ଏ ଗୋତ୍ର ବିଚାର କେବଳ ହିନ୍ଦୁଧର୍ମରେ ଅଛି ବୋଲି ଆମେ ଜାଣିଛୁ। କିନ୍ତୁ ଆମେ ତା’ର ମହତ୍ତ୍ବ ବୁଝୁନା। ବିବାହ ସମୟରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ବିଚାର୍ଯ୍ୟ ବିଷୟ। କାରଣ ଏକାଗୋତ୍ରରେ ବିବାହ କରିବାକୁ ଶାସ୍ତ୍ର ମନା କରିଛି। କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ପାଶ୍ଚାତ୍ୟ ଦେଶରେ ବି ଊଣା-ଅଧିକେ ଏହାର ବିଚାର ରହିଛି। ଏନସାଇକ୍ଲୋପିଡିଆ ବ୍ରିଟାନିକାର ବିବାହ (ମ୍ୟାରେଜ) ଖଣ୍ଡରେ ସ୍ପଷ୍ଟଭାବରେ marriage between similar clan is prohibited ବୋଲି ଲେଖା ଅଛି। କାରଣ ଏକା ଗୋତ୍ରର ପୁଅଝିଅ ହେଉଛନ୍ତି ଭାଇଭଉଣୀ ପରି। ଶାସ୍ତ୍ରରେ କୁହାଯାଇଛି- ଅସପିଣ୍ଡା ଚ ଯା ମାତୁଃ, ଅସଗୋତ୍ରା ଚ ଯା ପିତୁଃ। ଅର୍ଥାତ୍ ଆପଣ ଯଦି ଜଣେ ପୁରୁଷ ହୋଇଥାନ୍ତି, ତେବେ ଆପଣ ସେହି କନ୍ୟାକୁ ବିବ‌ାହ କରିପାରିବେ ଯିଏ ମାତୃପକ୍ଷରେ ଅସପିଣ୍ଡା (ରକ୍ତ ସମ୍ପର୍କ ନ ଥିବା) ହୋଇଥିବା ବା ମାତୃବନ୍ଧୁ ହୋଇ ନ ଥିବା ଦରକାର- କେତେକ ଅଞ୍ଚଳରେ ମାମୁଝିଅକୁ ବିବାହ କରିବାର ଯେଉଁ ପରମ୍ପରା ରହିଛି, ଏହି ଶାସ୍ତ୍ରବଚନ ତାହାକୁ ବିରୋଧ କରୁଛି। ପୁଣି ସେହି ଝିଅ ପିତୃପକ୍ଷରେ ଅସଗୋତ୍ରା ହୋଇଥିବା ବା ଏକା ଗୋତ୍ରର ହୋଇ ନ ଥିବା ଦରକାର। 

Advertisment

ଗୋତ୍ରରୁ ଆମ ବଂଶ ପରିଚୟ ଜଣାପଡ଼େ। ପାଶ୍ଚାତ୍ୟ ବିଜ୍ଞାନ କହୁଛି, ଆମର ପୂର୍ବପୁରୁଷ ମାଙ୍କଡ଼ ଥିଲେ। କିନ୍ତୁ ଆମ ଗୋତ୍ରରୁ ଆମେ ଜାଣିବାକୁ ପାଉ ଯେ ଆମର ପୂର୍ବପୁରୁଷ ଜଣେ ଋଷି ଥିଲେ। ମନେକର ଆପଣଙ୍କ ଗୋତ୍ର ଭରଦ୍ବାଜ। ତା’ ମାନେ ଆପଣ ହେଉଛନ୍ତି ଭରଦ୍ବାଜ ଋଷିଙ୍କ ପୁଅ କିମ୍ବା ଶିଷ୍ୟ। ଯଦି ଗୋଟିଏ ଝିଅର ମଧ୍ୟ ସେହି ଭରଦ୍ବାଜ ଗୋତ୍ର ହୋଇଥାଏ ତେବେ ଉଭୟଙ୍କ ଭିତରେ ଭାଇଭଉଣୀ ପରି ସଂସ୍କାରଗତ ଓ ଜିନ୍‌ଗତ ସାମଞ୍ଜସ୍ୟ ରହିବା ସ୍ବାଭାବିକ। ତେଣୁ ସଗୋତ୍ର ବିବାହକୁ ବାରଣ କରାଯାଏ। ଏକା ଗୋତ୍ରରେ ବା ନିକଟସମ୍ପର୍କରେ ବିବାହ ହେଲେ ସନ୍ତାନଠାରେ ବଂଶାନୁକ୍ରମିକ ରୋଗ ହେବାର ସମ୍ଭାବନା ଥାଏ। ଆମ ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଏବଂ ଦକ୍ଷିଣ ଭାରତରେ ମାମୁଝିଅ ସହ ବିବାହର ପରମ୍ପରା ରହିଛି।

ମୁସଲମାନ ସମାଜରେ ମଧ୍ୟ ନିକଟସମ୍ପର୍କୀୟ ବିବାହ ପରମ୍ପରା ଅଛି। ସେଥିପାଇଁ ସେମାନଙ୍କ ଭିତରେ କେତେକ ବଂଶାନୁକ୍ରମିକ ରୋଗ ହେବାର ଅଧିକ ଦେଖାଯାଏ। ଗୋଟିଏ ଦିନରେ ଏହା ଉପରେ ପୂର୍ଣ୍ଣାଙ୍ଗ ଆଲୋଚନା ସମ୍ଭବ ନ ଥିବାରୁ ବାରାନ୍ତରେ ଏହାର ବୈଜ୍ଞାନିକ କାରଣ ଉପରେ ଆଲୋଚନା କରିବା।

                                                 -ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା, ମୋ-୭୦୦୮୯୬୦୫୦୨