ରାଉରକେଲା/ବୀରମିତ୍ରପୁର/କୁଆରମୁଣ୍ଡା: ଦ୍ରୁତଗତି ମହାବିପତ୍ତି। ଏହା କେବଳ ଗାଡ଼ି ପଛରେ ଲେଖାଯାଇଥିବା ଆପ୍ତ ବାକ୍ୟ ନୁହେଁ, ବରଂ ସମସ୍ତଙ୍କ ପାଇଁ ଏକ ସତର୍କ ସୂଚନା। ତେବେ ଏହି ଦ୍ରୁତଗତି ସୋମବାର ଜଣେ ନାବାଳକଙ୍କ ଜୀବନ ନେଇଛି। ବୀରମିତ୍ରପୁର ଥାନା ଅନ୍ତର୍ଗତ ରାଏବଗା ରୋଡ୍‌ସ୍ଥ ବାଙ୍କି କୁଡ଼ପାଣି ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ବାଇକ୍‌ ଧକା ହେବାରୁ ଘଟଣାସ୍ଥଳରେ ରାଜେଶ ତିଗା (୧୭) ନାମକ ଜଣେ ବାଇକ୍‌ ଚାଳକ ଜୀବନ୍ତଦଗ୍ଧ ହୋଇ ଯାଇଛନ୍ତି। ଅନ୍ୟ ୨ ଜଣ ଏହି ଦୁର୍ଘଟଣା​ରେ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି।

Advertisment

ସୂଚନାନୁଯାୟୀ, ସୋମବାର ସକାଳ ପ୍ରାୟ ସାଢ଼େ ୯ଟା। ଝାଡ଼ଖଣ୍ଡ ସିମ୍‌ଡେଗାର କପଡ଼ା ବ୍ୟବସାୟୀ ଅଶୋକ ଅଗ୍ରୱାଲ (୫୬) ନିଜର ବ୍ୟକ୍ତିଗତ କାମରେ ବାଇକ୍‌ ଯୋଗେ ବୀରମିତ୍ରପୁର ଆସୁଥିଲେ। ସେପଟେ ଅପରପାର୍ଶ୍ବରୁ କରଡେଗା ଗ୍ରାମର ରାଜେଶ ତିଗା(୧୭) ଓ ବାଲେନ ବାଡିଂ(୨୧) ଦ୍ରୁତଗତିରେ ବୀରମିତ୍ରପୁରରୁ ରାଏବଗା ଆଡ଼କୁ ଯାଉଥିଲେ। କୁଡ଼ପାଣି ଛକ ନିକଟରେ ଅଶୋକ ଅଗ୍ରୱାଲଙ୍କ ବାଇକ୍‌ ସହ ରାଜେଶ ତିଗାଙ୍କ ବାଇକ୍‌ ସମ୍ମୁଖରୁ ଧକା ହୋଇଥିଲା। ଦୁର୍ଘଟଣାଟି ଏତେ ଜୋରରେ ହୋଇଥିଲା ଯେ ଘଟଣାସ୍ଥଳରେ ଉଭୟ ବାଇକ୍‌ରେ ନିଆଁ ଲାଗିଯାଇଥିଲା। ଆଉ ଉଭୟ ବାଇକ୍‌ ସହ ରାଜେଶ ତିଗା ଜୀବନ୍ତ ଜଳିଯାଇଥିଲେ। ରାଜେଶଙ୍କ ପଛରେ ବାଇକ୍‌ରେ ବସିଥିବା ବାଲେନ୍‌ଙ୍କ ଦେହ​ରେ ମଧ୍ୟ ନିଆଁ ଲାଗିଯାଇଥିଲା। ତାଙ୍କ ଶରୀରର ପ୍ରାୟ ୭୦ ଭାଗ ପୋଡ଼ିଯାଇଛି।

ଅନ୍ୟ ବାଇକ୍‌ ଆରୋହୀ ଅଶୋକ ଅଗ୍ରୱାଲଙ୍କ ମୁଣ୍ଡ ଓ ଦେହରେ ଶକ୍ତ ଆଘାତ ଲାଗିଛି। ଏହି ଦୁର୍ଘଟଣାରେ ସେ ରାସ୍ତାକଡ଼କୁ ଛିଟ୍‌କି ପଡ଼ିଥିଲେ। ଖବର ପାଇ କୁଆରମୁଣ୍ଡା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା। ବୀରମିତ୍ରପୁର ଥାନା ଏସ୍‌ଆଇ ବିଜୟ ଦେହୁରୀ, ଏଏସ୍‌ଆଇ ସୁନୀଲ ମହାପାତ୍ର ପହଞ୍ଚି ଗୁରୁତରମାନଙ୍କୁ ଉଦ୍ଧାର କରି ବୀରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। କିନ୍ତୁ ନିଆଁର ମାତ୍ରା ​ଏତେ ଅଧିକ ଥିଲା ଯେ ଲୋକେ ରାଜେଶ ତିଗାଙ୍କୁ ଉଦ୍ଧାର କରି ପାରିନଥିଲେ କିମ୍ବା ପାଖକୁ ଯିବାକୁ ସାହସ କରିନଥିଲେ। ଅଧଘଣ୍ଟାରୁ ଅଧିକ ସମୟ ଉଭୟ ଗାଡ଼ି ସହ ରାଜେଶ ଜଳିଥିଲେ। ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଥିଲା।

ସେଠାରୁ ଅଶୋକ ଅଗ୍ରୱାଲଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଓ ସେ ବିପଦମୁକ୍ତ ଥିବା ସୂଚନା ମିଳିଛି। ନିଆଁ ଲାଗି ୭୦ ଭାଗ ପୋଡ଼ିଯାଇଥିବା ବାଲେନଙ୍କୁ ଆର୍‌ଜିଏଚ୍‌ରେ ଡ୍ରେସିଂ ପରେ ପ୍ରାୟ ୫ଟା ବେଳେ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣା ସମଗ୍ର ଜିଲ୍ଲାବାସୀଙ୍କୁ ସ୍ତବ୍ଧ କରିଦେଇଛି। ପୁଲିସ ତଦନ୍ତ ଜାରି ରଖିଛି।