ନବରଙ୍ଗପୁର: ଜିଲ୍ଲାରେ ପୁଣି ଦେଖାଦେଇଛି ଡାକ୍ତର ମରୁଡ଼ି। ଜିଲ୍ଲାରେ ୩୯୫ ଡାକ୍ତର ରହିବା ସ୍ଥାନରେ ଏବେ ରହିଛନ୍ତି ୧୬୮ଜଣ। ଏହାରି ମଧ୍ୟରେ ଉଚ୍ଚଶିକ୍ଷା ପଢ଼ିବା ପାଇଁ ୫୧ଜଣ ଗଲେଣି। ୧୬୮ଜଣ ଡାକ୍ତରଙ୍କ ମଧ୍ୟରେ ସିଡିଏମଓ, ଏଡିଏମଓ ଓ ଡିଏମଓ ଆଦି ବି ରହିଛନ୍ତି। ସରକାର ନବରଙ୍ଗପୁର ଜିଲ୍ଲାର କିଛି ବ୍ଲକର ଡାକ୍ତରଖାନାକୁ ଭଲ୍ୟୁନେରଭିଲିଟି ମେପିଂ ରେ ଭି-୪ ଓ ଭି-୩ ମାନ୍ୟତା ଘୋଷଣା କରିବା କଥା। କିନ୍ତୁ ରାଜ୍ୟସରକାର ଏହାକୁ ଘୋଷଣା କରୁ ନଥିବାରୁ ଡାକ୍ତରମାନେ ଅଧିକା ପାଇବାକୁ ଥିବା ପ୍ରତ୍ସାହନ ରାଶି ପାଉନାହାନ୍ତି। ତେଣୁ ଏଠାକୁ ଡାକ୍ତରମାନେ ଆସିବାକୁ ଆଉ ଚାହୁଁ ନଥିବାକୁ ନେଇ ସିଡିଏମଓ ରାଜ୍ୟସରକାରଙ୍କୁ ଅବଗତ କରିଛନ୍ତି। ବଡ଼ବଡ଼ ସହରରେ ସମାନ ଦରମାରେ କାମ କରିବା ବଦଳରେ ନବରଙ୍ଗପୁର ଜିଲ୍ଲାକୁ ଆସୁନାହାନ୍ତି।  

Advertisment

୧୪ଲକ୍ଷ ଜନସଂଖ୍ୟା ବିଶିଷ୍ଟ ୧୦ଟି ବ୍ଲକ, ୨ଟି ପୌରାଂଚଳ ୮୯୭ଟି ରାଜସ୍ବ ୨୦୦ରୁ ଊର୍ଦ୍ଧ୍ବ ପଡ଼ା ଗାଁ ପାଇଁ ଗୋଟିଏ ଡିଏଚଏଚ, ଗୋଟିଏ ଉପଖଣ୍ଡ ଡାକ୍ତରଖାନା, ୮ଟି ସିଏଚସି, ୪୦ଟି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର, ୧୬୯ଟି ଉପସ୍ବାସ୍ଥ୍ୟ କେନ୍ଦ୍ର ସ୍ଥାପନ କରିଛନ୍ତି। ୩୯୫ଜଣ ଡାକ୍ତର ରହିବା କଥା। 

ଜିଲ୍ଲାରେ ଏବେ ୧୬୮ଜଣ ଡାକ୍ତର ରହିଛନ୍ତି। ବିଶେଷଜ୍ଞ ୬୮ଜଣ ଡାକ୍ତର ରହିବା ସ୍ଥାନରେ ଏବେ ମାତ୍ର ୧୮ଜଣ ରହିଛନ୍ତି। ଏହି ବିଶେଷଞ ଡାକ୍ତରଙ୍କ ମଧ୍ୟରୁ ଅଧିକା ଡିଏଚଏଚ ଓ ଉମରକୋଟ ଉପଖଣ୍ଡରେ ରହିଛନ୍ତି। ଅଧିକାଂଶ ସିଏଚସି ଓ ପିଏଚସି ଗୁଡିକରେ ଅୟୁଷ ଡାକ୍ତର ସମ୍ଭାଳୁଛନ୍ତି। ନବରଙ୍ଗପୁର ଜିଲ୍ଲାମୁଖ୍ୟଚିକିତ୍ସାଳୟରେ ଯେଉଁ ଧାର୍ଯ୍ୟ ସଂଖ୍ୟ ଫାରା ମେଡିକାଲ ଷ୍ଟାଫ, ଏମବିବିଏସ୍ ଡାକ୍ତର ଏବଂ ବିଶେଷଞ ଡାକ୍ତର, ଷ୍ଟାଫ ନର୍ସ, ଟେକ୍ନସିୟାନ, ଆଟେଣ୍ଡାଣ୍ଟ, ଫାର୍ମଶିଷ୍ଟ ଭଳି ପଦବି ବି ପୁରଣ ହୋଇ ପାରିନଥିଲା। ଅସ୍ଥିଶଲ୍ୟ ବିଶେଷଞ ଭଳି ବହୁ ଜରୁରୀ ବିଶେଷଜ୍ଞ ପଦବି ଖାଲି ପଡ଼ିଛି। ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଧାର୍ଯ୍ୟ ସଂଖ୍ୟକ ଡାକ୍ତର ନଥିବାରୁ ବହୁ ରୋଗୀ ଏବେ ଘରୋଇ ନର୍ସିଂ ହୋମ, କ୍ଲିନିକ୍, ଡାକ୍ତରଖାନା ଆଦି ଉପରେ ନିର୍ଭର ହେବାକୁ ବାଧ୍ୟ ହେଉଛନ୍ତି। ଜିଲ୍ଲାରେ ୧୦୮ଆମ୍ବୁଲାନସ୍(ବିଏଲଏସ) ୨୪ଟି, ୧୩ଗୋଟି ଅତ୍ୟାଧୁନିକ ଆମ୍ବୁଲାନସ୍ (ଏଏଲଏସ) ଓ ୧୩ଗୋଟି ଜନନୀ ସୁରକ୍ଷା ଯୋଜନା ଆମ୍ବୁଲାନସ୍ ରହିଛି। 

ତେବେ ଅଧିକାଂଶ ଆମ୍ବୁଲାନସ୍ ରାସ୍ତାରେ ରୋଗୀଙ୍କୁ ଆଣି ଯନ୍ତ୍ରାଂଶ ମରାମତି ହୋଇ ରାସ୍ତା‌ରେ ରହିବା ନଜିର ରହିଛି। କୋରାପୁଟ, ବିଶାଖାପାଟଣା, ବ୍ରହ୍ମପୁର ଆଦି ସ୍ଥାନକୁ ରେଫରାଲ କରାଯାଇଛି। ଡାବୁଗାଁ, ରାଇଘର, ଉମରକୋଟ, କୋଷାଗୁମୁଡ଼ା, ନବରଙ୍ଗପୁର, ଝରିଗାଁ, ଚନ୍ଦାହାଣ୍ଡି ବ୍ଲକରେ ମହାପ୍ରୟାଣ ଗାଡି ରହିଥିବା ବେଳେ ପାପଡ଼ାହାଣ୍ଡି, ନନ୍ଦାହାଣ୍ଡି ଓ ତେନ୍ତୁଳିଖୁଣ୍ଟି ବ୍ଲକରେ ଏଯାଏଁ ଏହି ଗାଡ଼ି ମିଳିପାରିନି।  

ଏପରିକି ରାଇଘର, ପାପାଡାହାଣ୍ଡି, ଉମରକ‌ୋଟ, ଝରିଗାଁ, ଚନ୍ଦାହାଣ୍ଡି ବ୍ଲକରୁ ଆରମ୍ଭ କରି ବହୁ ବ୍ଲକର ଦୁର୍ଗମ ଅଂଚଳରେ ଆୟୁଷ ଡାକ୍ତର କିମ୍ବା ଫାର୍ମାଶିଷ୍ଟ କିମ୍ବା ଷ୍ଟାଫ ନର୍ସ ଡାକ୍ତରଖାନାକୁ ପରିଚାଳନା କରୁଥିବାକୁ ନେଇ ବି ଜିଲ୍ଲାପରିଷଦ ବୈଠକରେ ଆଲୋଚନା କରାଯାଇଥିଲା। ଏହାରି ମଧ୍ୟରେ ୫ଜଣ ବିଶେଷଞ ଡାକ୍ତରଙ୍କୁ ନବରଙ୍ଗପୁରରେ ନିଯୁକ୍ତି ଦିଆଯାଇଥିଲେ ହେଁ କେହି କାର୍ଯ୍ୟରେ ଯୋଗ ଦେଇନଥିବାକୁ ନେଇ ଜିଲ୍ଲାପରିଷଦ ବୈଠକରେ ଆଲୋଚନା କରାଯିବା ପରେ ସାଂସଦ ବଳଭଦ୍ର ମାଝୀ ବି ଚିନ୍ତା ପ୍ରକଟ କରିଥିଲେ। ନିରାମୟ କେନ୍ଦ୍ରରେ ମାସକ ଏକ୍ସପାଇରୀ ଥିବା ଔଷଧ ବିତରଣ ହେଉଥିବାକୁ ନେଇ ବି ଏବେ ଜିଲ୍ଲାପରିଷଦ ସଭ୍ୟ ଚିନ୍ତାମଣି ପଣ୍ଡା ଓ ଅରୁଣ ମିଶ୍ର ଚିନ୍ତା ପ୍ରକଟ କରିଥିଲେ। ଜିଲ୍ଲାର ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ‌ ସେବାକୁ ସୁଧାରିବା ପାଇଁ ପ୍ରଶାସନ, ବିଧାୟକ, ମନ୍ତ୍ରୀ, ସାଂସଦଙ୍କ ପକ୍ଷରୁ ଚେଷ୍ଟା ଓ ରାଜ୍ୟସରକାରଙ୍କୁ ପକ୍ଷରୁ ଶୁଭଦୃଷ୍ଟିର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

Nabarangpur