ଭୁବନେଶ୍ୱର: ବେଆଇନ ମଦ କାରବାର ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ଅଗଷ୍ଟ ମାସ ୨୦ ତାରିଖରୁ ଆରମ୍ଭ ହୋଇଥିବା ଚଢ଼ାଉ ଅଭିଯାନ ଆଜିବି ଜାରି ରହିଛି। ଦୀର୍ଘ ୧୫ ଦିନ ଧରି ଚାଲିଥିବା ଏହି ଚଢ଼ାଉ ସମଗ୍ର ରାଜ୍ୟରେ ଦୀର୍ଘତମ ତଥା ସର୍ବବୃହତ ଚଢ଼ାଉ ଅଭିଯାନ ବୋଲି ବିବେଚନା କରାଯାଉଛି। 
Advertisment

ରାଜ୍ୟସରକାରଙ୍କ କଡା ଆଭିମୁଖ୍ୟ ସ୍ଵରୂପ ପୂର୍ବରୁ ରହି ଆସିଥିବା ଏହି ବେଆଇନ ମଦ ଭାଟି ଓ ବିକ୍ରୟ କେନ୍ଦ୍ର ଗୁଡିକୁ ଅବକାରୀ ବିଭାଗର ବିଭିନ୍ନ ଟିମ ପକ୍ଷରୁ ଖୋଜି ବାହାର କରିବା ସହିତ ସମ୍ପୂର୍ଣ୍ଣ ରୂପେ ଭଙ୍ଗା ଯାଉଛି। ଏହି କ୍ରମରେ ସମଗ୍ର ରାଜ୍ୟର ୧୪୪୩ଟି ବେଆଇନ ମଦ ଭାଟି ଉପରେ ବୁଲଡୋଜର ଚାଲିବା ସହ ନଷ୍ଟ କରାଯାଇଛି। ଏଥିମଧ୍ୟରୁ କେବଳ ରାଜଧାନୀର ୫୧ଟି ବେଆଇନ ମଦଭାଟିକୁ ନଷ୍ଟ କରାଯାଇଛି।

ଅବକାରୀ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଆଜି ସୁଦ୍ଧା ବେଆଇନ ମଦ କାରବାର ନେଇ ୩୬୧୮ଟି ମାମଲା ରୁଜୁ ହେବା ସହିତ ୧୫୧୯ ସ୍ଥାନରେ ଚଢ଼ାଉ କରାଯାଇ ୧୯୫୭ ଜଣକୁ ଗିରଫ କରାଯାଇଛିI ଏହି କ୍ରମରେ ୧ ଲକ୍ଷ ୮୩ ହଜାର ୬୬୯ ଲିଟର ବେଆଇନ ମଦ ଏବଂ ୧୭ ଲକ୍ଷ ୨୬ ହଜାର ୫୦୯ କେଜି ପ୍ରସ୍ତୁତି ସାମଗ୍ରୀ ଜବତ ହୋଇଛିI ଏଥି ସହ ବେଆଇନ କାର୍ଯ୍ୟରେ ବ୍ୟବହୃତ ୧୮୩ ଟି ଗାଡିକୁ ମଧ୍ୟ ଅବକାରୀ ବିଭାଗ ପକ୍ଷରୁ ଜବତ ହୋଇଛି I 
ଏହି ଚଢ଼ାଉ କାର୍ଯ୍ୟକ୍ରମ ସମ୍ପର୍କରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖି କହିଛନ୍ତି ଯେ ପୂର୍ବରୁ ଚାଲି ଆସିଥିବା ଏହି ସମସ୍ତ ବେଆଇନ କାରବାର ଉପରେ ରାଜ୍ୟ ସରକାର ବୁଲଡୋଜର ଚଳାଇବାକୁ କେବେବି ପଛଘୁଞ୍ଚା ଦେବେନି। ଆଗକୁ ଏହି ଭଳି ଅଭିଯାନକୁ ଆହୁରି ଜୋରଦାର କରାଯିବ ଏବଂ ସମସ୍ତ ବେଆଇନ କାରବାର ଉପରେ ରୋକ ଲଗାଯିବ।