ଆହତ ଯୁବକଙ୍କୁ ବଞ୍ଚାଇବାକୁ ଯାଇ ରେଳ ଧାରଣାରେ ଠିଆ ହୋଇ ଚଳନ୍ତା ଟ୍ରେନକୁ ରୋକିଲେ ଏମ୍‌ବିଏ ଛାତ୍ର

ମୁମ୍ବାଇ : ମୁମ୍ବାଇରେ ଦେଖିବାକୁ ମିଳିଛି ଏକ ମାନବିକତାର ଏକ ବିରଳ ଉଦାହରଣ । ନିଜ ଜୀବନକୁ ବାଜି ଲଗାଇ  ଆହାତ ଯୁବକଙ୍କୁ ବଞ୍ଚାଇଛନ୍ତି ଜଣେ ଏମ୍‌ବିଏ ଛାତ୍ର । ରେଳ ଧାରଣା ଉପରେ ଠିଆ ହୋଇ ସାହାସିକତାର ସହ ଟ୍ରେନକୁ ରୋକିବା ପାଇଁ ହାତ ହଲାଇବା ସହ ଆହତ ହୋଇଥିବା ଯୁବକଙ୍କୁ ଧାରଣାରୁ ବାହାରକୁ ଆଣିଥିବା ଜଣା ପଡ଼ିଛି । ଏହା ପରେ ସେ ଆହାତଙ୍କୁ ହସ୍ପିଟାଲ ନେଇ ଚିକିତ୍ସା ମଧ୍ୟ କରାଇଛନ୍ତି।  ଏବେ ଆହତ ଜଣଙ୍କ ଅବସ୍ଥା ସୁଧୁରୁଥିବା ଜଣା ପଡ଼ିଛି ।

ମିଳିଥିବା ସୂଚନା ଅନୁଯାୟୀ, ସୋମବାର ଦିନ ୧୦.୩୦ରେ ଶ୍ରବଣ ପ୍ରେମ ତିଓ୍ଵାରୀ ଚାର୍‌ନି ରୋଡ଼୍‍ ଷ୍ଟେସନରେ ଟ୍ରେନକୁ ଅପେକ୍ଷା କରିଥିଲେ । ଟ୍ରେନ ଆସିଲା କି ନାହିଁ ଦେଖିବା ପାଇଁ ତଳକୁ ନଇଁଥିବା ବେଳେ ରେଳ ଧାରଣାରେ କିଏ ଜଣେ ଶୋଇଥିବା ଭଳି ତାଙ୍କୁ ଲାଗିଥିଲା । ପାଖକୁ ଯାଇ ଦେଖିବା ପରେ ଜଣେ ଯୁବକ ରକ୍ତାକ୍ତ ଅବସ୍ଥାରେ ଧାରଣା ଉପରେ ପଡ଼ିଥିବା ସେ ଦେଖିବାକୁ ପାଇଥିଲେ । ତେବେ, ଯୁବକ ଜଣକ ମରି ଯାଇଥିବା ସନ୍ଦେହ କରି ସେ ଆହତ ଯୁବକଙ୍କ ନାକ ପାଖକୁ ହାତ ନେବା ପରେ ତାଙ୍କର ନିଶ୍ୱାସ ଚାଲୁଥିବାର ସେ ଅନୁଭବ କରିଥିଲେ । କିନ୍ତୁ ସେହି ସମୟରେ ଷ୍ଟେସନ ଆଡ଼କୁ ଟ୍ରେନଟି ଆସୁଥିବା ସେ ଦେଖିବାକୁ ପାଇଥିଲେ। ଏ ପରିସ୍ଥିତିରେ କ’ଣ କରିବେ କିଛି ଠିକ୍‌ କରି ନପାରି ସେ ଧାରଣା ଉପରେ ଠିଆ ହୋଇ ଜୋରରେ ହାତ ହଲାଇବାକୁ ଲାଗିଥିଲେ । ଟ୍ରେନଟି କିଛି ବାଟ ଆଗକୁ ଆସିବା ପରେ ଟ୍ରେନ୍‌ର ପାଇଲଟ ଜଣଙ୍କ ଶ୍ରବଣ ହାତ ହଲାଉଥିବାର ଦେଖିଥିଲେ । ଏହା ପରେ ଚାଳକ ଜଣଙ୍କ ଗାଡ଼ି ରଖିବା ସହ ଜଣେ ଯାତ୍ରୀ ଶ୍ରବଣଙ୍କ ପାଟି ଶୁଣି ତାଙ୍କୁ ସାହାଯ୍ୟ କରିବା ପାଇଁ ଦୌଡ଼ି ଆସିଥିଲେ । ଏହା ପରେ ଦୁଇ ଜଣ ମିଶି ଆହତ ଯୁବକଙ୍କୁ ଧାରଣାରୁ ବାହାର ଆଣିିଥିଲେ ।

ଶ୍ରବଣଙ୍କ କହିବା ଅନୁଯାୟୀ, ସେହି ସମୟରେ ପୋଲିସ ସେଠାରେ ଉପସ୍ଥିତ ଥିଲେ ମଧ୍ୟ ଆମକୁ ସାହାଯ୍ୟ କରିବାର ବିଳମ୍ବ କରିଥିଲେ । ଏହାପରେ ଆମେ ଆହତ ଯୁବକ ଯାହାଙ୍କ ନାମ ଅଶ୍ୱିନ ସାଓ୍ଵନ୍ତ ବୋଲି ଜଣା ପଡ଼ିଛି, ତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲୁ । ଏହା ପରେ ତାଙ୍କ ପରିବାର ଲୋକଙ୍କୁ ଏହି ଦୁର୍ଘଟଣା ବିଷୟରେ ମୁଁ ଫୋନ କରି  ଜଣାଇଥିଲି । ଏବେ  ଅଶ୍ୱିନଙ୍କ ଅବସ୍ଥା ସୁଧୁରୁଛି ବୋଲି ଡ଼ାକ୍ତର ଜଣାଇଥିବା ବେଳେ  ଅଶ୍ୱିନ କିପରି ରେଳ ଧାରଣା ଉପରକୁ ଆସିଲେ ସେ ନେଇ ଏବେ ତଦନ୍ତ ଆରମ୍ଭ ହୋଇଥିବା ଜଣା ପଡ଼ିଛି ।

 

ସମ୍ବନ୍ଧିତ ଖବର