ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ୧୦ ଜଣ ଏବଂ ନାରାୟଣପୁର ଜିଲ୍ଲାରେ ୩ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଲଗାତାର ପୁଲିସର ଚଢାଉରେ ନକ୍ସଲ ଏବେ ଭୟଭିତ ହୋଇ ସଂଗଠନ ଛାଡି ଆରମ୍ଭ କଲେଣି। ଯାହାଫଳରେ ନକ୍ସଲ ଆତ୍ମସମର୍ପଣ ଛଡା ଅନ୍ୟ ବାଟ ନାହିଁ। ଏହି କ୍ରମରେ ଆନ୍ଧ୍ର ଓଡିଶା ବଡର କମିଟିର ୨ ଲକ୍ଷ ପୁରସ୍କାର ଘୋଷିତ ନକ୍ସଲ ଓ ୧ ଲକ୍ଷ ଲେଖାଏଁ ଘୋଷିତ ୪ ମାଓବାଦୀଙ୍କ ସମେତ ମୋଟ ୧୦ ଜଣ ନକ୍ସଲ ବିଜାପୁର ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି।
ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ହେଲେ ୨ ଲକ୍ଷ ଘୋଷିତ ଅର୍ଜୁନ ମଡକାମ(୨୦), ହଡମା ତାତି(୨୮), ହୁଙ୍ଗା ମାଡବୀ(୪୨), ଭୀମା ମାଡବୀ(୩୪), ଭୀମା ହେମଲା(୨୫), ଜଗା ହେମଲା(୨୭),ହଡମା ରାବା(୩୦), ଦୁଲା ମାଡ଼ବୀ(୨୫), ଭୀମା ମାଡ଼କମ(୨୬) ଏବଂ ନେନ୍ଦା ମାଡକମ(୪୫)। ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କ ମଧ୍ୟରୁ କିଛି ପାର୍ଟି ମେମ୍ବର ହୋଇଥିବା ବେଳେ ପିଏଲଜିଏ ସଦସ୍ୟ, ସିଏନଏମ ଅଧ୍ୟକ୍ଷ, ଡିଏକେଏମଏସ ଅଧ୍ୟକ୍ଷ, ଜନତାନା ସରକାର ସଦସ୍ୟ ରହିଛନ୍ତି।
ସଂଗଠନରେ ଭେଦଭାବ ଏବଂ ନିର୍ଯାତନା ଦିନକୁ ଦିନ ବଡୁଥିବାରୁ ସଂଗଠନ ଛାଡି ମୁଖ୍ୟସ୍ରୋତରେ ସାମିଲ ହୋଇଥିବା ଏହି ନକ୍ସଲ ମାନେ କହିଛନ୍ତି। ବିଜାପୁର ଜିଲ୍ଲାରେ ଗତବର୍ଷ ୧୮୯ ମାଓବାଦୀ ଆତ୍ମସମର୍ପଣ କରିଥିବା ବେଳେ ୫୮ ମାଓବାଦୀ ମୃତ୍ୟୁବରଣ କରିଥିଲେ।
ସେହିପରି ୫୦୩ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଥିଲା। ୨୦୨୫ ମସିହାରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୩ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା ବେଳେ ୪୦ ଜଣ ମାଓବାଦୀ ଗିରଫ ଏବଂ ୧୭ ଜଣ ନକ୍ସଲ ମୃତ୍ୟୁବରଣ କରିସାରିଲେଣି। ସେହିପରି ନାରାୟଣପୁର ଜିଲ୍ଲା ପୁଲିସ ନିକଟରେ ୩ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ନକ୍ସଲମାନେ ହେଲେ ଗୁଡ୍ଡୁ କରମା(୨୨),ଆୟତୁ କରମା(୨୨) ଏବଂ ମାସା ରାମ କାରମା(୨୨)। ଲଗାତାର ଚଢାଉରେ ଏମାନେ ଭୟ ଓ ଆତଙ୍କିତ ହୋଇଯାଇଥିଲେ। ପୁଲିସ କୌଣସି ମୁହର୍ତ୍ତରେ ଏମାନଙ୍କୁ ଶିକାର କରିପାରେ। ତେଣୁ ମୁଖ୍ୟସ୍ରୋତରେ ସାମିଲ ହୋଇ ବାକି ଜୀବନ ଖୁସିରେ କଟାଇବେ ବୋଲି କହିଛନ୍ତି। ପ୍ରଶାସନ ତରଫରୁ ଏମାନଙ୍କୁ ୨୫ ହଜାର ଟଂକା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଆଗାମୀ ଦିନରେ ଆତ୍ମନିର୍ଭରଶୀଳ ନୀତି ଅନୁଯାୟୀ ଥଇଥାନ କରାଯିବ ବୋଲି କୁହାଯାଇଛି।