ଆଇସିସି ଟି-୨୦ ମହିଳା ବିଶ୍ବକପ୍‌ ଫାଇନାଲ୍‌: ଟସ୍ ଜିଣି ବ୍ୟାଟିଂ ଆରମ୍ଭ କରିଲା ଅଷ୍ଟ୍ରେଲିଆ ଟିମ୍

ମେଲବର୍ନ: ମାର୍ଚ ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସରେ ମହିଳା କ୍ରିକେଟର୍‌ମାନେ ମହା ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି। ଆଜି ମେଲବର୍ନ କ୍ରିକେଟ୍‌ ଗ୍ରାଉଣ୍ଡରେ ଖେଳାଯାଉଛି ଆଇସିସି ଟି-୨୦ ମହିଳା ବିଶ୍ବକପ୍‌ ଫାଇନାଲ୍‌। ୪ ଥର ବିଜେତା ଅଷ୍ଟ୍ରେଲିଆ ଆଗରେ ପ୍ରଥମ ଥର ଫାଇନାଲ୍‌ ଆସିଥିବା ଭାରତ। ଆଜି ଟସ୍ ଜିଣି ଅଷ୍ଟ୍ରେଲିଆ ମହିଳା ଟିମ୍ ବ୍ୟାଟିଂ ଆରମ୍ଭ କରିଛି। ଏହି ରିପୋର୍ଟ ପ୍ରସ୍ତୁତ ହେବା ବେଳକୁ କୌଣସି ଉଇକେଟ୍ ନ ହରାଇ  ଅଷ୍ଟ୍ରେଲିଆ ମହିଳା ଟିମ୍ ୧୪ ରନ୍ ସଂଗ୍ରହ କରିଛି। ବିଶ୍ବକପରେ ଏପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ୍‌ ହାରିନି ଭାରତ, ଲିଗ୍‌ ପର୍ଯ୍ୟାୟରେ ଅଷ୍ଟ୍ରେଲିଆକୁ ହରାଇଥିଲା ଭାରତ।

ସୂଚନାଯୋଗ୍ୟ, ବିଶ୍ବର ଏକ ନମ୍ବର ଦଳ, ଅୟୋଜକ ଦେଶ ଏବଂ ସର୍ବାଧିକ ଥର ବିଜେତା ହେଉଛି ଅଷ୍ଟ୍ରେଲିଆ। ଫାଇନାଲ୍ ମ୍ୟାଚ୍‌ ପାଇଁ ୭୫,୦୦୦ରୁ ଊର୍ଧ୍ବ ପ୍ରଶଂସକ ବି ଟିକେଟ୍‌ କିଣି ସାରିଛନ୍ତି। ଏତେ ଉତ୍ସୁକତା ଆଗରୁ ଦେଖା ଦେଇନଥିଲା। ଉଦ୍‌ଘାଟନୀ ମ୍ୟାଚ୍‌ରେ ଏହି ଦୁଇ ଦେଶ ମୁହାଁମୁହିଁ ହୋଇଥିଲେ। ହରମନପ୍ରୀତ୍ କୌରଙ୍କ ଦଳ କିନ୍ତୁ ବାଜି ମାରି ପ୍ରଥମରୁ ଘରୋଇ ଦଳକୁ ଶକ୍ତ ଝଟ୍‌କା ଦେଇଥିଲା। କଙ୍ଗାରୁ ଦଳ କିନ୍ତୁ ଗ୍ରୁପ୍‌ ‘ଏ’ରେ ଭାରତ ତଳକୁ ରହି ସେମିଫାଇନାଲ୍ ପହଞ୍ଚିଯାଇଥିଲା। ଇଂଲଣ୍ଡ ବିପକ୍ଷ ସେମିଫାଇନାଲ୍‌ ବର୍ଷା ଧୋଇନେବାରୁ ଭାରତ ଗ୍ରୁପ୍ ଟପ୍ପର ଭାବେ ଫାଇନାଲ୍ ଆସିଥିଲା।

ଅଷ୍ଟ୍ରେଲିଆ କିନ୍ତୁ ଦକ୍ଷିଣ ଆଫ୍ରିକାକୁ ଡିଏଲ୍‌ ନିୟମରେ ହରାଇ ଟ୍ରଫି ଲଢ଼େଇରେ ଅବତୀର୍ଣ୍ଣ ହୋଇଛି। ମେଗ୍‌ ଲାନିଙ୍ଗ୍‌ଙ୍କ ଅଷ୍ଟ୍ରେଲିଆ ଦଳ ବିଜୟକୁ ଅଭ୍ୟାସରେ ପରିଣତ କରିଥିବାରୁ ନର୍ଭସ ଭାରତ କେବଳ ଲିଗ୍‌ ବିଜୟକୁ ଦୋହରାଇ ଆଇସିସି ମୁକୁଟ ସ୍ବପ୍ନକୁ ସାକାର କରିବା ଆଶାରେ ରହିଛି।

ସମ୍ବନ୍ଧିତ ଖବର