-ସବୁ ଜାଣି ପ୍ରଶାସନ ଚୁପ୍‌

Advertisment
ରାଉରକେଲା: ସ୍ମାର୍ଟସିଟିରେ ଜମି ଜବରଦଖଲ ନୂଆ ନୁହେଁ। ଯିଏ ଯେଉଁଠି ସୁଯୋଗ ପାଇଲା, ସେଠାକାର ଜମି ଜବରଦଖଲକୁ ନେଇ ଘର ତିଆରାକଲା। ବସ୍ତିଠାରୁ ଆରମ୍ଭକରି ଅନ୍ୟ ସମସ୍ତ ପ୍ରମୁଖ ଅଞ୍ଚଳରେ ଏଭଳି ଜବରଦଖଲ ନିତିଦିନିଆ ହେଲାଣି। ଏବେ ଯାନ୍ତ୍ରିକ ଶିକ୍ଷାନୁଷ୍ଠାନର ବହୁମୂଲ୍ୟ ଜମିକୁ ଅକ୍ତିଆରକରି କାରଖାନା ସ୍ଥାପନ କରିବା ଘଟଣା ଲୋକଲୋଚନକୁ ଆସିଛି। ତେବେ ଏହି ଜବରଦଖଲ କୌଣସି ଉପାନ୍ତ ଅଞ୍ଚଳର ଶିକ୍ଷାନୁଷ୍ଠାନରେ ହୋଇନି, ବରଂ ସହରର କେନ୍ଦ୍ରସ୍ଥଳଭାବେ ପରିଚିତ ଜେଲ୍‌ ରୋଡ୍‌ରେଥିବା ଉତ୍କଳମଣି ଗୋପବନ୍ଧୁ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଞ୍ଜିନିଅରିଂ(ୟୁଜିଆଇଇ)ରେ ଏହା ପରିଲକ୍ଷିତ ହୁଏ। କଲେଜ କର୍ତ୍ତୃପକ୍ଷ ବାରମ୍ବାର ସ୍ଥାନୀୟ ତହସିଲ କାର୍ଯ୍ୟାଳୟ, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ ମଧ୍ୟ କିଛି ସୁଫଳ ମିଳୁନି।
ବାସ୍ତବରେ ଏହି ଯାନ୍ତ୍ରିକ ଅନୁଷ୍ଠାନର ଜମି ଜବରଦଖଲ ପ୍ରକ୍ରିୟା ୨୦୧୭ ମସିହାରେ ଆରମ୍ଭ ହୋଇଥିଲା। ଏସ୍‌ଟିଆଇ ଓଭରବ୍ରିଜ୍‌ ନିର୍ମାଣ ଦାୟିତ୍ବ ଠିକାସଂସ୍ଥା ବ୍ରାହ୍ମଣୀ ଇଞ୍ଜିନିଅର୍ସ‌୍ ପ୍ରାଇଭେଟ୍‌ ଲିମିଟେଡ୍‌କୁ ମିଳିଥିଲା। ସେତେବେଳେ ଉକ୍ତ ଠିକାସଂସ୍ଥା ନିର୍ମାଣାଧୀନ ପ୍ରକଳ୍ପସ୍ଥଳୀ ସଂଲଗ୍ନ ୟୁଜିଆଇଇର ଖୋଲା ଜମିରେ ବାଲି, ଲୁହାରଡ୍‌, ଚିପ୍‌ସ ଆଦି ଗଚ୍ଛିତ କରିଥିଲା। ୨୦୧୯ ମାର୍ଚ୍ଚ ପହିଲାରେ ଏହି ଓଭରବ୍ରିଜ୍‌ର ଶୁଭାରମ୍ଭ ହେବାର ପ୍ରାୟ ଦୁଇ ବର୍ଷ ପର୍ଯ୍ୟନ୍ତ କିନ୍ତୁ ଠିକାସଂସ୍ଥା ଉକ୍ତ ଜମିକୁ ଖାଲି କରିନଥିଲା। ଶେଷଆଡ଼କୁ ପ୍ରବଳ ପ୍ରତିବାଦ ହେବାରୁ ଖାଲି କରିଥିଲା। ୨୦୨୩ ଜାନୁଆରିରେ ହକି ବିଶ୍ବକପ ପାଇଁ ହକି ଷ୍ଟାଡିୟମ  ଓ ଅନ୍ୟାନ୍ୟ ପ୍ରକଳ୍ପ ନିର୍ମାଣ ପାଇଁ ୟୁଜିଆଇଇର ଉକ୍ତ ଖୋଲା ସ୍ଥାନକୁ ବ୍ୟବହାର କରାଯାଇଥିଲା। ସେତେବେଳେ ତତ୍କାଳୀନ ଜିଲ୍ଲାପାଳ ୟୁଜିଆଇଇ ଅଧ୍ୟକ୍ଷଙ୍କୁ ଉକ୍ତ ଖୋଲା ଜମି ଯୋଗାଇଦେବାକୁ ଲିଖିତ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ସେଠାରେ ପୂର୍ବଭଳି ସିମେଣ୍ଟ୍‌, ବାଲି, ଚିପ୍‌ସ, ଲୁହା ସାମଗ୍ରୀ ଆଦି ରଖାଯିବା ସହ କଂକ୍ରିଟ୍‌ ମିକ୍ସର ଫ୍ୟାକ୍ଟ୍ରି ସ୍ଥାପିତ ହୋଇଥିଲା। ଇତିମଧ୍ୟରେ ସମସ୍ତ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ ହେବାର ଦୁଇବର୍ଷ ବିତିଲାଣି, କିନ୍ତୁ ସେଠାରୁ ମିକ୍ସର ଫ୍ୟାକ୍ଟ୍ରି ସ୍ଥାନାନ୍ତର ହୋଇପାରୁନି।
ବେଧଡ଼କ ଏଠାରେ ଦିନରାତି ଫ୍ୟାକ୍ଟ୍ରି ଚାଲୁଥିବାବେଳେ ବ୍ୟାପକ ପରିମାଣରେ ପରିବେଶ ପ୍ରଦୂଷିତ କରୁଛି। ଉକ୍ତ ଜାଗା ଖାଲି କରିବାକୁ ଅନୁଷ୍ଠାନ ପକ୍ଷରୁ ଏକାଧିକବାର ନିବେଦନ କରାଯାଇଥିଲେ ମଧ୍ୟ ସଂପୃକ୍ତ ଫ୍ୟାକ୍ଟ୍ରି ମାଲିକ କିନ୍ତୁ ଧମକଚମକ ଦେଇ ଖାଲି କରୁନଥିବା ଅଭିଯୋଗ ହୋଇଛି। ଉକ୍ତ ଜମିରେ ୟୁଜିଆଇଇ ପକ୍ଷରୁ ଛାତ୍ରାବାସ, ଶ୍ରେଣୀଗୃହ ଓ ଅନ୍ୟାନ୍ୟ ପ୍ରକଳ୍ପ ନିର୍ମାଣ ପାଇଁ ଯୋଜନା ରହିଛି, କିନ୍ତୁ ଜବରଦଖଲକାରୀ ଜମି ଛାଡ଼ୁନଥିବାରୁ ପ୍ରକଳ୍ପ ଆଗେଇପାରୁନି।
ଏନେଇ ଗତ ୨ ବର୍ଷରୁ ଅଧିକ ସମୟହେଲା କଲେଜ କର୍ତ୍ତୃପକ୍ଷ ତହସିଲଦାର, ଅତିରିକ୍ତ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ପ୍ରଭାବ ପଡ଼ୁନି। ଏନେଇ ଅସନ୍ତୋଷ ବୃଦ୍ଧି ପାଇବାରୁ ତହସିଲ କର୍ତ୍ତୃପକ୍ଷ ପଦକ୍ଷେପ ନେଇଥିବା ଜଣାପଡ଼ିଛି। ଗତ ୨୮ ତାରିଖରେ ତହସିଲ କର୍ତ୍ତୃପକ୍ଷ ଜବରଦଖଲ ଉଚ୍ଛେଦ ପାଇଁ ରାଉରକେଲା ଏସ୍‌ପିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ୩୦ ତାରିଖ ପୂର୍ବାହ୍ନ ୧୦ଟାରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବ ଓ ଏଥିପାଇଁ ଆବଶ୍ୟକ ପୁଲିସ ଫୋର୍ସ ମୁତୟନ କରିବାକୁ ଚିଠିରେ ଉଲ୍ଲେଖ କରିଥିଲେ। ବିଡ଼ମ୍ବନା, କୌଣସି କାରଣରୁ ଏହି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇପାରିନି। ଏବେବି ୟୁଜିଆଇଇର ବହୁମୂଲ୍ୟ ଜମି ଜବରଦଖଲରେ ରହିଛି।