ବିନିକା/ସେଲେଡ଼ି: ବିନିକା ବ୍ଲକ୍‌ ସେଲେଡ଼ି ଆବାସିକ କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟରେ ମଙ୍ଗଳବାର ମଧ୍ୟାହ୍ନଭୋଜନ ଖାଇ ୨୬ ଜଣ ଛାତ୍ରୀ ଅସୁସ୍ଥ ହୋଇପଡ଼ିଥିବା ଅଭିଯୋଗ ହୋଇଥିଲା। ଏହା ପରେ ସ୍ବାସ୍ଥ୍ୟ ବିଭାଗ ତତ୍ପରତା ପ୍ରକାଶ କରି ସେମାନଙ୍କ ଚିକିତ୍ସା କରିଥିଲା। ବର୍ତ୍ତମାନ ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଗୋପାଳ ଚନ୍ଦ୍ର ମଲ୍ଲିକ ପ୍ରକାଶ କରିଛନ୍ତି। 

Advertisment

ସୂଚନା ଅନୁସାରେ, ମଙ୍ଗଳବାର ଏହି ଛାତ୍ରୀମାନେ ମଧ୍ୟାହ୍ନଭୋଜନ ଖାଇଥିଲେ। କିଛି ସମୟ‌ ପରେ ସମାନଙ୍କ ମଧ୍ୟରୁ ୧୮ ଜଣ ଅସୁସ୍ଥ ହୋଇପଡ଼ିଥିଲେ। ଅସୁସ୍ଥମାନଙ୍କୁ ବିନିକା ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସା କରାଯାଇଥିଲା। ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବା ପରେ ସେମାନଙ୍କୁ ସ୍କୁଲରେ ଛାଡ଼ି ଦିଆଯାଇଥିଲା ଏବଂ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅନ୍ୟ ଛାତ୍ରୀମାନଙ୍କ ଚିକିତ୍ସା କରାଯାଇଥିଲା।

ବୁଧବାର ସକାଳୁ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ମଲ୍ଲିକଙ୍କ ନେତୃତ୍ବରେ ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ ସାହୁ, ଖାଦ୍ୟ ନିରାପତ୍ତା ଅଧିକାରୀ ସସ୍ମିତା ନାଏକ, ରାଜୀବ ପଧାନ ପ୍ରମୁଖ ବିଦ୍ୟାଳୟରେ ପହଞ୍ଚି ଶୁଖାଖାଦ୍ୟ, ପାଣି ଓ ଛାତ୍ରୀମାନଙ୍କ ସ୍ବାସ୍ଥ୍ୟ ଉପରେ ଅନୁଧ୍ୟାନ କରିଥିଲେ। ମଧ୍ୟାହ୍ନଭୋଜନ ଫିଙ୍ଗିଦିଆଯାଇଥିବାରୁ ସଂଗ୍ରହ କରିବା ସମ୍ଭବ ହୋଇ ନଥିଲା। ଏନେଇ ଡିଡିଏମଓ ଡ. ମଲ୍ଲିକଙ୍କୁ ପଚରାଯିବାରୁ ଶୁଖାଖାଦ୍ୟ ଓ ପାଣି ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିବା କହିଛନ୍ତି। ଏହାସହ ସମସ୍ତ କର୍ମଚାରୀ ଓ ଛାତ୍ରୀମାନଙ୍କୁ ବ୍ୟକ୍ତିଗତ ପରିଚ୍ଛନ୍ନତା, ବିଶୁଦ୍ଧ ପାଣି ପିଇବା ଓ ତଟକା ଖାଦ୍ୟ ଖାଇବାକୁ ପରାମର୍ଶ ଦେଇଥିଲେ। 

ସ୍କୁଲ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏହି ବିଦ୍ୟାଳୟ‌ରେ ୨୧୦ ଜଣ ଛାତ୍ରୀ ରହି ଅଧ୍ୟୟନ କରୁଛନ୍ତି। ଏଠାରେ ବହୁବର୍ଷ ହେଲା ପିଇିବାପାଣିର ଅଭାବ ଲାଗି ରହିଛି। ବିଭିନ୍ନ ସମୟରେ ଜିଲ୍ଲାପାଳ, ନେତା, ମନ୍ତ୍ରୀଙ୍କ ପାଖରେ ଅଭିଯୋଗ ହୋଇଆସୁଥି‌ଲେ ମଧ୍ୟ ପ୍ରଶାସନ ଶୁଣୁନଥିବା ଅଭିଯୋଗ ହେଉଛି। ଛାତ୍ରୀମାନେ ସ୍କୁଲ ବାହାରେ ରହିଥିବା ନଳକୂଅରୁ ପାଣି ସଂଗ୍ରହ କରି ଶୌଚ ହେବା ସହ ବିଭିନ୍ନ କାର୍ଯ୍ୟ କରି ଆସୁଛନ୍ତି। ଛାତ୍ରୀମାନଙ୍କ ପାଇଁ ନଳକୂଅ ଭରସା ବୋଲି ଜନସାଧାରରେ ଆଲୋଚନା ହେଉଛି।

 

ଏନେଇ ବିଡିଓ ମଣ୍ଟୁ ଖମାରୀଙ୍କୁ ପଚରାଯିବାରୁ କହିଥିଲେ, ଆଜି ଜିଲ୍ଲାପାଳଙ୍କ ସହ ଆଲୋଚନା ହୋଇଛି। ଜିଲ୍ଲାପ‌ାଳ ଆର୍‌ଡବ୍ଲୁଏସ୍‌ଏସ୍‌ ଅଧୀକ୍ଷଣ ଯନ୍ତ୍ରୀଙ୍କ ସହ ଆଲୋଚନା କରି ତୁରନ୍ତ ସ୍କୁଲରେ ପାଣି ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିବା ପ୍ରକାଶ କରିଛନ୍ତି।