ନୂଆଦିଲ୍ଲୀ: ରେସଲର ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ ଶୁକ୍ରବାର କଂଗ୍ରେସରେ ଯୋଗ ଦେଇଛନ୍ତି। ତେବେ କଂଗ୍ରେସରେ ଯୋଗ ଦେବା ପୂର୍ବରୁ ଭିନେଶ ରେଳବାଇରୁ ଇସ୍ତଫା ଦେଇଥିଲେ | ଭିନେଶ ରେଳବାଇ ଚାକିରିରୁ ଇସ୍ତଫା ଦେଇ କହିଥିଲେ, ‘ରେଳବାଇରେ ଚାକିରି କରିବାର ପ୍ରତିଟି ମୁହୂର୍ତ୍ତ ମୋ ପାଇଁ ସ୍ମୃତି ହୋଇ ରହିବ। ଏହି ମୁହୂର୍ତ୍ତ ମୋ ପାଇଁ ଗୌରବ। ରେଳ ପରିବାର ପ୍ରତି ମୁଁ ସର୍ବଦା କୃତଜ୍ଞ।

Advertisment

 ଜୀବନର ଏହି ମୁହୂର୍ତ୍ତରେ ମୁଁ ନିଜସ୍ବ ଭାବେ ରେଳସେବାରୁ ଓହରି ଯିବା ପାଇଁ ନିଷ୍ପତ୍ତି ନେଇଛି। ଏଥିପାଇଁ ମୋ ଉପରେ କେହି ଚାପ ପକାଇ ନାହାନ୍ତି। ମୋର ଇସ୍ତଫା ପତ୍ର ରେଳ ଅଧିକାରୀଙ୍କ ନିକଟରେ ଦାଖଲ କରିଛି'। ତେବେ ଇସ୍ତଫା ଦେବା ପଛର କାରଣ କହିଛନ୍ତି କଂଗ୍ରେସ ନେତା କେସି ଭେନୁଗୋପାଲ |

କେସି ଭେନୁଗୋପାଲ ଅଭିଯୋଗ କରିଛନ୍ତି ଯେ ରେସଲର ଭିନେଶ ଫୋଗାଟଙ୍କୁ ସେପ୍ଟେମ୍ବର ୪ ରେ ନୂଆଦିଲ୍ଲୀରେ ପାର୍ଟି ନେତା ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ଭାରତୀୟ ରେଳବାଇ ପକ୍ଷରୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା।

ରେଳ ଅଧିକାରୀମାନେ ଭିନେଶ ଫୋଗାଟଙ୍କୁ ଏକ କାରଣ ଦର୍ଶାଅ ନୋଟିସ୍ ପଠାଇଥିଲେ, ତାଙ୍କର ଏକମାତ୍ର ଅପରାଧ ହେଉଛି ସେ ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ । କେସି ଭେନୁଗୋପାଲ କହିଛନ୍ତି ଯେ ରେଳବାଇ ରାଜନୀତି କରିବା ଉଚିତ ନୁହେଁ ଏବଂ ଭିନେଶ ଫୋଗାଟଙ୍କୁ ମୁକ୍ତ କରିବା ପାଇଁ ଔପଚାରିକତା ସମ୍ପୂର୍ଣ୍ଣ କରିବା ଉଚିତ। ତେବେ କାରଣ ଦର୍ଶାଅ ନୋଟିସ ନେଇ ରେଳବାଇ ପକ୍ଷରୁ କୌଣସି ଜବାବ ମିଳିନାହିଁ |