ଭାରତୀୟ ସଂସ୍କୃତିରେ ଅଛି- ଗୃହସ୍ଥଙ୍କୁ ପ୍ରତିଦିନ ପାଞ୍ଚଟି ଯଜ୍ଞ କରିବାକୁ ପଡ଼ିବ। ସେଥିମଧ୍ୟରୁ ଗୋଟିଏ ହେଉଛି ନୃଯଜ୍ଞ ବା ଅତିଥିସେବା। ଘରକୁ କେହି ଅତିଥି ଆସିଲେ ତାଙ୍କୁ ଦେବତା ଜ୍ଞାନ କରି ସେବା-ସତ୍କାର କରିବା ହେଉଛି ଗୃହସ୍ଥର ଧର୍ମ। ଅତିଥିଙ୍କୁ କିପରି ସତ୍କାର କରାଯାଏ ତାହା ଭଗବାନ୍ ଶ୍ରୀକୃଷ୍ଣ ଓ ମହାତ୍ମା ବିଦୁରଙ୍କଠାରୁ ଶିଖିବା କଥା। ସୁଦାମା ଆସିଛନ୍ତି ବୋଲି ଶୁଣି ଶ୍ରୀକୃଷ୍ଣ ଖାଲିପାଦରେ ଦୌଡ଼ିଯାଇଥିଲେ ତାଙ୍କୁ ପାଛୋଟି ଆଣିବା ପାଇଁ। ସେହିପରି ଭଗବାନ୍ ଶ୍ରୀକୃଷ୍ଣଙ୍କୁ ଅତିଥିରୂପେ ପାଇ ବିଦୂର ନିଜର ସାମର୍ଥ୍ୟ ଅନୁଯାୟୀ ତାଙ୍କର କିପରି ଆଦର-ଆପ୍ୟାୟନା କରିଥିଲେ ତାହା ମହାଭାରତରେ ବର୍ଣ୍ଣିତ। ଅତିଥିଙ୍କୁ ଖାଇବାକୁ ନ ଦେଇ ଗୃହସ୍ଥ ନିଜେ ଖାଉ ନ ଥିଲେ। ଯଦି ଖାଇବା ସମୟରେ ଅତିଥି ପହଞ୍ଚିଯାନ୍ତି, ତେବେ ନିଜର ଭୋଜନ ଅତିଥିଙ୍କୁ ଦେଇ ଗୃହସ୍ଥ ଉପବାସରେ ରହିଯାଉଥିଲେ। ସେହି ‘ଅତିଥି ଦେବୋ ଭବ’ର ମାନ୍ୟତା ଭାରତରେ କାହିଁ କେବେଠୁ ରହି ଆସିଛି, ଯାହା ଏବେ ଅବକ୍ଷୟିତ ହେବାକୁ ବସିଲାଣି। ଏବେ ତ ଘରକୁ ଅତିଥି ଆସନ୍ତୁ ବୋଲି ଲୋକେ ଚାହୁନାହାନ୍ତି। ସେଥିପାଇଁ ଘର ଦୁଆରମୁହଁରେ ଗୋଟେ କୁକୁର ବାନ୍ଧି ବାହାରେ ମାରିଦେଉଛନ୍ତି ‘କୁକୁର ପ୍ରତି ସାବଧାନ’ର ଫଳକ। 
ଭାଗବତରେ ଅଛି-
‘‘ଯା’ ପୁରୁ ଅତିଥି ବାହୁଡ଼େ । ସେ ପ୍ରାଣୀ ପ୍ରେତ ମୁଖେ ପଡ଼େ ।। 
ତା’ର ସଞ୍ଚିଲା ପୁଣ୍ୟ ଯେତେ । ଗମନ୍ତି ଅତିଥି ସଙ୍ଗତେ ।।’’ (ଅଷ୍ଟମ ସ୍କନ୍ଧ : ପଞ୍ଚଦଶ ଅଧ୍ୟାୟ)
ଅର୍ଥାତ୍‌ ଘରକୁ ଆସିଥିବା ଅତିଥିଙ୍କୁ ନାରାୟଣ ସଦୃଶ ମନେକରି ତାଙ୍କୁ ଆଦର ଓ ସମ୍ମାନର ସହ ସ୍ବାଗତ କରାଯିବା ଉଚିତ। ଅତିଥି ବିନା ସତ୍କାରରେ ଘରୁ ଫେରିଗଲେ ଗୃହସ୍ଥ ପ୍ରେତର କବଳିତ ହୁଅନ୍ତି। ଗୃହସ୍ଥର ଯେତେ ସଞ୍ଚିତ ପୁଣ୍ୟ ଥାଏ, ଅତିଥି ଗଲାବେଳେ ସେହି ପୁଣ୍ୟସବୁ ତାଙ୍କ ସାଙ୍ଗରେ ଚାଲିଯାଏ। ଏଣୁ ଅତିଥିସେବା ଆମ ହିନ୍ଦୁ ତଥା ଭାରତୀୟ ପରମ୍ପରାର ଅଙ୍ଗ ହୋଇଆସିଛି। 
ଅତିଥି ଘରକୁ ଆସିବା ବେଳେ ତାଙ୍କ ପାଦ ଧୋଇଦେଇ ଆସନରେ ବସାଯାଉଥିଲା। ଜଳ, ତାମ୍ବୁଳ ଆଦି ଯାହା ଦରକାର ଦିଆଯାଉଥିଲା। ପଥଶ୍ରାନ୍ତ ହୋଇ ଆସିଥିଲେ, ତାଙ୍କର ପାଦ ମଚାଳନ କରିବା ସହ ବ୍ୟଜନ କରାଯାଉଥିଲା। ଖାଇବାକୁ ଦେବା ବେଳେ ପଚାରି ଓ ନ ପଚାରି ଖାଇବାକୁ ଦିଆଯାଉଥିଲା। ଅନେକ ସମୟରେ ଲଜ୍ଜାବଶତଃ ଅତିଥି ଅଧିକ ଖାଇବାକୁ ଇଚ୍ଛା ଥିଲେ ମନା କରିପାରନ୍ତି। ସେଥିପାଇଁ ଅତିଥି ମନା କଲେ ବି ତାଙ୍କୁ ଆଉ ଖାଇବାକୁ ଦିଆଯାଉଥିଲା। କେତେବେଳେ ଆଉ ଖାଇବାକୁ ଦିଆଯିବ ନାହିଁ, ସେ ସମ୍ପର୍କରେ ଗୋଟିଏ ଭଲ ଶାସ୍ତ୍ରବଚନ ଅଛି-
‘‘ହୁହୁ ଦେୟଂ ହାହା ଦେୟଂ ଦେୟଂ ମସ୍ତକଚାଳନେ ।
ବ୍ୟାଘ୍ରବତ୍ ଲୁଣ୍ଠନେ ଦେୟଂ ନ ଦେୟଂ ପତ୍ରଲୁଣ୍ଠନେ ।।’’
ଅର୍ଥାତ୍, ଆଉ ଖାଇବାକୁ ଦେବି କି ‌ବୋଲି ପଚାରିଲେ ଅତିଥି ଯଦି ଉହୁଁ (ହୁହୁ) କହି ମନା କରନ୍ତି, ତେବେ ଖାଇବାକୁ ଦବ। ଯଦି ସେ ହାଁହାଁ ବା ଥାଉ ଥାଉ (ହାହା) କହି ମନା କରନ୍ତି, ତେବେ ଖାଇବାକୁ ଦେବ। କାରଣ ଏ ହୁଁହୁଁ ଓ ହାଁହାଁ ଭିତରେ ଅସ୍ପଷ୍ଟ ସମ୍ମତି ଅଛି। ଯଦି ସେ ମସ୍ତକଚାଳନା କରି ବା ମୁଣ୍ଡ ହଲେଇ ମନା କରନ୍ତି ତେବେ ତାଙ୍କୁ ଖାଇବାକୁ ଦେବ। ବ୍ୟାଘ୍ରବତ୍ ଲୁଣ୍ଠନେ ଦେୟଂ- ମାନେ ବାଘ ଯେପରି ତା’ ଶିକାର ଉପରେ ହାତ ପରି ବ୍ୟବହାର କରୁଥିବା ଆଗ ଦୁଇଗୋଡ଼ର ପଞ୍ଝାଗୁଡ଼ିକ ମେଲାଇ ଝାମ୍ପିପଡ଼େ, ଅତିଥି ଯଦି ସେମିତି ନିଜର ଦୁଇ ହାତକୁ ଖାଦ୍ୟଥାଳି ଉପରେ ଘୋଡ଼େଇ ଆଉ ଦେବାକୁ ମନା କରନ୍ତି, ତେବେ ବି ତାଙ୍କୁ ଆଉ ଦେବ। ତା’ହେଲେ କେତେବେଳେ ଦବନି? ନ ଦେୟଂ ପତ୍ରଲୁଣ୍ଠନେ- ମାନେ ଅତିଥି ଯଦି ପତ୍ରଟିକୁ ଓଲଟେଇ ଦିଅନ୍ତି ବା ଭାଙ୍ଗିଦିଅନ୍ତି ବା ଉଠେଇ ଦିଅନ୍ତି, ତେବେ ଆଉ ଦବନାହିଁ।

Advertisment

ଅତିଥିଙ୍କୁ ଆସନରେ ବସେଇ ଶ୍ରଦ୍ଧାର ସହ ତାଙ୍କ ପୂର୍ଣ୍ଣ ତୃପ୍ତି ପର୍ଯ୍ୟନ୍ତ ଖାଇବାକୁ ଦେବା ହେଉଛି ଆମର ପରମ୍ପରା। କିନ୍ତୁ ଦୁଃଖର ସହ କହିବାକୁ ପଡ଼ୁଛି ଯେ ଆଜିର ‘ବଫେ’ ଯୁଗରେ ଅତିଥିଙ୍କର କୌଣସି ସମ୍ମାନ ନାହିଁ। ତାଙ୍କୁ ଧାଡ଼ିରେ ଠିଆହୋଇ ମାଗି ଖାଇବାକୁ ପଡ଼ୁଛି। କିଛି ମର୍ଯ୍ୟାଦାବନ୍ତ ଲୋକ ବନ୍ଧୁତା ରକ୍ଷା କରି ଏପରି ଭୋଜିକୁ ଯାଉଛନ୍ତି ସିନା କିନ୍ତୁ ନ ଖାଇ ଫେରୁଛନ୍ତି। ସେ ଖାଇଲେ କି ନ ଖାଇଲେ ଗୃହକର୍ତ୍ତା ବି ଅନେକ ସମୟରେ ଜାଣିପାରନ୍ତି ନାହିଁ କି ପଚାରି ବୁଝନ୍ତି ନାହିଁ। 
ତେବେ ଅଜଣା-ଅଶୁଣା ଯେକୌଣସି ଲୋକକୁ ଅତିଥି-ଜ୍ଞାନ କରି ଭୁଲ୍ କରିବା ଉଚିତ ନୁହେଁ। ଶାସ୍ତ୍ର କହେ- ‘ଅଜ୍ଞାତକୁଳଶୀଳସ୍ୟ ବାସୋ ନ ଦେୟଃ କସ୍ୟଚିତ୍’। ଯାହାର କୁଳ କି ସ୍ବଭାବ ଜଣାନାହିଁ, ତାକୁ ଘରକୁ ସ୍ବାଗତ କଲେ ବା ଘରେ ଆଶ୍ରୟ ଦେଲେ ସେ କଳାକନା ବୁଲେଇ ଦେଇପାରନ୍ତି। ଆଜିକାଲି ସନ୍ନ୍ୟାସୀ-ଭେକଧାରୀ ରୋହିଙ୍ଗ୍ୟା ମୁସଲମାନ ବି ବୁଲୁଛନ୍ତି। ସେମାନଙ୍କଠାରୁ ସାବଧାନ ରହିବା ଉଚିତ। 

ଏହିପରି ଅତିଥିଙ୍କୁ ଆସନରେ ବସେଇ ଶ୍ରଦ୍ଧାର ସହ ତାଙ୍କ ପୂର୍ଣ୍ଣ ତୃପ୍ତି ପର୍ଯ୍ୟନ୍ତ ଖାଇବାକୁ ଦେବା ହେଉଛି ଆମର ପରମ୍ପରା। କିନ୍ତୁ ଦୁଃଖର ସହ କହିବାକୁ ପଡ଼ୁଛି ଯେ ଆଜିର ‘ବଫେ’ ଯୁଗରେ ଅତିଥିଙ୍କର କୌଣସି ସମ୍ମାନ ନାହିଁ। ତାଙ୍କୁ ଧାଡ଼ିରେ ଠିଆହୋଇ ମାଗି ଖାଇବାକୁ ପଡ଼ୁଛି। କିଛି ମର୍ଯ୍ୟାଦାବନ୍ତ ଲୋକ ବନ୍ଧୁତା ରକ୍ଷା କରି ଏପରି ଭୋଜିକୁ ଯାଉଛନ୍ତି ସିନା କିନ୍ତୁ ନ ଖାଇ ଫେରୁଛନ୍ତି। ସେ ଖାଇଲେ କି ନ ଖାଇଲେ ଗୃହକର୍ତ୍ତା ବି ଅନେକ ସମୟରେ ଜାଣିପାରନ୍ତି ନାହିଁ କି ପଚାରି ବୁଝନ୍ତି ନାହିଁ। 
ତେବେ ଅଜଣା-ଅଶୁଣା ଯେକୌଣସି ଲୋକକୁ ଅତିଥି-ଜ୍ଞାନ କରି ଭୁଲ୍ କରିବା ଉଚିତ ନୁହେଁ। ଶାସ୍ତ୍ର କହେ- ‘ଅଜ୍ଞାତକୁଳଶୀଳସ୍ୟ ବାସୋ ନ ଦେୟଃ କସ୍ୟଚିତ୍’। ଯାହାର କୁଳ କି ସ୍ବଭାବ ଜଣାନାହିଁ, ତାକୁ ଘରକୁ ସ୍ବାଗତ କଲେ ବା ଘରେ ଆଶ୍ରୟ ଦେଲେ ସେ କଳାକନା ବୁଲେଇ ଦେଇପାରନ୍ତି। ଆଜିକାଲି ସନ୍ନ୍ୟାସୀ-ଭେକଧାରୀ ରୋହିଙ୍ଗ୍ୟା ମୁସଲମାନ ବି ବୁଲୁଛନ୍ତି। ସେମାନଙ୍କଠାରୁ ସାବଧାନ ରହିବା ଉଚିତ। 
                                            -ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା, ମୋ-୭୦୦୮୯୬୦୫୦୨