ସାନଭାଇ ମୁଖ୍ୟମନ୍ତ୍ରୀ, ବଡ଼ଭଉଣୀ ବିଧାୟିକା

ଭୋଟ ପେଡ଼ିର ପୁରୁଣା କଥା-୩୫/ ସ୍ବରାଜ ମିଶ୍ର

ଆଶ୍ଚର୍ଯ୍ୟ ହେଲେ ବି ସତ। ଓଡ଼ିଶା ରାଜନୀତିରେ ଏମିତି ଦୁଇ ଭାଇଭଉଣୀ ଅଛନ୍ତି, ଯେଉଁମାନେ ଏକ ସମୟରେ ଏକାଧିକବାର ବିଧାନସଭାର ସଦସ୍ୟ ରହିଛନ୍ତି। ଥରେ ତ ଏପରି ହୋଇଥିଲା ଯେ ଭାଇ ଥିଲେ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଭଉଣୀ ଥିଲେ ସରକାରୀ ଦଳର ବିଧାୟିକା। ସେମାନେ ଏକା ମା’ ପେଟର ଭାଇଭଉଣୀ। ଜଣେ ପାଟଣା ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓ ଓ ଅନ୍ୟଜଣେ ଢେଙ୍କାନାଳ ରାଣୀ ରତ୍ନପ୍ରଭା ଦେବୀ।

ରାଜେନ୍ଦ୍ର ନାରାୟଣ ଓ ରତ୍ନପ୍ରଭା ଉଭୟେ ଜନ୍ମନେଇଥିଲେ ଷଢ଼େଇକଳା ଗଡ଼ଜାତରେ। ଷଢ଼େଇକଳାର ରାଜା ଆଦିତ୍ୟ ପ୍ରତାପ ସିଂହଦେଓ ଓ ରାଣୀ ପଦ୍ମିନୀ କୁମାରୀ ଦେବୀଙ୍କର ମୋଟ ଛଅ ପୁଅ ଓ ତିନି ଝିଅଙ୍କ ମଧ୍ୟରେ ରତ୍ନପ୍ରଭା ଥିଲେ ବଡ଼ଝିଅ ଏବଂ ରାଜେନ୍ଦ୍ର ନାରାୟଣ ଥିଲେ ଦ୍ଵିତୀୟ ପୁଅ। ରତ୍ନପ୍ରଭାଙ୍କ ଜନ୍ମ ହୋଇଥିଲା ୧୯୦୯ ମସିହାରେ ଏବଂ ତାଙ୍କଠାରୁ ତିନି ବର୍ଷ ସାନ ରାଜେନ୍ଦ୍ର ନାରାୟଣ ଜନ୍ମ ନେଇଥିଲେ ୧୯୧୨ ମସିହାରେ। ରାଜେନ୍ଦ୍ର ପିଲା ଥିଲାବେଳେ ପାଟଣା (ବଲାଙ୍ଗୀର) ରାଜା ପୃଥ୍ଵୀରାଜ ସିଂହଦେଓ ତାଙ୍କୁ ପୋଷ୍ୟପୁତ୍ର କରି ଆଣିଥିଲେଏବଂ ୧୯୨୪ରେ ରତ୍ନପ୍ରଭାଙ୍କର ବିବାହ ହୋଇଥିଲା ଢେଙ୍କାନାଳ ରାଜା ଶଙ୍କର ପ୍ରତାପ ସିଂହଦେଓ ମହୀନ୍ଦ୍ର ବାହାଦୂରଙ୍କ ସହିତ। ଠିକ୍‌ ଏହି ସମୟରେ ପାଟଣା ରାଜା ପୃଥ୍ଵୀରାଜଙ୍କ ମୃତ୍ୟୁ ହେଲା। ସେତେବେଳକୁ ରାଜେନ୍ଦ୍ର ନାବାଳକ ଥିବାରୁ କିଛିବର୍ଷ ତତ୍ତ୍ଵାବଧାୟକଙ୍କ ଦାୟିତ୍ବରେ ରହିବା ପରେ ୧୯୩୩ରେ ସମ୍ପୂର୍ଣ୍ଣ ରାଜ୍ୟଭାର ସମ୍ଭାଳିଲେ।

୧୯୪୮ରେ ଓଡ଼ିଶା ପ୍ରଦେଶ ସହ ଗଡ଼ଜାତମାନଙ୍କର ମିଶ୍ରଣ ହେବା ପରେ ଢେଙ୍କାନାଳ, ବଲାଙ୍ଗୀର ସମେତ ସମସ୍ତ ଗଡ଼ଜାତର ନାଗରିକମାନେ ୧୯୫୨ଠାରୁ ଭାରତର ନୂଆ ସମ୍ବିଧାନ ଅନୁସାରେ ନିର୍ବାଚନରେ ଅଂଶଗ୍ରହଣ କଲେ। ସେତେବେଳେ କଂଗ୍ରେସ ହିଁ ଥିଲା ସର୍ବଭାରତୀୟ ସ୍ତରରେ ସବୁଠାରୁ ଶକ୍ତିଶାଳୀ ଦଳ। କିନ୍ତୁ ପାଟଣା ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓ ‘ଗଣତନ୍ତ୍ର ପରିଷଦ’ ନାମରେ ନିଜର ଏକ ଆଞ୍ଚଳିକ ଦଳ ଗଢ଼ି କଂଗ୍ରେସ ଦଳର ମୁଖ୍ୟ ବିରୋଧୀ ରୂପେ ଉଭା ହେଲେ। ଏଥିରେ ତାଙ୍କୁ ପୂର୍ଣ୍ଣ ସହଯୋଗ କରୁଥିଲେ ଭଉଣୀ ରତ୍ନପ୍ରଭା ଓ ଭିଣୋଇ ଶଙ୍କରପ୍ରତାପ।

ରତ୍ନପ୍ରଭା ଦେବୀ

ରାଜେନ୍ଦ୍ର ନାରାୟଣ ସିଂହଦେଓ

୧୯୫୨ରେ ଗଣତନ୍ତ୍ର ପରିଷଦ ତରଫରୁ କଳାହାଣ୍ଡି-ବଲାଙ୍ଗୀର (ଯୁଗ୍ମ) ଆସନରୁ ନିର୍ବାଚନ ଜିଣି ରାଜେନ୍ଦ୍ର ନାରାୟଣ ଲୋକସଭାକୁ ଯାଇଥିଲେ। ମାତ୍ର ୧୯୫୭ଠାରୁ ସେ ଓଡ଼ିଶା ବିଧାନସଭା ଉପରେ ଅଧିକ ଧ୍ୟାନଦେଲେ। ଏହିବର୍ଷ ସେ ଟିଟିଲାଗଡ଼(ଯୁଗ୍ମ) ଆସନରୁ ବିଧାନସଭାକୁ ଆସିଥିବାବେଳେ ଭିଣୋଇ ଶଙ୍କର ପ୍ରତାପ ଢେଙ୍କାନାଳ(ଯୁଗ୍ମ) ଆସନରୁ ଓ ଭଉଣୀ ରତ୍ନପ୍ରଭା ଦେବୀ କିଶୋରନଗରରୁ  ଜିଣି ବିଧାନସଭାକୁ ଆସିଥିଲେ। ମାତ୍ର ପରବର୍ତ୍ତୀ ଦୁଇଟି ନିର୍ବାଚନରେ ରାଣୀ ରତ୍ନପ୍ରଭା ଦେବୀ ଢେଙ୍କାନାଳରୁ ଲଢ଼ିଲେ ଏବଂ ଉଭୟ ୧୯୬୧ ଓ ୧୯୬୭ ନିର୍ବାଚନରେ ବିଜୟୀ ହୋଇ ବିଧାନସଭାକୁ ଆସିଲେ। ଠିକ୍‌ ଏହି ସମୟରେ ରାଜେନ୍ଦ୍ର ନାରାୟଣ ମଧ୍ୟ ବିଧାୟକ ଥିଲେ। ସେ ୧୯୬୧ରେ କଣ୍ଟାବାଞ୍ଝି ଆସନରୁ କଂଗ୍ରେସ ପ୍ରାର୍ଥୀ ଚନ୍ଦ୍ରକୁମାରୀ ଦେବୀଙ୍କୁ ୭ ହଜାରରୁ ଅଧିକ ଭୋଟରେ ହରାଇଥିବା ବେଳେ ୧୯୬୭ରେ ବଲାଙ୍ଗୀର ଆସନରୁ କଂଗ୍ରେସ ଦଳର ସତ୍ୟାନନ୍ଦ ମିଶ୍ରଙ୍କୁ ପାଖାପାଖି ୧୬ ହଜାର ଭୋଟ ବ୍ୟବଧାନରେ ପରାସ୍ତ କରି ବିଧାନସଭାକୁ ଆସିଥିଲେ।

୧୯୬୨ ନିର୍ବାଚନ ପରେ ଗଣତନ୍ତ୍ର ପରିଷଦ ସ୍ୱତନ୍ତ୍ର ପାର୍ଟି ସହ ମିଶିଯାଇଥିଲା। ୧୯୬୭ରେ ଏହି ଦଳ ଜନକଂଗ୍ରେସ ସହ ମିଶି ଓଡ଼ିଶାରେ ସରକାର ଗଠନ କରିଥିଲା ଏବଂ ରାଜେନ୍ଦ୍ର ନାରାୟଣ ସିଂହଦେଓ ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେତେବେଳେ ଭଉଣୀ ରତ୍ନପ୍ରଭା ଦେବୀ ସ୍ୱତନ୍ତ୍ର ପାର୍ଟି ଟିକେଟରେ ଢେଙ୍କାନାଳ ଆସନରୁ ଜିଣି ବିଧାନସଭାର ସଦସ୍ୟା ଥିଲେ। ସେ ରାଜେନ୍ଦ୍ର ନାରାୟଣଙ୍କ ମନ୍ତ୍ରିମଣ୍ଡରେ ମନ୍ତ୍ରୀପଦ ପାଇ ନଥିଲେ ମଧ୍ୟ ସରକାରୀ ଦଳର ଜଣେ ଦକ୍ଷ ବିଧାୟିକା ରୂପେ ଭାଇଙ୍କ ପଛରେ ଛିଡ଼ା ହୋଇଥିଲେ।

ରତ୍ନପ୍ରଭା ତାଙ୍କ ଆତ୍ମଜୀବନୀ ‘୧୯୦୯ ମସିହାରୁ ଏପର୍ଯ୍ୟନ୍ତ’ ପୁସ୍ତକରେ ଭାଇମାନଙ୍କ ସହ ଷଢ଼େଇକଳାରେ କଟାଇଥିବା ତାଙ୍କ ପିଲାଦିନ କଥା ବିଶଦ ଭାବରେ ବର୍ଣ୍ଣନା କରିଛନ୍ତି। ଓଡ଼ିଶା ସହ ଷଢ଼େଇକଳା ଅଞ୍ଚଳର ଗଭୀର ସାମାଜିକ ଓ ସାଂସ୍କୃତିକ ସଂପର୍କ ରହିଛି। ଯଦିଓ ଏହି ଗଡ଼ଜାତ ଓଡ଼ିଶା ସହ ମିଶିପାରି ନଥିଲା, ଏଠାରେ ଜନ୍ମିତ ଦୁଇ ଭାଇଭଉଣୀ ଓଡ଼ିଶାର ସାମାଜିକ ଓ ରାଜନୈତିକ ଜୀବନ ସହ ନିଜକୁ ସଂପୂର୍ଣ୍ଣ ରୂପେ ମିଶାଇ ଦେଇ ଏ ରାଜ୍ୟ ଓ ରାଜ୍ୟବାସୀଙ୍କ ପାଇଁ ତାଙ୍କର ଗଭୀର ଆତ୍ମୀୟତା ଓ ଭଲପାଇବାର ପ୍ରମାଣ ଦେଇଛନ୍ତି।

ସମ୍ବନ୍ଧିତ ଖବର