ପୁରୀ: ସ୍ୱର୍ଗଦ୍ୱାରରେ ସରିନାହିଁ ଜୀବନ ଯାତ୍ରା, ସ୍ୱର୍ଗଦ୍ୱାର ହୋଇନାହିଁ ଶେଷ ଠିକଣା | ମହାପ୍ରଭୁଙ୍କ କରୁଣାରୁ ସ୍ୱର୍ଗଦ୍ୱାରରୁ ଫେରିଛନ୍ତି ୮୬ ବର୍ଷୀୟ ଶ୍ରଦ୍ଧାଳୁ | କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏକଥା ଏକଦମ ସତ | ଜୁଇରେ ଜଳିଯିବା ଆଗରୁ ଜଣେ ବୃଦ୍ଧା ମହିଳାଙ୍କ ଦେହରେ ଜୀବନ ଥିବାର ଜଣାପଡିଥିଲା, ଆଉ ବୃଦ୍ଧାଙ୍କ ନିଶ୍ୱାସପ୍ରଶ୍ୱାସ ଚାଲୁଥିବାର ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ | ବାସ୍ତବରେ ଗଞ୍ଜାମ ଚିକିଟି ପୋଲସରାର ପି ଲକ୍ଷ୍ମୀ (୮୬)ଙ୍କୁ ଆଜି ଅପରାହ୍ନରେ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର ପାଇଁ ଆମ୍ବୁଲାନ୍ସରେ ଅଣାଯାଇଥିଲା |

Advertisment

ବୟସାଧିକ୍ୟ ଯୋଗୁଁ ଆଜି ପି ଲକ୍ଷ୍ମୀ କିଛି କଥା କହୁନଥିବାବେଳେ ପରିବାର ଲୋକ ଭାବିଥିଲେ ଯେ ତାଙ୍କର ମୃତ୍ୟୁ ହୋଇଯାଇଛି | ଆଉ ଲକ୍ଷ୍ମୀଙ୍କ ଶେଷ ଇଚ୍ଛା ମୁତାବକ ତାଙ୍କୁ ସ୍ୱର୍ଗଦ୍ୱାରକୁ ଆଣିଥିଲେ | ତେବେ ସ୍ୱର୍ଗଦ୍ୱାରରେ ଯେତେବେଳେ ଲକ୍ଷ୍ମୀଙ୍କୁ ଦାହ କରିବାକୁ ସବୁ ବ୍ୟବସ୍ଥା କରାଯାଉଥିଲା, ସେତେବେଳେ ସ୍ୱର୍ଗଦ୍ୱାର ମ୍ୟାନେଜର ବୃଦ୍ଧା ବଞ୍ଚିଥିବା ଜାଣିବାକୁ ପାଇଥିଲେ l ବୃଦ୍ଧାଙ୍କ ନିଶ୍ୱାସ ପ୍ରଶ୍ୱାସ ଚାଲୁଥିଲା l

ଆଉ ଏହା ଦେଖିବା ପରେ ତୁରନ୍ତ ମ୍ୟାନେଜର ଆମ୍ବୁଲାନ୍ସ ଡ଼କାଇବା ସହ ବୃଦ୍ଧାଙ୍କୁ ତାଙ୍କ ପରିବାର ସହଯୋଗରେ ପୁରୀ ମେଡିକାଲ ଆଣିଥିଲେ l ଡାକ୍ତରଖାନାରେ ଲକ୍ଷ୍ମୀଙ୍କୁ ଭର୍ତ୍ତି କରାଯାଇଥିବାବେଳେ ସେ ଜୀବିତ ଥିବା ଡାକ୍ତର ମଧ୍ୟ ପ୍ରକାଶ କରିଥିଲେ | ଏବେ ତାଙ୍କ ପୁରୀ ମେଡିକାଲରେ ଚିକିତ୍ସା ଚାଲିଛି |