଂ ସ୍ଥାନୀୟ ପୋଲିସକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଅନ୍ୟପଟେ ନେପାଳରେ ପ୍ରଦର୍ଶନକାରୀମାନେ ସେନା ଏବଂ ପୋଲିସର ଅସ୍ତ୍ରଶସ୍ତ୍ର ଲୁଟି ନେଇଥିଲେ। ନେପାଳୀ ସେନା ଏହି ସମ୍ପର୍କରେ ପ୍ରତିବାଦକାରୀଙ୍କୁ ନିବେଦନ କରିଛି। ସେନା ଏକ ବିବୃତ୍ତିରେ କହିଛି, "ଜେନ-ଜେଡଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ସମୟରେ, ଯଦି କେହି ସୁରକ୍ଷା କର୍ମୀଙ୍କଠାରୁ ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଏବଂ ସୁରକ୍ଷା ଉପକରଣ ଚୋରି କରିଛନ୍ତି କିମ୍ବା ପାଇଛନ୍ତି, ତେବେ ଯଥାଶୀଘ୍ର ନିକଟସ୍ଥ ସୁରକ୍ଷା ସଂସ୍ଥା କିମ୍ବା ସୁରକ୍ଷା କର୍ମୀଙ୍କୁ ହସ୍ତାନ୍ତର କରିଦିଅନ୍ତୁ ।" ନେପାଳ ସେନା ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ।
ବଡ କଥା ଯେ ନେପାଳର ୧୮ଟି ଜିଲ୍ଲାର ଜେଲରୁ ପ୍ରାୟ ୬ ହଜାର କଏଦୀ ଖସି ପଳାଇଛନ୍ତି। ଏହି ସମୟରେ, ନେପାଳର ଜେଲରୁ ଖସି ପଳାଇଥିବା ୫ ଜଣ କଏଦୀ ଭାରତ-ନେପାଳ ସୀମା ଦେଇ ଭାରତରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବାବେଳେ ଧରାପଡ଼ିଛନ୍ତି | ନେପାଳର ଜେଲରୁ ଖସି ପଳାଇଥିବା ୫ ଜଣ କଏଦୀଙ୍କୁ ଏସଏସବି(ସୀମା ସୁରକ୍ଷା ବଳ) ଧରିଛି ।