୧୭୦ତମ ଜନ୍ମ-ବାର୍ଷିକୀ ବିଶେଷାଙ୍କ
ସ୍ୱାମୀ ଯୁକ୍ତେଶ୍ୱରଜୀଙ୍କ ଭାଷାରେ ‘ଭବିଷ୍ୟତରେ ସବୁକିଛି ମଙ୍ଗଳମୟ ହେବ ଯଦି ତୁମେ ବର୍ତ୍ତମାନ ଏକ ଆଧ୍ୟାତ୍ମିକ ପ୍ରୟାସ କରୁଥାଅ। ଏହି ଅବିସ୍ମରଣୀୟ ବାଣୀ ମାଧ୍ୟମରେ, ସ୍ୱାମୀ ଶ୍ରୀ ଯୁକ୍ତେଶ୍ୱରଜୀ ଭବିଷ୍ୟତରେ ନିଜ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବାରେ ବର୍ତ୍ତମାନର ଆଧ୍ୟାତ୍ମିକ ପ୍ରୟାସର ଗୁରୁତ୍ୱ ପ୍ରତିପାଦନ କରିଥିଲେ l ଆମ ସର୍ବୋତ୍ତମ ଉଦ୍ୟମ ଜାରି ରଖିବା ପାଇଁ ତାଙ୍କର ସୁସ୍ପଷ୍ଟ ଆହ୍ୱାନ ହେଲା: ‘ଭଗବାନଙ୍କୁ ପାଇବାର ଅର୍ଥ ସମସ୍ତ ଦୁଃଖର ଅନ୍ତ୍ୟେଷ୍ଟିl’ କି ଆନନ୍ଦମୟ ଆଶ୍ଵାସନ: ଭଗବାନଙ୍କ ଅନୁସରଣରେ ସମର୍ପିତ ଏକ ଜୀବନ; ଦୁଃଖ-କଷ୍ଟ ରହିତ, ଆନନ୍ଦ-ଉଲ୍ଲାସର ଜୀବନ!
ଶ୍ରୀ ଯୁକ୍ତେଶ୍ୱରଜୀ, ଯାହାଙ୍କ ପିଲାଦିନର ନାମ ପ୍ରିୟ ନାଥ କଡାର, ୧୦ ମଇ, ୧୮୫୫ ମସିହାରେ ପଶ୍ଚିମବଙ୍ଗର ଶ୍ରୀରାମପୁରରେ ଜନ୍ମ ଗ୍ରହଣ କରିଥିଲେ, ଯେଉଁଠାରେ ତାଙ୍କର ପିତା ଜଣେ ଧନୀ ବ୍ୟବସାୟୀର ଜୀବନ କାଟିଥିଲେ। ବାରାଣସୀର ଯୋଗୀରାଜ ଶ୍ରୀ ଲାହିଡୀ ମହାଶୟଙ୍କ ଅଭିଭାବକତ୍ୱରେ 'ଗିରି' ସମ୍ପ୍ରଦାୟରେ ସନ୍ନ୍ୟାସ ନେଇ, ସେ ‘ଜ୍ଞାନାବତାର,’ ଅର୍ଥାତ ଦିବ୍ୟଜ୍ଞାନର ମୂର୍ତ୍ତିମନ୍ତ ଅବତାର ରୂପକ ମହାନତମ ଆଧ୍ୟାତ୍ମିକ ପଦବି ଲାଭ କରିଥିଲେ l
ଅମର ଗୁରୁ ମହାବତାର ବାବାଜୀ ହିଁ ନବଯୁବକ ମୁକୁନ୍ଦ ଲାଲ ଘୋଷଙ୍କୁ (ଯିଏ ପରବର୍ତ୍ତୀ ସମୟରେ ଶ୍ରୀ ଶ୍ରୀ ପରମହଂସ ଯୋଗାନନ୍ଦ ନାମରେ ପରିଚିତ ହୋଇଥିଲେ) ପଶ୍ଚିମ ବଙ୍ଗର ଶ୍ରୀରାମପୁରସ୍ଥିତ ଶ୍ରୀ ଯୁକ୍ତେଶ୍ୱରଙ୍କର ଆଶ୍ରମରେ ତାଲିମ ନେବା ପାଇଁ ମନୋନୀତ କରିଥିଲେ l ବାରାଣସୀର ଏକ ଗଳିରେ ଶ୍ରୀ ଯୁକ୍ତେଶ୍ୱରଙ୍କୁ ପ୍ରଥମ ଥର ଦର୍ଶନ କଲାପରେ, ଯୋଗାନନ୍ଦଜୀ ତାଙ୍କ ସହିତ ଥିବା ଗଭୀର ସମ୍ପର୍କକୁ ଅନୁଭବ କରିପାରିଥିଲେ ଏବଂ ଯାହାଙ୍କର ଦିବ୍ୟ ମୁଖମଣ୍ଡଳକୁ ଧ୍ୟାନରେ ସେ ଅନେକବାର ଦର୍ଶନ କରିଥିଲେ, ପରିଶେଷରେ ତାଙ୍କୁ ନିଜ ଗୁରୁରୂପେ ଖୋଜିପାଇଥିଲେ l
ଯୋଗାନନ୍ଦଜୀ, ତାଙ୍କ ଗୁରୁ ଶ୍ରୀ ଯୁକ୍ତେଶ୍ୱରଜୀଙ୍କ ଠାରୁ ତାଲିମ ପ୍ରାପ୍ତ କରି, ପ୍ରାଚୀନ ଭାରତର ସର୍ବୋଚ୍ଚ ଧ୍ୟାନ କୌଶଳ କ୍ରିୟାଯୋଗକୁ ବିଶ୍ୱ ଦରବାରରେ ଉପସ୍ଥାପନ କରି ଆନ୍ତର୍ଜାତିକ ସ୍ତରରେ ଜଣେ ଆଧ୍ୟାତ୍ମିକ ଗୁରୁର ଖ୍ୟାତି ଅର୍ଜନ କରିଥିଲେl ଯୋଗାନନ୍ଦଜୀଙ୍କ ଦ୍ୱାରା ଲିଖିତ ଅନନ୍ୟ ଆଧ୍ୟାତ୍ମିକ ପୁସ୍ତକ, ‘ଯୋଗୀର ଆତ୍ମଚରିତ’, ଲକ୍ଷଲକ୍ଷ ଲୋକଙ୍କୁ ପ୍ରଭାବିତ କରିଛି, ଯାହା ଅଦ୍ୟାବଧି ୫୦ରୁ ଅଧିକ ଭାଷାରେ ଅନୁବାଦିତ ହୋଇଛିl ସେ ତାଙ୍କ ଗୁରୁଙ୍କ ପାଦପଦ୍ମରୁ ଆହରଣ କରିଥିବା ଶିକ୍ଷାକୁ ବିସ୍ତାର କରିବା ପାଇଁ, ୧୯୧୭ ମସିହାରେ ରାଞ୍ଚିଠାରେ ଯୋଗଦା ସତସଙ୍ଗ ସୋସାଇଟି (ୱାଇଏସ୍ଏସ୍) ଏବଂ ୧୯୨୦ରେ ଲସ ଏଞ୍ଜେଲେସ ଠାରେ ସେଲ୍ଫ ରିଅଲାଇଜେସନ ଫେଲୋସିପ (ଏସ୍ଆରଏଫ୍) ନାମରେ ଦୁଇଟି ଅନୁଷ୍ଠାନ ପ୍ରତିଷ୍ଠା କରିଥିଲେl
ଶ୍ରୀ ଯୁକ୍ତେଶ୍ୱରଜୀ ଜଣେ ଦୃଢ ଶୃଙ୍ଖଳା ବିଶ୍ୱାସୀ ଥିଲେ, ଯିଏ ତାଙ୍କ ଶିଷ୍ୟମାନଙ୍କୁ କହୁଥିଲେ, ‘ଯେଉଁମାନେ ମୋ ପାଖକୁ ପ୍ରଶିକ୍ଷଣ ପାଇଁ ଆସନ୍ତି ସେମାନଙ୍କ ପ୍ରତି ମୁଁ କଠୋର ହୋଇଥାଏ… ଏହା ମୋର ରୀତି। ଏହାକୁ ଗ୍ରହଣ କର କିମ୍ବା ଛାଡିଦିଅ। ମୁଁ କଦାପି ଆପୋଷ ବୁଝାମଣା କରେ ନାହିଁ।’ କିନ୍ତୁ, ଜଣେ ମାଆ ଯେପରି ତା'ର ପିଲାମାନଙ୍କ ଯତ୍ନ ନେଇଥାଏ, ସେହିପରି ସେ ସେମାନଙ୍କର ଯତ୍ନ ନେଉଥିଲେl ଯୋଗାନନ୍ଦଜୀ ତାଙ୍କର ଏହି ମହାନ ଗୁରୁଙ୍କର କଠୋର ଶୃଙ୍ଖଳାର ହାତୁଡ଼ିର ଆଘାତରେ ବେଳେ ବେଳେ ଥରି ଯାଉଥିଲେ; ତଥାପି ତା’ ଦ୍ୱାରା କିପରି ଆଧ୍ୟାତ୍ମିକ ରୂପେ ବିକଶିତ ହେଲେ, ସେହି ବିଷୟରେ ସେ ଯୋଗୀର ଆତ୍ମଚରିତ ପୁସ୍ତକର ୧୨ ପରିଚ୍ଛେଦରେ ବର୍ଣ୍ଣନା କରିଛନ୍ତି: ‘ମୋର ଅହମିକା ଉପରେ ତାଙ୍କର ସେହି ଅଭିମାନ ଖଣ୍ଡନକାରୀ ଆଘାତ ପାଇଁ ମୁଁ ବିଶେଷ କୃତଜ୍ଞ l ଏକ ପ୍ରକାରେ କହିଲେ, ମୁଁ ବେଳେବେଳେ ଅନୁଭବ କରୁଥିଲି ଯେ ସେ ମୋର ମାଢିରେ ଥିବା ପ୍ରତ୍ୟେକ ରୁଗ୍ଣ ଦନ୍ତକୁ ଆବିଷ୍କାର କରିବା ସଙ୍ଗେ ସଙ୍ଗେ ତାହାର ମୁଳୋତ୍ପାଟନ କରି ଦେଉଥିଲେ l’
ତାଙ୍କର ଗମନଚୁମ୍ବି ଆଧ୍ୟାତ୍ମିକ ପ୍ରତିଷ୍ଠା ସତ୍ତ୍ୱେ, ଶ୍ରୀ ଯୁକ୍ତେଶ୍ୱରଜୀ ଅତ୍ୟନ୍ତ ସରଳ ଓ ନମ୍ର ସ୍ୱଭାବର ଥିଲେl ତାଙ୍କ ଆନ୍ତରିକ ନୀରବତା କିମ୍ବା ଜ୍ଞାନ ଗରିମା ଦ୍ୱାରା କାହାକୁ ପ୍ରଭାବିତ କଲା ଭଳି କୌଣସି ଭାବ ଭଙ୍ଗୀ ତାଙ୍କ ନିକଟରେ ନ ଥିଲାl ଶ୍ରୀ ଯୁକ୍ତେଶ୍ୱରଜୀଙ୍କର ଅଭ୍ୟାସଗତ ନୀରବତା ଏବଂ ପ୍ରଜ୍ଞାଯୁକ୍ତ ପ୍ରତ୍ୟେକ ଶବ୍ଦରେ ପରଂବ୍ରହ୍ମଙ୍କ ଉପରେ ତାଙ୍କର ଅଗାଧ ବୋଧଜ୍ଞାନ ପ୍ରତିଫଳିତ ହେଉଥିଲା l ଭକ୍ତିର ସହ ଯୋଗାନନ୍ଦଜୀ କହନ୍ତି, ‘ମୁଁ ସଚେତନ ଥିଲି ଯେ ମୁଁ ଜଣେ ଜୀବନ୍ତ ଈଶ୍ୱରଙ୍କ ଉପସ୍ଥିତିରେ ଅଛି l ତାଙ୍କର ସେହି ଦିବ୍ୟତା ସମ୍ମୁଖରେ ମୁଁ ସ୍ୱତଃ ନତମସ୍ତକ ହୋଇଯାଉଥିଲି l’
ଶ୍ରୀ ଯୁକ୍ତେଶ୍ୱରଜୀଙ୍କୁ ଧର୍ମଶାସ୍ତ୍ରମାନଙ୍କର ଅତୁଳନୀୟ ବ୍ୟାଖ୍ୟାକାର ରୂପେ ଚିହ୍ନିପାରି, ମହାବତାର ବାବାଜୀ ତାଙ୍କୁ ଯୀଶୁଖ୍ରୀଷ୍ଟ ଓ ଶ୍ରୀକୃଷ୍ଣଙ୍କର ନିତୀବାକ୍ୟ ମଧ୍ୟରେ ଥିବା ସମାନତା ଲିପିବଦ୍ଧ କରିବା ପାଇଁ ଅନୁରୋଧ କରିଥିଲେ, ଯାହା ସେ ୧୯୯୪ ମସିହାରେ ପ୍ରକାଶିତ ତାଙ୍କର ପ୍ରଶଂସନୀୟ ପୁସ୍ତକ ‘ଦ ହୋଲି ସାଇନ୍ସ’ରେ ଗଭୀର ଧୀମତ୍ତାର ସହ ବୁଝାଇଛନ୍ତି l’
ଯୋଗାନନ୍ଦଜୀ ବହୁବାର କହିଛନ୍ତି ଯେ ଯଦି ଶ୍ରୀ ଯୁକ୍ତେଶ୍ୱରଙ୍କର ‘ମନ ଖ୍ୟାତି ଓ ସାଂସାରିକ ସଫଳତା ଉପରେ ନିବିଷ୍ଟ ହୋଇଥାନ୍ତା, ତେବେ ସେ ଅନାୟାସରେ ଜଣେ ସମ୍ରାଟ କିମ୍ବା ବିଶ୍ଵବିଜୟୀ ଯୋଦ୍ଧା ହୋଇପାରିଥାନ୍ତେl କିନ୍ତୁ ତା' ପରିବର୍ତ୍ତେ ସେ କ୍ରୋଧ ଏବଂ ଗର୍ବର ଆନ୍ତରିକ ଦୁର୍ଗମାନଙ୍କୁ ଧୂଳିସାତ କରିବାକୁ ପସନ୍ଦ କରିଥିଲେ, ଯାହାର ମୁଳୋତ୍ପାଟନ ହିଁ ମନୁଷ୍ୟ ଜନ୍ମର ସର୍ବୋଚ୍ଚ ସଫଳତା l” ଅଧିକ ସୂଚନା: yssofindia.org