ବ୍ରଜରାଜନଗର/ଭୁବନେଶ୍ବର: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରରେ ବିଜେଡିକୁ ଶକ୍ତ ଧକ୍କା ଲାଗିଛି। ଲଖନପୁର ବ୍ଲକର ୧୦ ଜଣ ବିଜେଡ଼ି ସମର୍ଥିତ ସରପଞ୍ଚ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇଛନ୍ତି। ଏଥି ସହିତ ଏହି ବିଜେଡି କର୍ମୀମାନେ ବ୍ରଜରାଜନଗରରେ ବିଜେପିର ଶକ୍ତି ବୃଦ୍ଧି କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଓ ମୋହନ ଚରଣ ମାଝୀ ସରକାରଙ୍କ ନୀତି ଆଦର୍ଶରେ ଅନୁପ୍ରାଣୀତ ହୋଇ ବିଜେଡି କର୍ମୀମାନେ ବିଜେପିରେ ଯୋଗଦେଇଥିବା ପ୍ରକାଶ କରିଛନ୍ତି। ରାଜ୍ୟ କାର୍ଯ୍ୟଳୟରେ ଆୟୋଜିତ ମିଶ୍ରଣ ପର୍ବରେ ନଗରଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ଆଇନ ତଥା ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ରାଜ୍ୟ ଉପସଭାପତି ବିରଞ୍ଚି ନାରାୟଣ ତ୍ରୀପାଠୀଙ୍କ ଉପସ୍ଥିତିରେ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକର ୧୦ ଜଣ ବିଜେଡ଼ି ସରପଞ୍ଚ ବିଧିବଦ୍ଧ ଭାବରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା।
ବିଜେପିରେ ଯୋଗ ଦେଇଥିବା କର୍ମୀମାନେ ହେଲେ କଣ୍ଡେଇକେଲା ସରପଞ୍ଚ ଅଶୋକ ସେଠ, ରେମତା ସରପଞ୍ଚ ପ୍ରଫୁଲ୍ଲ ସିଂହ, ଚାରପାଲି ସରପଞ୍ଚ ଅରୁଣା ସୁନା, କଦମଡିହି ସରପଞ୍ଚ ତରୁଳତା ବାରିକ, ବାଘମୁଣ୍ଡା ସରପଞ୍ଚ ସୁନିମା ପଧାନ, ଜାମଗାଁ ସରପଞ୍ଚ ଗୋପୀନାଥ ସାଏ, ରେମେଣ୍ଡା ସରପଞ୍ଚ ସୁସାନ୍ତ ନାଏକ, ସରଣ୍ଡାମାଲ ସରପଞ୍ଚ ଝରଣା ସେଠ, ବଞ୍ଜାରି ସରପଞ୍ଚ ସୀମା ସାହୁ ଓ ପିପିଲିମାଳ ସରପଞ୍ଚ ରଂଗାଧର ଡିଲା।
ଏହି ସରପଞ୍ଚମାନଙ୍କ ଭାରତୀୟ ଜନତା ପାର୍ଟିରେ ଯୋଗଦାନ ଲଖନପୁର ବ୍ଲକରେ ବିଜେପି ସଂଗଠନକୁ ଆହୁରି ଶକ୍ତିଶାଳୀ କରିବ ବୋଲି ଆଶା କରାଯାଉଛି। ଏହି ଯୋଗଦାନ ଦଳ ଓ ଜନତା ମଧ୍ୟରେ ଆଶା ଓ ବିଶ୍ୱାସ ବଢ଼ାଇବ, ଏବଂ ଆଗାମୀ ଦିନରେ ବିଜେପିକୁ ଅଧିକ ଶକ୍ତି ଦେବ ବୋଲି ମାନ୍ୟବର ରାଜସ୍ବ ମନ୍ତ୍ରୀ କହିଛନ୍ତି। ସମସ୍ତ ସରପଞ୍ଚମାନଙ୍କୁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଏବଂ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଭାରତୀୟ ଜନତା ପାର୍ଟିର ଉତ୍ତରୀୟ ଓ ଟୋପି ଦେଇ ଉନ୍ମୁକ୍ତ ହୃଦୟରେ ଦଳକୁ ସ୍ୱାଗତ କରିଥିଲେ।
BJP | BJD