ରାଉରକେଲା: ରାଜ୍ୟ​​ ପୁଲିସ ବିଭାଗ​ରେ ପ୍ରାୟ ୧୬ ହଜାର ୫୦୦ ପଦ ଖାଲି ପଡ଼ିଛି। ମାନବସମ୍ବଳ ନଥିବା ଯାଏ ରାଉରକେଲାରେ କମିସନରେଟ୍ ପୁଲିସ ବ୍ୟବସ୍ଥା ଲାଗୁ କରିବା ସମ୍ଭବ ନୁହେଁ ବୋଲି ଓଡ଼ିଶା ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି। ଶୁକ୍ରବାର ରାଉରକେଲା ଗସ୍ତ ଅବସରରେ ଡିଜିପି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ନିକଟ ଭବିଷ୍ୟତରେ ରାଉରକେଲା ସମେତ ଅନ୍ୟ ୩ ମହାନଗରରେ କମିସନରେଟ୍ ସମ୍ଭାବନାକୁ ପରୋକ୍ଷରେ ଅସ୍ବୀକାର କରିଥିଲେ। ଖାଲି ପଡ଼ିଥିବା ପଦ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ନୂଆ ନିଯୁକ୍ତି ପାଇ ଅଧିକାରୀମାନେ ତାଲିମ୍ ନେଇ ସାରିବା ପରେ ଯାଇ ଏଦିଗ​ରେ ବିଚାର ଆଲୋଚନା କରାଯିବ ବୋଲି ଡିଜି କହିଥିଲେ।
ପଶ୍ଚିମାଞ୍ଚଳ ଡିଆଇଜିଙ୍କ କାର୍ଯ୍ୟାଳୟ​ରେ ରାଉରକେଲା, ସୁନ୍ଦରଗଡ଼ ଓ କେନ୍ଦୁଝର ପୁଲିସ୍ ଜିଲ୍ଲାର ଆଇନ ସୁରକ୍ଷା ସ୍ଥିତି ସମୀକ୍ଷା କରାଯାଇଥିଲା। ଡିଜିପିଙ୍କ ଅଧ୍ୟକ୍ଷତାରେ ଏହି ସମୀକ୍ଷାରେ ଅତିରିକ୍ତ ପୁଲିସ୍ ମହାନିର୍ଦ୍ଦେଶକ (ଆଇନ୍ଶୃଂଖଳା) ସଂଜୟ କୁମାର, ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ, ରାଉରକେଲା ଏସ୍ପି ନୀତେଶ ୱାଧୱାନୀ, ସୁନ୍ଦରଗଡ଼ ଏସ୍ପି ପ୍ରତ୍ୟୁଷ ଦିବାକର ଏବଂ କେନ୍ଦୁଝର ଏସ୍ପି ନିତିନ୍ କୁସଲ୍କର ଦଗ୍ଡୁଙ୍କ ସହ ୩ ପୁଲିସ ଜିଲ୍ଲାର ଅନ୍ୟାନ୍ୟ ବରିଷ୍ଠ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ। ଜିଲ୍ଲାରେ ଆଗକୁ ହେବାକୁ ଥିବା ରାମନବମୀ ପାଇଁ ସୁରକ୍ଷା ବ୍ୟବସ୍ଥା, ଅପରାଧ ନିୟନ୍ତ୍ରଣ, ଆଇନ ସୁରକ୍ଷା ସ୍ଥିତି, ମାଓ ଗତିବିଧି, ମହିଳା ବିରୋଧୀ ଅପରାଧର ସମାଧାନ, କୋଇଲା ଓ ବେଆଇନ ବନ୍ଧୁକ କାରବାର ଭଳି ଅନେକ ପ୍ରସଙ୍ଗ​ରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ମାଓବାଦୀଙ୍କ ଗତିବିଧି ସମ୍ପର୍କରେ ସମୀକ୍ଷା ପରେ ଡିଜି କହିଲେ, କେନ୍ଦ୍ର ଗୃହମନ୍ତ୍ରୀ ସମସ୍ତ ସୁରକ୍ଷାବଳ ଏବଂ ରାଜ୍ୟ ପୁଲିସକୁ ଏକ ଆହ୍ବାନ ଦେଇଛନ୍ତି।
୨୦୨୬ ମାର୍ଚ୍ଚ ସୁଦ୍ଧା ମାଓବାଦୀ ନିପାତ କରିବାକୁ କୁହାଯାଇଛି। ଓଡ଼ିଶା ପୁଲିସ ଏଦିଗରେ ଦୃଢ଼ତାର ସହ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଖୁବ୍ ଶୀଘ୍ର ସମ୍ପୂର୍ଣ୍ଣ ମାଓ ଦମନ କରାଯିବ। ସମୀକ୍ଷା ପରେ ଡିଆଇଜି ଶ୍ରୀ ରାୟ ସାମ୍ବାଦିକଙ୍କୁ ପ୍ରତିକ୍ରିୟା ଦେଇ କହିଲେ, ‘ପଶ୍ଚିମାଞ୍ଚଳର ସୁନ୍ଦରଗଡ଼, ରାଜଗାଙ୍ଗପୁର, ରାଉରକେଲା ଓ କେନ୍ଦୁଝରରେ ରାମନବମୀ କିଭଳି ଶାନ୍ତିଶୃଙ୍ଖଳାରେ ପାଳନ ହେବ ସେ ଦିଗରେ ଆଲୋଚନା କରାଯାଇଛି।
ଏହାସହ ତଦନ୍ତ ଚାଲିଥିବା ଅପରାଧ ଗୁଡ଼ିକର ସମାଧାନ, ସାଇବର କ୍ରାଇମ୍ ନିୟନ୍ତ୍ରଣ, ନିଖୋଜ ବ୍ୟକ୍ତିଙ୍କୁ ଖୋଜିବା ପାଇଁ ସ୍ବତନ୍ତ୍ର ଡ୍ରାଇଭ୍ ଆରମ୍ଭ କରିବାକୁ ଡିଜି ନିର୍ଦେଶ ଦେଇଛନ୍ତି। ନାରୀ ନିର୍ଯ୍ୟାତନା ମାମଲା ଗୁଡ଼ିକର ଫାଷ୍ଟଟ୍ରାକ୍ କୋର୍ଟରେ ତ୍ବରିତ ସମାଧାନ, ଜମିଜମା ମାମଲାର ସମାଧାନ କରିବା ସହ ଜନସାଧାରଣଙ୍କୁ ଶୀଘ୍ର ନ୍ୟାୟ ପ୍ରଦାନ ଆଦିକୁ ବିଶେଷ ଗୁରୁତ୍ବ ଦିଆଯାଇଛି। ସହରରେ ବନ୍ଧୁକ ବ୍ୟବହାର କରୁଥିବା ଅପରାଧୀଙ୍କୁ ଚିହ୍ନଟ କରି ସେମାନଙ୍କର ଚେନ୍ ଭାଙ୍ଗିବାକୁ ଡିଜିପି ନିର୍ଦେଶ ଦେଇଛନ୍ତି। ବନ୍ଧୁକ ବ୍ୟବହାର କରୁଥିବା ବ୍ୟକ୍ତିଙ୍କୁ ଖୋଜିବା ପାଇଁ ଡ୍ରାଇଭ୍ କରିବାକୁ କୁହାଯାଇଛି। ମାଓ ଗତିବିଧି ନେଇ ଡିଜିପି ନିୟମିତ ସମୀକ୍ଷା କରୁଛନ୍ତି। ସରଣ୍ଡା ସହ ବିଶ୍ରା ଥାନା ଅଞ୍ଚଳ ଏବଂ ପଡ଼ୋଶୀ ରାଜ୍ୟର ଚାଇଁବସାରେ ଲାଲବାହିନୀ ସକ୍ରିୟ ହେବା ନେଇ ଡିଜିପି ଅବଗତ ଅଛନ୍ତି। ଡିଭିଏଫ୍ ଏବଂ ଏସ୍ଓଜି ଯବାନମାନଙ୍କୁ ସଚେତନ ରହିବାକୁ କୁହାଯାଇଛି। ଓଡ଼ିଶାସୀମାନ୍ତକୁ ପ୍ରବେଶ କରିବାକୁ ଚେଷ୍ଟା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହାସହ ଖଣିଜ ପଦାର୍ଥ ଚୋରା ଚାଲାଣକାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡିଜିପି ନିର୍ଦେଶ ଦେଇଥିବା ଡିଆଇଜି ସୂଚନା ଦେଇଥିଲେ।
/sambad/media/media_files/2025/04/04/ad5b63f4-3b6d-40a3-b624-1a661a644546-694888.jpg)
୩ ପୁଲିସ ଜିଲ୍ଲାରେ ଆଇନ ଶୃଙ୍ଖଳା ସ୍ଥିତିର ସମୀକ୍ଷା ପାଇଁ ଡିଜିପି ଶ୍ରୀ ଖୁରାନିଆ ଗୁରୁବାର ରାତିରେ ରାଉରକେଲା ପହଞ୍ଚିଥିଲେ। ସକାଳେ ସିଭିକ୍ ସେଣ୍ଟରରେ ତାଙ୍କୁ ରାଉରକେଲା ପୁଲିସ ପକ୍ଷରୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ପରେ ​ସେ ପଦକ ପ୍ରଦାନ ଉତ୍ସବରେ ସାମିଲ ହୋଇ କେନ୍ଦୁଝର ପୁଲିସ ଜିଲ୍ଲାର ଅତିରିକ୍ତ ଏସ୍ପି ପ୍ରତ୍ୟୁଷ ମହାପାତ୍ର, ରଘୁନାଥପାଲି ଥାନା ଅଧିକାରୀ ରାଜେନ୍ଦ୍ର ସ୍ବାଇଁ, ପ୍ଲାଣ୍ଟସାଇଟ୍ ଥାନା ଏସ୍ଆଇ ସୁବ୍ରତ ପଣ୍ଡା, ସୁନ୍ଦରଗଡ଼ର ହାବିଲଦାର ରିଙ୍କୁ ପଟେଲ ଏବଂ କେନ୍ଦୁଝରର କନଷ୍ଟେବଳ ରାହାସବିହାରୀ କେରାଇଙ୍କୁ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସମ୍ମାନନୀୟ ଡିଜିପି ମେଡାଲ୍ ପ୍ରଦାନ କରିଥିଲେ। ସେ ଓଡ଼ିଶା ପୁଲିସ୍ର ପୂର୍ବତନ କର୍ମଚାରୀ ସହିଦ ଲକ୍ଷ୍ମଣ କିସାନ ଏବଂ ବେଣୁଧର ନାଏକଙ୍କ ପରିବାରବର୍ଗଙ୍କୁ ଭେଟି ଭଲମନ୍ଦ ପଚାରିଥିଲେ। ୨୦୦୪-୦୫ରେ ଅଳ୍ପ କିଛି ଦିନ ପାଇଁ ରାଉରକେଲାର ଏସ୍ପି ଭାବେ କାର୍ଯ୍ୟ କରିଥିବା ଶ୍ରୀ ଖୁରାନିଆ ୨୦ ବର୍ଷ ପରେ ପୁଣିଥରେ ଷ୍ଟିଲ୍ସିଟିକୁ ଆସିଥିବାରୁ ଆନନ୍ଦ ବ୍ୟକ୍ତ କରିଥିଲେ।
Rourkela | Police
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/04/04/4cd605f2-003b-4045-a0ce-0f5a002371a0-371587.jpg)