ଦୁଃଖଦ ଘଟଣା: ସାଙ୍ଗମାନଙ୍କ ସହ ପାର୍ଟିରେ ବ୍ୟସ୍ତ ଥିଲା ମା’, ଭୋକରେ ଚାଲିଗଲା ଶିଶୁର ଜୀବନ

ନୂଆଦିଲ୍ଲୀ: ସନ୍ତାନ ପାଇଁ ମା’ ଜୀବନ ଦେବାକୁ ପଛାଇ ନଥାଏ। ନିଜ ଛୁଆର ଜୀବନ ବଞ୍ଚାଇବା ପାଇଁ ମା’ ମୃତ୍ୟୁ ସହିତ ଲଢ଼େଇ କରିବାକୁ ବି ଆଗେଇ ଆସିଥାଏ। କିନ୍ତୁ ଋଷରେ ଜଣେ ୨୫ବର୍ଷୀୟ ମା’ ସାଙ୍ଗମାନଙ୍କ ସହିତ ଭୋଜିରେ ମଜାମସ୍ତି କରିବାରେ ବ୍ୟସ୍ତ ଥିବା ବେଳେ ଘରେ ଭୋକ ଉପବାସରେ ଶିଶୁର ଜୀବନ ଚାଲି ଯାଇଥିବା ଜଣାପଡ଼ିଛି।

ଋଷର ଜଲାଟାଉଷ୍ଟରେ ରହୁଥିବା ୨୫ବର୍ଷୀୟ ମହିଳା ଓଲଗା ବାଜରୋୱା ସ୍ବାମୀଙ୍କ ଠାରୁ ଅଲଗା ରହନ୍ତି। ସେ ନିଜ ସାଙ୍ଗମାନଙ୍କ ସହିତ ପାର୍ଟି କରିବାକୁ ଯାଇ ନିଜର ଶିଶୁକୁ ମୃତ୍ୟୁମୁଖକୁ ଠେଲି ଦେଇଛନ୍ତି। ଓଲଗା ନିଜର ୧୧ର ମାସର ପୁଅ ସେବଳି ଓ ୩ବର୍ଷର ଝିଅକୁ ଘରେ ବନ୍ଦ କରି ପାର୍ଟି କରିବା ପାଇଁ ଚାଲି ଯାଇଥିଲେ।

ସେଠାରେ ଏତେମାତ୍ରାରେ ମଦ୍ୟପାନ କରିଥିଲେ ଯେ ଚାରିଦିନ ପର୍ଯ୍ୟନ୍ତ ଘରକୁ ଫେରି ନଥିଲେ। ପରେ ଘରକୁ ଆସିବା ପରେ ଭୋକ ଉପବାସରେ ୧୧ମାସ ପୁଅର ମୃତ୍ୟୁ ହୋଇ ଯାଇଥିବା ବେଳେ ତିନିବର୍ଷର ଝିଅ ଅବସ୍ଥା ଗୁରୁତର ଥିଲା।

ଏହି ଘଟଣା  ଓଲଗାଙ୍କ ଶାଶୁ  ଜାଣିବା ପରେ ସେ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଓଲଗାଙ୍କୁ ଗିରଫ କରିଥିବା ବେଳେ ଝିଅକୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ସମ୍ବନ୍ଧିତ ଖବର