ବରିଷ୍ଠ ନିର୍ଯାତନା ସଚେତନତା ଦିବସ-ଏକ ଅନୁଶୀଳନ

ରାଜକିଶୋର ସାମନ୍ତରାୟ

ବିଶ୍ୱ ବରିଷ୍ଠ ନିର୍ଯାତନା ସଚେତନତା ଦିବସ ଆଜି।  ବରିଷ୍ଠଙ୍କ ସୁରକ୍ଷା ଦିଗରେ ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ। ସଂଯୁକ୍ତ ରାଷ୍ଟ୍ରସଂଘ ପ୍ରାୟୋଜିତ ଏହି କାର୍ଯ୍ୟକ୍ରମ ପ୍ରତି ବର୍ଷ ଜୁନ ୧୫ ତାରିଖରେ ପାଳନ କରାଯାଉଛି । ଏହାର ଏକମାତ୍ର ଲକ୍ଷ- ବରିଷ୍ଠଗଣ କିଭଳି ଦୁଃଖ ନିର୍ଯାତନା ମୁକ୍ତ ଏକ ସୁଖଦ ଜୀବନ ବିତାଇ ପାରିବେ। ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମର ଜାତିସଂଘ ଜାରି ରଖିଛି ତାର ନିରନ୍ତର ପ୍ରୟାସ – ଜନ ଜାଗରଣ ସୃଷ୍ଟି କରିବା , ବରିଷ୍ଠଙ୍କ ପରିବାର, ସମାଜ ତଥା ସରକାରଙ୍କୁ ସଚେତନତା ସହିତ ନିର୍ଯାତନା ବିରୁଦ୍ଧ ଲଢ଼େଇରେ ସାମିଲ କରିବା ।

ନିର୍ଯାତନାର ରୂପରେଖ :

ଭିନ୍ନ ଭିନ୍ନ ପରିପ୍ରେକ୍ଷୀରେ ବରିଷ୍ଠ ନିର୍ଯାତନାର ଶିକାର ହୋଇଥାଏ । ସଂଜ୍ଞା ନିରୂପଣ ପୂର୍ବକ ଏତିକି କୁହାଯାଇ ପାରେ, ” ମନ୍ଦ ଅଥବା ଅଭିସନ୍ଧି ମୂଳକ ଉଦ୍ଦେଶ୍ୟ ରଖି ଏଭଳି କିଛି କାର୍ଯ୍ୟ ଏବଂ ବ୍ୟବହାର ପ୍ରଦର୍ଶନ କରାଯାଏ, ଯାହା ବରିଷ୍ଠଙ୍କୁ କ୍ଷତି ପହଞ୍ଚାଇବା ସହିତ ସମ୍ଭାବ୍ୟ ବିପଦ ସୃଷ୍ଟି କରିଥାଏ | ସେ ହେଉଛନ୍ତି ବରିଷ୍ଠ ଯାହାଙ୍କ ବୟସ ଷାଠିଏ ଅଵା ତଦୁର୍ଦ୍ଧ | ବରିଷ୍ଠଙ୍କ ସେବା ଶୁଶ୍ରୁଷା ଦାୟିତ୍ୱରେ ଥିବା ନିଜର ଏବଂ ଯେଉଁମାନଙ୍କ ଉପରେ ବିଶ୍ୱାସ ରଖିଥାନ୍ତି, ଦେଖାଯାଏ ସେମାନଙ୍କ ପାଖରୁ ନିର୍ଯାତନାର ସୂତ୍ରପାତ ହୋଇଥାଏ।”

ସମସ୍ୟା ପଛର କାରଣ:

* ବଞ୍ଚିବାର ସର୍ବନିମ୍ନ ଆବଶ୍ୟକତାରୁ ବଞ୍ଚିତ କରିବା । ଖାଦ୍ୟ, ପରିଧାନ, ସୁସ୍ଥ ଆଶ୍ରୟସ୍ଥଳୀ ଏବଂ ଜରୁରୀ ଔଷଧ ଯୋଗାଇବାରେ ଚରମ ଅବହେଳା ।
* ଶାରୀରିକ ନିର୍ଯାତନା: ସାଧାରଣ କଥାକୁ ନେଇ ଏବର ଛୁଆମାନେ ବୃଦ୍ଧ ପିତା ମାତା ତଥା ସମ୍ପର୍କୀୟଙ୍କୁ ଶାରୀରିକ ଆକ୍ରମଣ ଏବଂ ଆଘାତ ଦେବା ଏକ ସାଧାରଣ ଘଟଣା ।
* ସେବାଶୁଶ୍ରୁଷା ପ୍ରଦାନରେ ସମ୍ପୂର୍ଣ୍ଣ ବିମୁଖତା | ନିଜ ଲୋକଙ୍କ ଭାବନା ଏହିପରି ; ଯିଏ କୌଣସି କାମକୁ ନୁହେଁ, ଅଧିକ ଦିନ ବଞ୍ଚି ରହିବା ଆବଶ୍ୟକତା କ’ଣ ?
* ବରିଷ୍ଠଙ୍କ ଶେଷ ସମ୍ବଳ ଘରଟିଏ ଅଥବା କିଛି ସଞ୍ଚୟ ତାକୁ ଅକ୍ତିଆର କରିବା ଯୋଜନାରେ ବିଫଳ ହେଲେ, ଆରମ୍ଭ ହୁଏ କଳହ ଏବଂ ଦୁର୍ବ୍ୟବହାର ।
* ଅପରିଷ୍କାର ପରିବେଶ ଏବଂ ଅଲଗା କୋଠରୀରେ ବନ୍ଦୀ ଭାବରେ ବିନା ସେବାଯତ୍ନରେ ରଖାଯିବା ।
* ସମ୍ପତ୍ତି ଅପହରଣ ଏବଂ ଆର୍ଥିକ ଶୋଷଣ। ବିନା ଅନୁମତି ଏବଂ ପରାମର୍ଶରେ ଜରାଗ୍ରସ୍ତ ବୟସ୍କ ବ୍ୟକ୍ତିଙ୍କ ଅର୍ଥ ଏବଂ ସମ୍ପତ୍ତି ହରିଲୁଟ କରିବା ।
* ଭାବନାତ୍ମକ ଓ ମନୋବୈଜ୍ଞାନିକ ଦୁର୍ବ୍ୟବହାର, କୁଟିଳତାର ଏକ ନଗ୍ନ ପ୍ରଦର୍ଶନ | ସମ୍ଭ୍ରାନ୍ତ ତଥା ଶିକ୍ଷିତ ପରିବାରରେ ଏପରି ଦୁର୍ବ୍ୟବହାର ମାତ୍ରା ଅଧିକ ।
* ଆର୍ଥିକ ଅନାଟନ ସହ ରହିବା ପାଇଁ ଗୃହରେ ଜାଗାର
ଅଭାବ । ଏ କ୍ଷେତ୍ରରେ ରୋଗରେ ପୀଡ଼ିତ ବୟୋବୃଦ୍ଧ ମାତ୍ରାଧିକ ଅବହେଳାର ଶିକାର ହୋଇଥାନ୍ତି ।
* ଦୂରୟ ଦୁରାନ୍ତରେ କାର୍ଯ୍ୟରତ କିଛି ସନ୍ତାନ ବୃଦ୍ଧ ପିତା ମାତାଙ୍କ ଦାୟିତ୍ୱ ସମ୍ପୂର୍ଣ୍ଣ ଭୁଲି ଯାଆନ୍ତି ।ଏତେ ସ୍ୱାର୍ଥପର ଏବଂ ଆତ୍ମ କୈନ୍ଦ୍ରିକ ହୋଇ ଯାଆନ୍ତି, ଉଚ୍ଚ ଶିକ୍ଷା ପାଇଁ ନେଇଥିବା ଋଣ ମଧ୍ୟ ପରିଶୋଧ କରନ୍ତି ନାହିଁ ।
* ସ୍ୱତନ୍ତ୍ର ସୁବିଧା ଅଭାବରୁ ବରିଷ୍ଠଗଣ ବ୍ୟାଙ୍କ, ସରକାରୀ , ବେସରକାରୀ ଏବଂ ପୋଷ୍ଟ ଅଫିସ ଗୁଡ଼ିକରେ ଅବହେଳା ଏବଂ ନିର୍ଯାତନାର ଶିକାର ହୁଅନ୍ତି ।ହସ୍ପିଟାଲରେ ଡାକ୍ତର ନର୍ସଙ୍କ ଦ୍ୱାରା ଅବହେଳାର ସଂଖ୍ୟା କିଛି କମ ନୁହେଁ ।

ଦୁର୍ବ୍ୟବହାର ଏବଂ ଏହାର କୁପରିଣାମ :

ଅବହେଳା ଏବଂ ଯନ୍ତ୍ରଣାଦାୟକ ବ୍ୟବହାର ଶାରୀରିକ ତଥା ମାନସିକ ସ୍ତରରେ ପ୍ରଚଣ୍ଡ ଆଘାତ ଦେଇଥାଏ । ଅନେକ ସାରା ଜୀବନ ଯନ୍ତ୍ରଣା ଜର୍ଜରିତ ଅଥବା ରୋଗଗ୍ରସ୍ତ ହୋଇ ଶୀଘ୍ର ମୃତ୍ୟୁ ବରଣ କରନ୍ତି | କୌଣସିମତେ ଅବଶିଷ୍ଟ ଜୀବନ ବିତାଇବା ପାଇଁ, କିଛି ଶ୍ରେୟ ମନେ କରନ୍ତି ଜରା ନିବାସକୁ  । ମାନସିକ ସନ୍ତୁଳନ ହରାଇ ଅନେକ ନିଜର ଯତ୍ନ ନେଇ ପାରନ୍ତି ନାହିଁ ।ପରିଣାମ, ଅନେକ ବୃଦ୍ଧ ବୃଦ୍ଧା ପାଗଳ ଅଥବା ଭିକାରି ଭାବେ ଜୀବନ ବିତାଇଥାନ୍ତି।

ସୁଧାର ଦିଗରେ ପ୍ରତିକାର ବ୍ୟବସ୍ଥା:

* ସମାଜ, ସାମାଜିକ ସଙ୍ଗଠନ ଏବଂ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପୋଲିସ ବିଭାଗ ଏମାନଙ୍କ ଅବଦାନ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ।
* ବରିଷ୍ଠଙ୍କ ସହିତ ଯୋଗାଯୋଗରେ ଥିଲେ ହିଁ ସାହାଯ୍ୟ କରିବା ସମ୍ଭବ ହୁଏ | ଧୈର୍ଯ୍ୟର ସହିତ ଶୁଣିବା ଦରକାର କ’ଣ ତାଙ୍କର ସମସ୍ୟା, ତା ପରେ ପ୍ରତିକାର ଏବଂ ସହଯୋଗର ସୁଯୋଗ ମିଳିପାରେ ।
* ବାର୍ଦ୍ଧକ୍ୟ ଜନିତ ଶାରୀରିକ ଅସୁସ୍ଥତା ଏବଂ ଅବହେଳା- ଏ ଦୁଇଟି ମଧ୍ୟରେ ଥିବା ପ୍ରଭେଦକୁ ବୁଝିବା ଦରକାର।
* ବରିଷ୍ଠ ବ୍ୟକ୍ତି ଏବଂ ପରିବାର ସଦସ୍ୟ ଯାହାଙ୍କ କଥା ମାନୁଛନ୍ତି ସମ୍ମାନ ଦେଉଛନ୍ତି, ତାଙ୍କ ମାଧ୍ୟମରେ ସମାଧାନ ସହଜ ଓ ଦୀର୍ଘସ୍ଥାୟୀ ହୋଇଥାଏ ।
* ସମାଧାନ ପ୍ରଚେଷ୍ଟା ବିଫଳ ହେଲେ, ପୋଲିସ ଅବା ବିଭାଗୀୟ ଅଧିକାରୀଙ୍କୁ ଜଣାଇବା ଜରୁରୀ ।ହେଲ୍ପଏଜ୍ ଇଣ୍ଡିଆ ପରି ଅନେକ ସାମାଜିକ ସଙ୍ଗଠନ ଏ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି ।
* ଅବସ୍ଥା ଗୁରୁତର ଥିଲେ, ସଙ୍ଗେ ସଙ୍ଗେ ହସ୍ପିଟାଲ ନେବାର ବ୍ୟବସ୍ଥା ଅତ୍ୟନ୍ତ ଜରୁରୀ | ବରିଷ୍ଠଙ୍କ ହେଲ୍ପ ଲାଇନ ନମ୍ବର ୧୦୯୦ ଏବଂ ୧୪୫୬୭କୁ ଫୋନ କଲେ ସାହାଯ୍ୟ ମିଳି ପାରିବ | ଆବଶ୍ୟକ ସ୍ଥଳେ ପୋଲିସର ସାହାଯ୍ୟ ନେବା ଉଚିତ ହେବ ।

ବିକଳ୍ପ ବ୍ୟବସ୍ଥା: 

ସାମାଜିକ ସଙ୍ଗଠନ , ବରିଷ୍ଠ ନାଗରିକ ସଂଘ, ସରକାରୀ ଅନୁଷ୍ଠାନ ଯଥା ପୋଲିସ, ସ୍ୱାସ୍ଥ୍ୟ ବିଭାଗଙ୍କ ସମ୍ପୃକ୍ତି ଅନେକ ବରିଷ୍ଠଙ୍କ ଜୀବନ ରକ୍ଷା କରି ପାରୁଛି  । ସମସ୍ତ ପ୍ରୟାସ ବିଫଳ ହେଲେ ନ୍ୟାୟାଳୟର ସାହାଯ୍ୟ ନେବାକୁ ପଡ଼ିଥାଏ | ଏ କ୍ଷେତ୍ରରେ “ମାତା ପିତା ଏବଂ ବରିଷ୍ଠ ନାଗରିକଙ୍କ ଭରଣପୋଷଣ ତଥା କଲ୍ୟାଣ ଅଧିନିୟମ , ୨୦୦୭” ( Maintenance and Welfare of Parents and Senior Citizens Act,2007) ଅନୁଯାୟୀ ସ୍ଥାନୀୟ ଟ୍ରିବ୍ୟୁନାଲରେ କେସ ଦାୟାର କରିବା ହେଉଛି ଶେଷ ବିକଳ୍ପ ।

ଉତ୍ସର୍ଗୀକୃତ ଏଇ ଦିବସରେ ଏତିକି ଆଶା କରିବା, ସମାଜ ଏବଂ ସରକାର ଦୃଢ଼ ଭାବରେ ବରିଷ୍ଠଙ୍କ ସପକ୍ଷରେ ଠିଆ ହେବେ; ଅବହେଳା ଏବଂ ନିର୍ଯାତନା ବିରୁଦ୍ଧରେ ଶୂନ୍ୟ ସହନଶୀଳତା ନୀତି ଆପଣେଇବାର ଶପଥ ନେବେ।ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରର ସଂଗଠନ ଗୁଡ଼ିକ ନିର୍ଯାତନାର କୁପରିଣାମ ସମ୍ବନ୍ଧରେ ଅବଗତ ପୂର୍ବକ ବରିଷ୍ଠଙ୍କ ପାଇଁ ସ୍ଥିରୀକୃତ ନିୟମ ବିଷୟରେ ଅନବରତ ସଚେତନ କରାଇଲେ ପରିସ୍ଥିତିରେ ନିଶ୍ଚୟ ସୁଧାର ଆସିବ।ବରିଷ୍ଠ ନାଗରିକ ଏବଂ ସାମାଜିକ ସଂଗଠନ ମାନଙ୍କର ଭୂମିକା ମଧ୍ୟ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ।ସଂଘ ସମୂହ ଏକ ହୋଇ ଅନ୍ୟାୟ ଏବଂ ଦୁର୍ବ୍ୟବହାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ହେଉଛି ସମୟର ଆହ୍ୱାନ ।

-ଯୁଗ୍ମ ସମ୍ପାଦକ,ଓଡ଼ିଶା ବରିଷ୍ଠ ନାଗରିକ ମହାସଂଘ

ସମ୍ବନ୍ଧିତ ଖବର