କୋରାପୁଟ: ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯେଜନାରେ ଚାଲିଥିବା ଗୃହ ନିର୍ମାଣ କାର୍ଯ୍ୟ କୋରାପୁଟ ଜିଲ୍ଲାରେ ମନ୍ଥର ଗତିରେ ଚାଲିଛି। ନୂଆ ଟାର୍ଗେଟ ୬୪୧୧ରୁ ୬୩ଟି ଆବାସ ସମ୍ପୂର୍ଣ ହୋଇପାରିଛି। ସେହିପରି ଗତ ୨୦୧୬-୧୭ଅର୍ଥିକ ବର୍ଷରୁ ୨୦୨୪-୨୫ଆର୍ଥିକ ବର୍ଷ ଯାଏଁ ୨୨ହଜାର ୫୧୧ଘର ଅସମ୍ପୁର୍ଣ୍ଣ ରହିଛି। 

Advertisment

ଜିଲ୍ଲା ପ୍ରଶାସନ ପକ୍ଷରୁ ଠିକ୍ ଭାବେ ତଦାରଖ କରାଯାଉନଥିବା, ନିର୍ମାଣ ଲାଗି ମନରେଗାରେ ଦିଆଯାଉଥିବା ମଜୁରି ମିଳିବାରେ ବିଳମ୍ବ, ନିର୍ମାଣ ସାମଗ୍ରୀର ଦର ବୃଦ୍ଧି ଏହାର ମୁଖ୍ୟ କାରଣ ବୋଲି ଅଭିଯୋଗ ହୋଇଛି। କେତେକ ହିତାଧିକାରୀ କିସ୍ତି ପାଇବା ପରେ ଖର୍ଚ୍ଚ କରିଦେଇଥିବାରୁ, ଘର କାମ ଶେଷ କରିବାରେ ସମସ୍ୟା ହେଉଥିବା କୁହାଯାଉଛି। ଆବାସ ନିର୍ମାଣ ବିଳମ୍ବ ସମ୍ପର୍କରେ କେତେକ ପଞ୍ଚାୟତ କର୍ମଚାରୀ, ହିତାଧିକାରୀ ଓ ଗ୍ରାମବାସୀ କହିଛନ୍ତି,।  

ଏପରିକି ପ୍ରକ୍ରିୟା ବର୍ଷ ଆରମ୍ଭରୁ ହେଉଥିଲେହେଁ କାର୍ଯ୍ୟାଦେଶ ବହୁ ସମୟରେ ଜୁନ୍ ଓ ଜୁଲାଇରେ ହିତାଧିକାରୀଙ୍କୁ ଦିଆଯାଉଛି। ଏହି ସମୟରେ ନିର୍ମାଣ ସାମଗ୍ରୀ ସିମେଣ୍ଟ, ଲୁ ହାଛଡ଼, ଇଟା, ବାଲି ଓ ପଥର ଦର ମଧ୍ୟ ବଢ଼ୁଛି। ତା ସାଙ୍ଗକୁ ପୂର୍ବ ଅପେକ୍ଷା ଏବେ ସବୁ କଂଚାମାଲ ଦର ଅଧିକ। ଏଥିଯୋଗୁ ଘର କାମ ଆରମ୍ଭରେ ବିଳମ୍ବ କରିଥିଲେ ହିତାଧିକାରୀ। କେତେକ ହିତାଧିକାରୀ କିସ୍ତି ଟଙ୍କା ପାଇବା ପରେ ଚାଷ ଓ ଅନ୍ୟାନ୍ୟ ବାବଦରେ ଖର୍ଚ୍ଚ କରିଦେଇଥିଲେ। ସେହିପରି ଘର ନିର୍ମାଣ ଲାଗି ଠିକାନେଇଥିବା ଠିକାଦାର ମଧ୍ୟ ହେଲା କରିଥିଲେ। ଫଳରେ କିସ୍ତି ଟଙ୍କା ପାଇ ମଧ୍ୟ ଠିକ୍ ସମୟରେ ଘର କାମ ଆରମ୍ଭ କରି ପାରିନଥିଲେ ହିତାଧିକାରୀ। 

publive-image

ବିଭାଗୀୟ ସୂଚନା ଅନୁଯାୟୀ, ଜିଲ୍ଲାରେ ଗତ ୨୦୧୬-୧୭ଆର୍ଥିକ ବର୍ଷରୁ ୨୦୨୪-୨୫ଆର୍ଥିକ ବର୍ଷ ଯାଏଁ ୯୯୪୭୭ଜଣ ହିତାଧିକାରୀଙ୍କୁ ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ଦିଆଯାଇଥିଲା। ସେଥିରୁ ୭୬ହଜାର ୯୬୬ଟି ଘର ସମ୍ପୁର୍ଣ୍ଣ ହୋଇଛି। ଏପରିକି ୨୦୨୩-୨୪ଆର୍ଥିକ ବର୍ଷରେ ଜିଲ୍ଲାକୁ ଘର ପାଇଁ ସରକାର ଅନୁଦାନ କିମ୍ବା ଟାର୍ଗେଟ ଦେଇନଥିଲେ। 

ଜିଲ୍ଲାର ୧୪ବ୍ଲକରେ  ୨୦୧୬-୧୭ରେ ୧୧୧୮୩ରୁ ୧୦୭୭୨ସମ୍ପୁର୍ଣ୍ଣ ହୋଇଥିଲା। ୨୦୧୭-୧୮ରେ ୧୦୬୧୧ରୁ ୧୦୩୬୮, ୨୦୧୮-୧୯ରେ ୮୩୩୬ରୁ ୮୦୫୩, ୨୦୧୯-୨୦ରେ ୨୨୧୫୬ରୁ ୨୧୧୬୩, ୨୦୨୦-୨୧ରେ ୨୫୨୦ରୁ ୨୪୧୫, ୨୦୨୧-୨୨ରେ ୩୮୩୧୦ରୁ ୨୪୧୩୨, ଓ ୨୦୨୪-୨୫ରେ ୬୩୬୧ରୁ ୬୩ଟି ସମ୍ପୁର୍ଣ୍ଣ ହୋଇଛି। ଯଦି ବ୍ଲକ ୱାରୀ ଦେଖାଯାଏ ତେବେ  ସର୍ବାଧିକ ଲକ୍ଷ୍ମୀପୁରରେ ୨୯୩୫ଟି ଘର ଅସମ୍ପୁର୍ଣ୍ଣ ରହିଛି। ବନ୍ଧୁଗାଁ ୨୮୪୬,ଜୟପୁର ୨୬୩୧, ନାରାୟଣପାଟଣା ୨୨୪୯, ବୈପାରୀଗୁଡା ୧୨୧୦, ବୋରିଗୁମ୍ମା ୧୨୯୩, ଦଶମନ୍ତପୁର ୧୧୭୧, କୋରାପୁଟ ୪୧୧, କୋଟପାଡ଼ ୧୪୬୨, କୁନ୍ଦ୍ରା ୧୪୨୨, ଲମତାପୁଟ ୧୬୪୩, ନନ୍ଦପୁର ୧୯୪୫, ପଟାଙ୍ଗୀ ୫୨୦,ଓ ସେମିଳିଗୁଡା ୭୭୩ଟି ଏଭଳି ୨୨ହଜାର ୫୧୧ଟି ଘର ଏହି ୭ବର୍ଷରେ ଅସମ୍ପୁର୍ଣ୍ଣ ରହିଛି। 

ବିଭିନ୍ନ ବ୍ଲକର ବିଡିଓ ଓ ଏବିଡିଓ ମାନଙ୍କୁ ଘର ନିର୍ମାଣ ସମ୍ପର୍କରେ ପଚାରିଲେ ବ୍ଲକର କର୍ମଚାରୀଙ୍କୁ ଏହି କାମକୁ ତ୍ବାରନ୍ବିତ କରିବା ପାଇଁ ଟିମ୍ ଘୋଷଣା କରାଯାଇଛି। ଟିମ୍ ବି ବୁଲୁଛନ୍ତି। ତେବେ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଆସିବା ପରେ ସେମାନେ କିଭଳି ଘର ନିର୍ମାଣକୁ ଗୁରୁତ୍ବ ଦେବା କଥା । ଦେଉ ନଥିବାରୁ ଏଭଳି ସମସ୍ୟା ଉପୁଜୁଛି ବୋଲି କିଛି କ୍ଷେତ୍ର କର୍ମଚାରୀ ପିଇଓ, ଜିଆରଏସ୍ ମାନେ କହିଛନ୍ତି। ଏହି ସ୍ଥିତିରେ ପୂର୍ବରୁ ଯେଭଳି ଇନ୍ଦିରା ଆବସରେ ବହୁ ଘର ଅର୍ଦ୍ଧନିର୍ମିତ ଅବସ୍ଥାରେ ରହିଯାଇଥିଲା ସେଭଳି ରହିଯିବ ନାହିଁ ତ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି।