କେନ୍ଦୁଝରର ବେପାରିକୁ କମ୍ ଦରରେ ବିକ୍ରି କରୁଥିଲେ
ରାଉରକେଲା: ବଣାଇଁ ଉପଖଣ୍ଡ ଅନ୍ତର୍ଗତ ବିଭିନ୍ନ ପୁଲିସ ଥାନା ଅଞ୍ଚଳରେ ଲୁହା ଚୋରିରେ ମାତିଥିଲେ। ବିଭିନ୍ନ ନିର୍ମାଣାଧୀନ ସ୍କୁଲ, ସେତୁ ଓ ଅନ୍ୟାନ୍ୟ ପ୍ରକଳ୍ପସ୍ଥଳରୁ ନିୟମିତ ବ୍ୟବଧାନରେ ଚୋରି କରୁଥିଲେ। ସ୍ଥାନୀୟ ଅଞ୍ଚଳରେ ବିକ୍ରି କଲେ ଧରାପଡ଼ିଯିବାର ଆଶଙ୍କାକରି କେନ୍ଦୁଝରରେ ବିକ୍ରି କରୁଥିଲେ। ଏହି ଗ୍ୟାଙ୍ଗ୍ର ୧୧ ଜଣଙ୍କୁ ଆଜି ଲହୁଣୀପଡ଼ା ପୁଲିସ ଗିରଫକରି କୋର୍ଟଚାଲାଣ କରିଛି। ଅଭିଯୁକ୍ତଙ୍କ ପାଖରୁ ପ୍ରାୟ ୪ ଲକ୍ଷ ୧୦ ହଜାର ଟଙ୍କାର ୭୦୪୦ କେଜି ଲୁହା ରଡ୍, ଗୋଟିଏ ବଲେରୋ(ଓଡି-୧୪ଭି-୨୪୬୯) ଓ ଲୁହା ରଡ୍ କାଟିବା ପାଇଁ ବିଭିନ୍ନ ସାମଗ୍ରୀ ଜବତ ହୋଇଛି।
/sambad/media/media_files/2024/10/30/22943b60-34a5-4759-8dd1-9ea1ad65bdc3.jpeg)
ଏହି ଗ୍ୟାଙ୍ଗ୍ର ସମସ୍ତ ଅଭିଯୁକ୍ତ ବଣାଇଁ ଓ ଲହୁଣୀପଡ଼ା ଥାନା ଅନ୍ତର୍ଗତ ଅଞ୍ଚଳର। ସେମାନେ ହେଉଛନ୍ତି ବଣାଇଥାନା ଅନ୍ତର୍ଗତ ବାହାରିଗଡ଼ ଗାଁର ଉପେନ୍ଦ୍ର ନାଏକ(୨୭), ଧୋବା ମୁଣ୍ଡା ଓରଫ୍ ଶ୍ରବଣ(୩୩), ଚକ୍ର ମୁଣ୍ଡା ଓରଫ୍ ଥାଲୁ(୧୯), କୃଷ୍ଣ ମୁଣ୍ଡା ଓରଫ୍ ସନା(୨୭) ଓ ରଞ୍ଜନ ମୁଣ୍ଡା(୨୩), ସିଂହଟୋଲା ଗାଁର ବୁତୁରୁ ନାଏକ ଓରଫ୍ ରମେଶ(୩୬), ମହେଶ୍ବର ମୁଣ୍ଡା(୨୨), ନରେଶ ନାଏକ ଓରଫ୍ ମଝିଆ, କୁଲୁସାହି ଗାଁର ଦିଲୀପ ମୁଣ୍ଡା(୨୪), ଜାମକେଇର ଅନୀଲ ସେଠୀ ଓରଫ୍ ସିପୁନ(୩୨)। ଅଭିଯୁକ୍ତମାନେ ବିଭିନ୍ନ ଅଞ୍ଚଳରୁ ଲୁହା ରଡ୍ ଓ ଅନ୍ୟାନ୍ୟ ସାମଗ୍ରୀ ଚୋରିକରି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ବିଞ୍ଜବାହାଲ ଗାଁର ଗୌତମ ସାହୁ(୪୬)ଙ୍କୁ ବିକ୍ରି କରୁଥିଲେ।
ବୁଧବାର ଭୋର୍ ପ୍ରାୟ ସାଢ଼େ ୪ଟା। ଏହି ଗ୍ୟାଙ୍ଗ୍ର ୯ ଜଣ ସଦସ୍ୟ ବଲେରୋରେ ବଣାଇଁରୁ ଲଲେଇ ଆଡ଼କୁ ଆସୁଥିଲେ। ଏତିକିବେଳେ ଲହୁଣୀପଡ଼ା ପୁଲିସ ଲଲେଇ ଛକରେ ପାଟ୍ରୋଲିଂ କରୁଥିଲା। ପୁଲିସର ସନ୍ଦେହ ହେବାରୁ ଗାଡ଼ି ଅଟକାଇ ପଚରାଉଚରା କରିଥିଲା। ତେବେ ସନ୍ତୋଷଜନକ ଉତ୍ତର ନ ମିଳିବାରୁ ଗାଡ଼ି ଯାଞ୍ଚ କରାଯାଇଥିଲା। ପରେ ଗାଡ଼ି ଭିତରୁ ଲୁହା ରଡ୍ କାଟିବା ବିଭିନ୍ନ ମେସିନ ଉଦ୍ଧାର ହେବାରୁ ପୁଲିସ ସମସ୍ତଙ୍କୁ କାବୁ କରିନେଇଥିଲା। ପରେ ପଚରାଉଚରା କରିବାରୁ ଅଭିଯୁକ୍ତମାନେ ସମଗ୍ର ଘଟଣା ବିଷୟରେ ସତ ଓଗାଳି ଦେଇଥିଲେ। ଅଭିଯୁକ୍ତମାନେ ସେପ୍ଟେମ୍ବର ୧୧ ଓ ୧୨ ତାରିଖ ମଧ୍ୟରାତ୍ରିରେ ହଲଦିକୁଦର ସ୍କୁଲରୁ ୨୨ ବହୁ ପରିମାଣର ଲୁହା ରଡ୍ ଚୋରି କରିନେଇଥିଲେ। ଏହି ଗ୍ୟାଙ୍ଗ୍ ନାଁରେ ଲହୁଣୀପଡ଼ା ଥାନାରେ ୨ଟି ମାମଲା ଥିବାବେଳେ ବଣାଇ, କେ.ବଲାଙ୍ଗ, ମହୁଲପଦା ଥାନାରେ ଗୋଟିଏ ଲେଖାଏ ଚୋରି ମାମଲା ରହିଛି।