ରାଉରକେଲା: ସରକାର ବଦଳୁଛନ୍ତି; କିନ୍ତୁ ରାଉରକେଲା ସ୍ବାସ୍ଥ୍ୟସେବା ସ୍ଥିତି ସୁଧୁରୁନି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ରାଉରକେଲାକୁ କ୍ରମାଗତଭାବେ ଅଣଦେଖା କରାଯାଉଛି। ନୂତନ ମେଡିକାଲ କଲେଜ ଓ ହସପିଟାଲ ନିର୍ମାଣ ନିତାନ୍ତ ଆବଶ୍ୟକ ହେଲାଣି। କିନ୍ତୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅବହେଳା ଯୋଗୁଁ, ଏହି ସ୍ବପ୍ନ ପୂରଣ ହୋଇପାରୁନି। ୧୯୫୪ ମସିହାରେ ସ୍ଥାପିତ ଭୁବନେଶ୍ବର କ୍ୟାପିଟାଲ ହସପିଟାଲରେ ମେଡିକାଲ କଲେଜ ସ୍ଥାପନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା। ରାଜ୍ୟ ରାଜଧାନୀରେ ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ ପ୍ରଥମ ସରକାରୀ ଡାକ୍ତରଖାନା ସ୍ଥାପନ ନିଶ୍ଚିତଭାବେ ସ୍ବାଗତଯୋଗ୍ୟ। କିନ୍ତୁ ରାଜ୍ୟର ପ୍ରଥମ ଯୋଜନାବଦ୍ଧ ସହର ରାଉରକେଲାରେ ୧୯୫୮ ମସିହାରେ ସ୍ଥାପିତ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍ଜିଏଚ୍)କୁ ସଂପୂର୍ଣ୍ଣ ଅଣଦେଖା କରାଯିବା ଗ୍ରହଣ କରିହେଉନି। ଆର୍ଜିଏଚ୍ ସବୁ ସର୍ତ୍ତ ପୂରଣ କରୁଥିବା ସତ୍ତ୍ବେ, ଏଠାରେ ମେଡିକାଲ କଲେଜ ପାଇଁ ପରିକଳ୍ପନା କରାଯାଉନଥିବାରୁ ଅସନ୍ତୋଷ ବୃଦ୍ଧି ପାଉଛି।
ବିଜେଡି ସରକାର ଅମଳରେ ଆର୍ଜିଏଚ୍ରେ ମେଡିକାଲ କଲେଜ ସ୍ଥାପନପାଇଁ ଘୋଷଣା କରାଯାଇଥିଲା, କିନ୍ତୁ ଏହା କେବଳ ପ୍ରତିଶ୍ରୁତିରେ ସୀମିତ ରହିଥିଲା। ରାଜ୍ୟରେ ସରକାର ପରିବର୍ତ୍ତନ ହେବାପରେ ଏହି ଦାବି ପୂରଣ ଆଶା କରାଯାଉଥିଲା। ଖୋଦ୍ ରଘୁନାଥପାଲି ବିଜେପି ବିଧାୟକ ଓ ପୂର୍ବତନ ପାନପୋଷ ସାଂଗଠନିକ ଜିଲ୍ଲା ବିଜେପି ସଭାପତିଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ। ସମାନ ଦାବି ନେଇ ବିଗତ ଦିନରେ ବିକ୍ଷୋଭ, ଆନ୍ଦୋଳନ ବି ଦେଖିବାକୁ ମିଳିଥିଲା। ତେବେ କୌଣସି କାରଣରୁ,ବର୍ତ୍ତମାନର ବିଜେପି ସରକାର ନ୍ୟାଯ୍ୟ ଦାବିକୁ ଏଡ଼ାଇ ଦେଇଛନ୍ତି। ବାସ୍ତବରେ ରାଉରକେଲା କେବଳ ରାଜ୍ୟ ସରକାରଙ୍କ ଦ୍ବାରା ଅଣଦେଖାର ଶିକାର ହେଉନି, ବରଂ କେନ୍ଦ୍ର ସରକାରଙ୍କ ଶୁଭଦୃଷ୍ଟି ଆଢୁଆଳରେ ରହିଯାଇଛି।
ଗତ ୨୦୧୫ ଏପ୍ରିଲ ୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଉରକେଲା ଗସ୍ତ ଅବସରରେ ସହରରେ ଏକ ସୁପରସ୍ପେସାଲିଟି ହସପିଟାଲ ଓ ମେଡିକାଲ କଲେଜ ସ୍ଥାପନ ପାଇଁ ଘୋଷଣା କରିଥିଲେ। ଘୋଷଣା ମୁତାବକ ସୁପରସ୍ପେସାଲିଟି ହସପିଟାଲ ହେଲା, କିନ୍ତୁ ମେଡିକାଲ କଲେଜ ସ୍ଥାପନ ଏଯାଏ ସମ୍ଭବ ହୋଇନି। ଏତଦ୍ବ୍ୟତୀତ ଶିଳ୍ପ କାରଖାନାରେ ଭରପୂର୍ ରାଉରକେଲା ଓ ଆଖପାଖ ଅଞ୍ଚଳର ଲକ୍ଷାଧିକ ବୀମାଭୁକ୍ତ ଶ୍ରମିକଙ୍କୁ ଉନ୍ନତମାନର ସ୍ବାସ୍ଥ୍ୟସେବା ଯୋଗାଇବାକୁ ଇଏସ୍ଆଇସି ମେଡିକାଲ କଲେଜ ଓ ହସପିଟାଲ ସ୍ଥାପନ କରିବାକୁ ପୂର୍ବରୁ ଏକାଧିକବାର ଘୋଷଣା କରାଯାଇଛି। ତେବେ ଏହି ପ୍ରତିଶ୍ରୁତି ମଧ୍ୟ ବାସ୍ତବ ରୂପ ନେଇପାରିଲାନି। ଉଲ୍ଲେଖଯୋଗ୍ୟ, ୪ ଶହ ଶଯ୍ୟା ବିଶିଷ୍ଟ ଆର୍ଜିଏଚ୍କୁ ୮ ଶହ ଶଯ୍ୟା ବିଶିଷ୍ଟ ହସପିଟାଲରେ ପରିଣତ କରିବାର ଆବଶ୍ୟକତା ରହିଛି। ଆର୍ଜିଏଚ୍କୁ ପ୍ରତିଦିନ ୧୫୦୦/୨୦୦୦ ରୋଗୀ ଆସୁଛନ୍ତି। ରାଉରକେଲା ସମେତ ଜିଲ୍ଲାର ଅଧିକାଂଶ ବ୍ଲକ ଓ ପଡ଼ୋଶୀ ଝାଡ଼ଖଣ୍ଡ ସୀମାନ୍ତ ଜିଲ୍ଲାର ରୋଗୀ ଏଠାକୁ ଆସୁଛନ୍ତି। ବହୁ ସମୟରେ ରୋଗୀ ବାରଣ୍ଡାରେ ଶୋଇ ଚିକିତ୍ସିତ ହେଉଥିବାର ପରିଲକ୍ଷିତ ହୁଏ।