ରିଆମାଳ: ଦେବଗଡ଼ଜିଲ୍ଲା ରିଆମାଳ ବ୍ଲକରେ ପୁଣି ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ବ୍ଲକର କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ ବୁଢାପାଳ ପଞ୍ଚାୟତ ଅନ୍ତର୍ଗତ ତିଲେଇପଶି ଗୁଦୁରାସାହିରେ ରାତି ୨ ଟା ୩୦ ମିନିଟରେ ଘରେ ଶୋଇଥିବା ମହିଳାଙ୍କୁ ଟାଣି ଆଣି ଦନ୍ତା ହାତୀଟି ଦଳି ଦେଇଛି। ମୃତ ମହିଳା ହେଉଛନ୍ତି ଜିତୁ ମାହାରଙ୍କ ସ୍ତ୍ରୀ ପୂଜା ମାହାର(୩୦)। ଗତକାଲି ସନ୍ଧ୍ୟାରୁ ଉକ୍ତ ଅଞ୍ଚଳରେ ହାତୀ ପଲ ଆସି କ୍ଷୟକ୍ଷତି କରୁଥିବା ବେଳେ ବନ ବିଭାଗ ଆସି ଘଉଡ଼ାଇଥିଲା।
ସମସ୍ତ ହାତୀ ପଳାଇ ଥିବାବେଳେ ଏହି ଦନ୍ତା ହାତୀଟି ରହି ଯାଇ ବିଳମ୍ବିତ ରାତିରେ ହାତୀଟି ଗାଁ ଭିତରକୁ ପଶି ଆସିଥିଲା। ସମସ୍ତେ ଖାଇ ପିଇ ସାରି ଶୋଇଥିଲେ। ଶୋଇଥିବା ବେଳେ ଘରର କାନ୍ଥ ଭାଙ୍ଗି ମହିଳାଙ୍କୁ ଟାଣି ଆଣି ଦଳି ଦେଇଛି।
ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ସ୍ବାମୀ, ପୁଅ ଓ ଦୁଇ ଝିଅ ଅଳ୍ପକେ ବର୍ତ୍ତିଯାଇ ଥିଲେ। ଚିତ୍କାର କରିବାରୁ ସ୍ଥାନୀୟ ଜନସାଧାରଣ ଆସି ହାତୀକୁ ଘଉଡ଼ାଇଥିଲେ। ଶବ ପଡ଼ି ରହିଥିବାବେଳେ ମହିଳାଙ୍କ ମୃତ୍ୟୁରେ ଅଞ୍ଚଳରେ ଅସନ୍ତୋଷ ସୃଷ୍ଟି ହୋଇଛି। ବନବିଭାଗ ଓ ପୁଲିସ ପହଞ୍ଚି ତଦନ୍ତ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)