ଭୁବନେଶ୍ୱର: ମାନସିକ ଅଶାନ୍ତି, ପାଠପଢ଼ାରେ ଚାପ, ପାରିବାରିକ ଅଶାନ୍ତି ନା ସମ୍ପର୍କରେ ପୂର୍ଣ୍ଣଛେଦ, କଣ ହୋଇପାରେ କାରଣ? ଛାତ୍ରୀମାନଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ବଢ଼ିଚାଲିଛି | କାରଣ ଯାହା ବି ହେଉ ନା କାହିଁକି ଏକଥା ସତ ଛାତ୍ରୀମାନଙ୍କ କ୍ଷେତ୍ରରେ ଏବେ ଆତ୍ମହତ୍ୟା କରିବାର ଧାରା ବଢ଼ିବାରେ ଲାଗିଛି | ଗତକାଲି ରାତିରେ ଭୁବନେଶ୍ୱରରେ ଏକ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିବାର ଅଭିଯୋଗ ଆସିଥିବାବେଳେ ଗତ ୧୦ ଦିନ ମଧ୍ୟରେ ରାଜ୍ୟରେ ୪ ଜଣ ନାବାଳିକା ଛାତ୍ରୀ ଆତ୍ମହତ୍ୟା କରିଛନ୍ତି | 

Advertisment

କିଛିଦିନ ତଳେ ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଓ ବାଲେଶ୍ବର ଜିଲ୍ଲା ଭୋଗରାଇ ଅଞ୍ଚଳରେ ଦୁଇ ଜଣ ସ୍କୁଲ ଛାତ୍ରୀ ଜୀବନ ହାରିଦେଇଥିଲେ | ସେହିପରି ମାଲକାନଗିରି ଜିଲ୍ଲା କାଲିମେଳା ଅଞ୍ଚଳରେ ଗତ ୮ ତାରିଖ ଦିନ ଦୁଇ ଜଣ ବିଦ୍ୟାଳୟର ଛାତ୍ରୀଙ୍କର ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଉଭୟ ଛାତ୍ରୀ ଦୁଇଦିନ ଧରି ନିଖୋଜ ଥବା ନେଇ ଥାନାରେ ଦୁଇ ପରିବାରର ଅଭିଭାବକ ଏତଲା ଦେଇଥିଲେ। ତେବେ ୮ ତାରିଖ ସକାଳେ ବିଲିଗୁଡା ପାହାଡ଼ ନିକଟସ୍ଥ ଜଙ୍ଗଲରେ ଥିବା ଏକ ଆମ୍ବ ଗଛରେ ଓଢ଼ଣୀ ଦ୍ଵାରା ଝୁଲୁଥିବାର ଦେଖି ପୁଲିସ୍‌କୁ ଖବର ଦେଇଥିଲେ। 

ତେବେ ଏନେଇ ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞ ତଥା ମନମ ଫାଉଣ୍ଡେସନର ମୁଖ୍ୟ ଥେରାପିଷ୍ଟ କାଉନସିଲର ସୌମ୍ୟା ମହାପାତ୍ର କହିଛନ୍ତି ଯେ ବିଶେଷ କରି ପିଲାମାନଙ୍କର ପରୀକ୍ଷାକୁ ନେଇ ଏକ ଭୟ ରହୁଛି | ପରୀକ୍ଷା ଭୟକୁ ଆମେ ଏତେ ଗୁରୁତ୍ୱ ଦେଉନାହେଁ | କୌଣସି ନିର୍ଣ୍ଣାୟକ ପରୀକ୍ଷା ପୂର୍ବରୁ ସେମାନେ ମାନସିକ ସ୍ଥିରତା ହରାଇବସୁଛନ୍ତି | ପରୀକ୍ଷାକୁ ନେଇ ଭିନ୍ନ ଭିନ୍ନ ଚିନ୍ତାଧାରା ମୁଣ୍ଡକୁ ଆସୁଛି | ସେହି ମାନସିକ ଚାପକୁ ସହ୍ୟ କରିପାରୁନାହାନ୍ତି | ଅଭିଭାବକ ହୁଅନ୍ତୁ ବା ଶିକ୍ଷକ-ଶିକ୍ଷୟିତ୍ରୀ ପିଲାଟିର ମାନସିକ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦିଅନ୍ତୁ | କେଉଁ କେଉଁ ଲକ୍ଷଣ ଦେଖାଦେଲେ ଆପଣ ଜାଣିବେ ଯେ ପିଲାଟିର ଆତ୍ମହତ୍ୟା ପ୍ରବଣତା ଦେଖାଦେଉଛି ତାହା ଜାଣିବା ନିହାତି ଜରୁରୀ | ଛାତ୍ରଛାତ୍ରୀମାନଙ୍କୁ ମାନସିକ ସ୍ୱାସ୍ଥ୍ୟ ବିଷୟରେ ବୁଝାଇବା ସହ ଆତ୍ମହତ୍ୟା ହିଁ ସବୁ ସମସ୍ୟାର ସମାଧାନ ନୁହେଁ ବୋଲି ପିଲାମାନଙ୍କୁ ବୁଝାଇବାର ଆବଶ୍ୟକତା ରହିଛି |