କନ୍ଧମାଳ: ଅଦିନିଆ ବର୍ଷା ପରେ ଲେଉଟିଲା ଶୀତ, ଦାରିଙ୍ଗବାଡ଼ିରେ ତାପାମାତ୍ରା ୮.୫ ଡିଗ୍ରି

ତୁମୁଡିବନ୍ଧ/ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିରେ ଶୁକ୍ରବାର ସକାଳୁ ସର୍ବନମ୍ନ ତାପମାତ୍ରା ୮.୫ ଡିଗ୍ରି ରେକର୍ଡ କରାଯାଇଛି। ସେହିପରି ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ଆଜି ସନ୍ଧ୍ୟା ୫ଟାରେ ତାପମାତ୍ରା ୧୦.୫ ଡିଗ୍ରି ରେକର୍ଡ କରାଯାଇଛି। କିଛି ଦିନ ତଳେ ଅଦିନିଆ ବର୍ଷା ଯୋଗୁଁ ଲୋକଙ୍କୁ ଶୀତରୁ ସାମାନ୍ୟ ଆଶ୍ୱସ୍ତି ମିଳିଥିବା ବେଳେ ବୁଧବାର ଠାରୁ ଶୀତ ଲେଉଟିଛି। କନ୍ଧମାଳ ଜିଲ୍ଲାର ଅନ୍ୟ ଅଂଚଳରେ ମଧ୍ୟ ଲୋକଙ୍କୁ ଶୀତ ଥରାଉଛି। ଶୀତ ସାଙ୍ଗକୁ କୁହୁଡ଼ି ଆହୁରି ଡରାଉଛି। ସୂର୍ଯ୍ୟକିରଣର ପ୍ରଭାବରେ ଯଦିଓ ଲୋକମାନେ ଦିନ ବେଳା ସାମାନ୍ୟ ଆଶ୍ୱସ୍ତି ପାଉଛନ୍ତି, ତଥାପି ସକାଳ ୯ଟା ପୂର୍ବରୁ ଏବଂ ସନ୍ଧ୍ୟା ୫ଟାରେ ପରେ ବଡ଼ କଷ୍ଟରେ ସମୟ ଅତିବାହିତ କରୁଛନ୍ତି।

ସେହିପରି ବାଲିଗୁଡା, ତୁମୁଡିବନ୍ଧ, କୋଟଗଡ, ରାଇକିଆ, ଗୋଛାପଡା, ବାଲନ୍ଦାପଡା, ଫିରିଙ୍ଗିଆ, ଚକାପାଦ, ବ୍ରାହ୍ଣଣୀଗାଁ, ବେଲଘର ଅଞ୍ଚଳରେ ତାପମାତ୍ରା ୧୦ରୁ ୧୨ ଡିଗ୍ରୀ ମଧୢରେ ରହିଛି। ପାଣିପାଗ ବିଭାଗ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଉ ୩-୪ ଦିନ ପରେ ଶୀତର ପ୍ରକୋପ ବଢିବ। ଏପରିକି ତାପମାତ୍ରା ୫-୬ ଡିଗ୍ରୀ ଖସିବା ସମ୍ଭାବନା ରହିଛି। ତେଣୁ ଏଭଳି ସ୍ଥିତିରେ ଗରିବ ଅସହାୟଙ୍କୁ ଶୀତବସ୍ତ୍ର ଯୋଗାଇ ଦେବା ଏବ˚ ବସଷ୍ଟାଣ୍ତ ସହ ଅନ୍ୟାନ୍ୟ ଜନଗହଳିପୂର୍ଣ୍ଣ ସ୍ଥାନ ମାନଙ୍କରେ ଶୀତ ଆଶ୍ରୟସ୍ଥଳୀ ନିର୍ମାଣ କରିବାକୁ ପ୍ରଶାସନ ପକ୍ଷରୁ ଏବେଠୁ ପ୍ରସ୍ତୁତ ରହିବାକୁ ବିଭିନ୍ନ ମହଲରୁ ଦାବି ହୋଇଛି।

ଅନ୍ୟପକ୍ଷ‌େର ଶୀତ ମଜା ଉଠାଇବା ନିମନ୍ତେ କନ୍ଧମାଳବାସୀ ପ୍ରସ୍ତୁତ ହୋଇ ପଡିଛନ୍ତି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧୢ କନ୍ଧମାଳକୁ ଦେଶ ଓ ବିଦେଶରୁ ପର୍ଯ୍ୟଟକଙ୍କ ଆଗମନ ଆରମ୍ଭ ହୋଇଯାଇଛି। ଏଥିନିମନ୍ତେ ଫୁଲବାଣୀ ଓ ଦାରିଙ୍ଗବାଡିର ବିଭିନ୍ନ ହୋଟେଲ, ଲଜ ଓ ଡାକବଙ୍ଗଳା ବି ଭିଡ ଜମିବାରେ ଲାଗିଛି। ବର୍ଷର ଅନ୍ୟ ସମୟରେ କାରବାର ମାନ୍ଦା ରହୁଥିବା ବେଳେ ଏହି ଶୀତ ଦିନେ ବେଶ ଦିପଇସା ରୋଜଗାର କରିବା ଲକ୍ଷ୍ୟରେ ମାଲିକ ମାନେ ଟଙ୍କା ଖର୍ଚ୍ଚ କରି ହୋଟେଲ ଓ ଲଜକୁ ସାଜସଜା ଓ ଆକର୍ଷଣ କରିଛନ୍ତି। ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ଗୁଡିକ ଏବେଠୁ ଚଳଚଞ୍ଚଳ ହୋଇ ପଡିଲାଣି। ପର୍ଯ୍ୟଟକଙ୍କ ସୁବିଧା ନିମନ୍ତେ ପ୍ରଶାସନ ଓ ସ୍ଥାନୀୟ ସ୍ବେଛାସେବୀ ବିଭିନ୍ନ ବ୍ୟବସ୍ଥା ଆୟୋଜନ କରୁଥିବା ଜଣା ପଡିଛି।

ସମ୍ବନ୍ଧିତ ଖବର