ଟ୍ରକ ଧକ୍କାରେ ସ୍ବାମୀ ସାମ୍ନାରେ ଆଖି ବୁଜିଲା ସ୍ତ୍ରୀ

ଘଟଣାସ୍ଥଳରେ ଚାପା ଉତ୍ତେଜନା, ୯ ଘଣ୍ଟା ଜାତୀୟ ରାଜପଥ ଅବରୋଧ

ରାଇରଙ୍ଗପୁର/ବସିଙ୍ଗୀ/ଗମ୍ଭାରିଆ, : ଟ୍ରକ ଧକ୍କାରେ ସ୍ବାମୀ ସାମ୍ନାରେ ଆଖି ବୁଜିଲା ସ୍ତ୍ରୀ । କ୍ଷତିପୂରଣ ଦାବିରେ ୯ ଘଣ୍ଟା ଜାତୀୟ ରାଜପଥ ଅବରୋଧ । ଘଟଣାସ୍ଥଳରେ ପୋଲିସ ପହଞ୍ଚି କ୍ଷତିପୂରଣ ଦେବା ପରେ ଅବରୋଧ ହଟିଲା ।

ସୂଚନା ଅନୁସାରେ, ମୟୂରଭଞ୍ଜ ଦେଇ ଯାଇଥିବା ରାଞ୍ଚି-ବିଜୟବାଡା ୨୨୦ ନମ୍ବର ଜାତୀୟ ରାଜପଥରେ ବିଶୋଇ ଥାନା କାଦପାଣି ଗ୍ରାମର ଶତ୍ରୁଘନ ବୈଠା ଓ ତାଙ୍କ ସ୍ତ୍ରୀ ସ୍ୱପ୍ନା ବୈଠା ବାଇକ ନଂ ଓଡ଼ି-୧୧ଭି-୨୧୩୧ ଯୋଗେ ଶ୍ବଶୂର ଘର ପଡ଼ୋଶୀ ଝାଡଖଣ୍ଡ ରାଜ୍ୟର ହଳଦୀପୋଖରୀରୁ ଘରକୁ ଫେରୁଥିଲେ । ଏହି ସମୟରେ ବହଳଦା ଥାନା ଅନ୍ତର୍ଗତ କାଦୁଆଣି ଛକରେ ଏକ ଲୁହାପଥର ବୋଝେଇ ଟ୍ରକଟି ସେମାନଙ୍କୁ ଧକ୍କା ଦେଇ ଦୃତ ଗତିରେ ଖସି ପଳାଇ ଯାଇଥିଲା।

ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ସ୍ତ୍ରୀର ମୃତ୍ୟୁ ଘଟିଥିବା ବେଳେ ସ୍ବାମୀ ସାମାନ୍ୟ ଆହତ ହୋଇଥିଲେ । ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମୃତକ ଜଣକ ବିଶୋଇ ଥାନା କାଦପାଣି ଗ୍ରାମର ସ୍ବପ୍ନା ବୈଠା(୨୫) ବୋଲି ଜଣାପଡିଛି। ସେପଟେ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିବା ବେଳେ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ଜାତୀୟ ରାଜପଥ ଅବରୋଧ କରିଥିଲେ ।
ଘଟଣାସ୍ଥଳରେ ରାଇରଙ୍ଗପୁର ଏସଡିପିଓ ଗାୟତ୍ରୀ ପ୍ରଧାନ, ବହଳଦା ଥାନାଅଧିକାରୀ ଯଗେନ୍ଦ୍ର ମଲ୍ଲିକ ପହଞ୍ଚି ବୁଝାସୁଝା କରିବା ପରେ ୫୦ ହଜାର ଟଙ୍କା କ୍ଷତିପୂରଣ ଦେବା ପରେ ଦୀର୍ଘ ୯ ଘଣ୍ଟା ପରେ ରାସ୍ତା ଅବରୋଧରୁ ଓହରି ଥିଲେ । ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନାକୁ ପଠାଇଛି। ଏନେଇ ବହଳଦା ଥାନାରେ କେସ ନଂ ୬୦/୨୧ ରେ ଏକ ମାମଲା ରୁଜ୍ଜୁ ହୋଇଛି ।ତେବେ ଗୋଟିଏ ମାସ ଭିତରେ ଲୁହାପଥର ଟ୍ରାନ୍ସପୋର୍ଟ ଗାଡ଼ି ଧକ୍କାରେ ୪ଜଣଙ୍କ ଜୀବନ ଯାଇଥିବା ବେଳେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।

ସମ୍ବନ୍ଧିତ ଖବର