ମାଲକାନଗିରି: ମାଲକାନଗିରି ଜିଲ୍ଲା ସବୁବେଳେ ରାଜ୍ୟ ସରକାରଙ୍କ ଫୋକସରେ ରହିଆସିଛି।ଏହି ଜିଲ୍ଲାର ବିକାଶ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ଦୃଷ୍ଟି ଦେଉଥିବା ବେଳେ ସ୍ବତନ୍ତ୍ର ପ୍ୟାକେଜରେ ବିଭିନ୍ନ ସ୍ଥାନରେ ଉନ୍ନୟନ ମୂଳକ କାର୍ଯ୍ୟ ଜାରି ରହିଛି।ଏହାସତ୍ତ୍ବେ ଆଜି ବି ବହୁ ଅଂଚଳକୁ ସର୍ବନିମ୍ନ ମୌଳିକ ସୁବିଧା ମଧ୍ୟରୁ ଗମନାଗମନର ବ୍ୟବସ୍ଥା ହୋଇପାରିନାହିଁ।ଯଦ୍ବାରା ଲୋକେ ବର୍ଷା ଦିନ ଆସିଲେ ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହୁଛନ୍ତି।ଜରୁରୀ କାମ ଥିଲେ ବିପଦ ସଂକୁଳ ଅବସ୍ଥାରେ ଜୀବନକୁ ବାଜି ଲଗାଇ ଦେଶୀ ଡଂଗାରେ ନଦୀ ପାର ହେଉଛନ୍ତି।ଏଭଳି ଏକ ପଞ୍ଚାୟତ ରହିଛି ମାଥିଲି ବ୍ଲକରେ ଯେଉଁ ନଦୀ ୧୦ଟି ଗ୍ରାମକୁ ଏକ ପ୍ରକାର ବାହ୍ୟ ଜଗତରୁ ବିଛିନ୍ନ କରି ରଖିଥାଏ।ଏହା ହେଉଛି ମାଥିଲି ବ୍ଲକର କର୍ତ୍ତନପାଲୀ ପଞ୍ଚାୟତର ବାରା ନଦୀ।ନଦୀ ଆରପାରିରେ ରହୁଥିବା ୧୦ଟି ଗ୍ରାମର ଲୋକେ ପଞ୍ଚାୟତ ସଦର ମହକୁମାକୁ ଆସିବାକୁ ହେଲେ ଏହି ବାରା ନଦୀକୁ ପାର କରି ଆସିବାକୁ ପଡିଥାଏ।ତେବେ ବାରା ନଦୀ ଉପରେ ପୋଲ ନିର୍ମାଣ ନେଇ ଗ୍ରାମବାସୀଙ୍କ ଦୀର୍ଘ ଦିନର ଦାବି ପରେ ପୋଲ ନିର୍ମାଣ କାମ ଆରମ୍ଭ ହୋଇଥିଲେ ମଧ୍ୟ ସରିବାର ନାମ ନେଉ ନାହିଁ।ଏହି ଅଂଚଳକୁ ସର୍ବନିମ୍ନ ମୌଳିକ ସୁବିଧା ରାସ୍ତା ନଥିବାରୁ ଆଜି ଲୋକେ ପରାଧୀନ ଜୀବନଯାପନ କରୁଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ।ବର୍ଷା ଦିନ ଆସିଲେ ନଦୀରେ ବନ୍ୟାଜଳ ପ୍ରବାହିତ ହେବା ସହ ଦୀର୍ଘ ଦିନ ଧରି ଲୋକେ ବାହ୍ୟ ଜଗତରୁ ଏକ ପ୍ରକାର ବିଛିନ୍ନ ହୋଇ ରହିଥାନ୍ତି।ଏହି ସମୟରେ ନଦୀ ପାର କରିବା ଏକ ପ୍ରକାର ଅସମ୍ଭବ ହୋଇପଡେ। ଦରକାର ପଡିଲେ ଲୋକେ ଦେଶୀ ଡଂଗାରେ ପାର ହେଉଥିବା କହିଥିଲେ ମଧ୍ୟ ଏଠାରେ ଦେଶୀ ଡଂଗା ନଥିବାରୁ ବହୁ ସମୟରେ ଲୋକେ ଲାଉ ତୁମ୍ବା କିମ୍ବା ବଡ ବଡ ହଣ୍ଡା ସାହାଯ୍ୟରେ ନଦୀ ପାର କରୁଥିବା କହିଛନ୍ତି।

Advertisment

ପ୍ରତିବର୍ଷ ନଦୀରେ ଦୁର୍ଘଟଣା ଘଟି ଜୀବନ ହାନି ମଧ୍ୟ ହେଉଥିବା ଲୋକେ କହନ୍ତି।ଏକଦା ନକ୍ସଲ ଏହି ଅଂଚଳକୁ ନିଜ ଅକ୍ତିଆରରେ ରଖିଥିଲେ।ଏବେ ବିଏସଏଫ କ୍ୟାମ୍ପ ଅବସ୍ଥାପିତ ହେବା ପରେ ଲୋକେ ସ୍ବଚ୍ଛନ୍ଦରେ ଏଠାରେ ଜୀବନଯାପନ କରୁଛନ୍ତି।ନକ୍ସଲ ଯୋଗୁଁ ଏହି ନଦୀ ଉପରେ ବ୍ରିଜ ନିର୍ମାଣ କରିବା ଏକ ପ୍ରକାର କଷ୍ଟ ହେଉଥିଲା।ନଦୀ ଆରପଡେ ରହୁଥିବା ଗ୍ରାମମାନଙ୍କ ମଧ୍ୟରୁ ଦଲଦଲି,ଖଟୁଆ  ପଦର,ଗୁଗାପଦର,ବାଲିଗାଡୁ,ଜାମଗୁଡା,ବେତାନଗୁଡା ଆଦି ଗ୍ରାମରେ ଲୋକେ ବହୁ ସମସ୍ୟା ଦେଇ ଗତି କରୁଥିବା ଲୋକେ କହିଛନ୍ତି।ଏହି ଗ୍ରାମର ଲୋକମାନେ ପଞ୍ଚାୟତ ସଦର ମହକୁମାକୁ ପିଡିଏସ ଚାଉଳ କିମ୍ବା ଭତ୍ତା ନେବାକୁ ଆସୁଥିବା ବେଳେ ନଦୀ ସେମାନଙ୍କ ପାଇଁ ବାଟ ଅଗାଳୁଛି।ସେହିପରି ଗର୍ଭବତୀ ଏବଂ ପ୍ରସୂତୀଙ୍କୁ ମଧ୍ୟ ମେଡିକାଲ ନେବାକୁ ହେଲେ ଏହି ନଦୀ ପାର କରି ବିପଦ ସଂକୂଳ ଅବସ୍ଥାରେ ମେଡିକାଲ ଯିବାକୁ ପଡୁଛି।ତେବେ ଲୋକେ ନକ୍ସଲ କବଳରୁ ବର୍ତ୍ତିଲେ ସିନା ଏବେ ମଧ୍ୟ ବାରା ନଦୀ ସେମାନଙ୍କର ଦୁଃଖ ପାଲଟିଛି।ତୁରନ୍ତ ନଦୀ ଉପରେ ପୋଲ ନିର୍ମାଣ କାମ ସରିଲେ ଲୋକେ ପୁଣି ନୂଆ ଜୀବନ ପାଇବେ ବୋଲି କହିଛନ୍ତି।