ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡା, ନାରାୟଣପୁର ଏବଂ ବିଜାପୁର ପୁଲିସକୁ ବଡ ସଫଳତା ମିଳିଛି। ନାରାୟଣପୁର ଜିଲ୍ଲାର ଆବୁଝମାଡ ଜଂଗଲରେ ବୁଧବାର ସକାଳେ ହୋଇଥିବା ବଡ ଏନକାଉଣ୍ଟରରେ ୨୭ ଜଣ ନକ୍ସଲ ନିପାତ କରିଥିବା ବେଳେ ଜଣେ ଯବାନ ସହିଦ ହୋଇଛନ୍ତି। ଏଥିସହ ବହୁ ଯବାନ ମଧ୍ୟ ଆହତ ହୋଇଥିବା ଜଣାପଡିଛି। ଆହତ ଯବାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିବା କୁହାଯାଇଛି।
ବିଶେଷ ସୂତ୍ରରୁ ଖବର ମିଳିଥିଲା ଯେ ଆବୁଝମାଡ ଜଂଗଲରେ ପିଏଲଜିଏର ପୋଲିଟ ବ୍ୟୁର ସଦସ୍ୟ ଏବଂ କେନ୍ଦ୍ରୀୟ କମିଟିର ନେତାମାନେ କ୍ୟାମ୍ପ କରି ରହିଛନ୍ତି। ତୁରନ୍ତ ନାରାୟଣପୁର,ଦନ୍ତେଵାଡା ଏବଂ ବିଜାପୁର ଜିଲ୍ଲା ପୁଲିସ ସମେତ ଡିଆରଜି,ଏସଟିଫ ଯବାନ ଜଂଗଲକୁ ଘେରିଥିଲେ। ତିନି ଜିଲ୍ଲାର ସୀମାନ୍ତବର୍ତ୍ତୀ ଜଂଗଲକୁ ତିନି ପଟୁ ଘେରି ନକ୍ସଲମାନଙ୍କୁ ଆମ୍ବୁସରେ ଫସେଇଥିଲେ।
ଭୋର ସକାଳୁ ଏନକାଉଣ୍ଟର ହୋଇଥିଲା। ଦୀର୍ଘ ସମୟ ଧରି ଚାଲିଥିବା ଏହି ଏନକାଉଣ୍ଟରରେ ନକ୍ସଲ ଖସି ଯିବାକୁ ରାସ୍ତା ନଥିଲା। ତେବେ ଏହି କ୍ୟାମ୍ପର କେନ୍ଦ୍ରୀୟ କମିଟିର ମହାସଚିବ ତଥା ସଂପାଦକ ପଦବୀରେ ନ୍ୟସ୍ତ ଥିବା ମାଓ ନେତା ନାମ୍ବାଲା କେଶବ ରାଓ ମଧ୍ୟ ନିହତ ହୋଇଛି। କେଶବ ରାଓ ନାମରେ ସରକାର ଦେଢ କୋଟି ଟଂକାର ପୁରସ୍କାର ଘୋଷିତ କରିଥିଲେ। ଅନ୍ୟ ନକ୍ସଲଙ୍କର ଚିହ୍ନଟ ହୋଇପାରି ନାହିଁ। ଯବାନ ଜିଲ୍ଲା ପୁଲିସ କାର୍ଯ୍ୟାଳୟକୁ ଫେରିବା ପରେ ହିଁ ବିସ୍ତୃତ ରିପୋର୍ଟ ପ୍ରଦାନ କରାଯିବ ବୋଲି ପୁଲିସ କହିଛି।
ନାମ୍ବଲା କେଶବ ରାଓ ଓରଫ ବାସବରାଜୁ ଅରଫ ଗଗନ୍ନା ଅରଫ କ୍ରିଷ୍ଣା ଓରଫ ପ୍ରକାଶ ଅରଫ ନରସିଂହା ଇତ୍ୟାଦି ନାମରେ ପରିଚିତ ଥିଲା। ୧୯୭୦ ଦଶକରେ ସେ ମାଓ ସଂଗଠନରେ ସାମିଲ ହୋଇଥିଲା। ସେ ଜଣେ ଇଂଜିନିୟରିଂ ଛାତ୍ର ଥିଲେ। କେଶବ ରାଓ ଦୀର୍ଘ ୩୫ ବର୍ଷ ଧରି ସଂଗଠନରେ କାମ କରିଛନ୍ତି। ସେ କମାଣ୍ଡରରୁ ଧୀରେଧୀରେ ପୋଲିଟ ବ୍ୟୁର ଓ ପରେ ୨୦୧୮ ମସିହାରେ କେନ୍ଦ୍ରୀୟ କମିଟିର ମହାସଚିବ ବନିଥିଲେ। ଯୁଦ୍ଧ କଳାରେ ନିପୁଣ ଥିଲେ। ପୁଲିସକୁ କିପରି ଆମ୍ବୁସରେ ଫସାଇ ମାରିବାକୁ ହୁଏ ସେ ବେଶ୍ ସିଦ୍ଧ ହସ୍ତ ଥିଲେ।
୨୦୧୦ ମସିହାରେ ଦନ୍ତେୱାଡା ଆକ୍ରମଣରେ ୭୬ ଜଣ ସିଆରପିଏଫ ଯବାନଙ୍କୁ ହତ୍ୟା କରିବାରେ ସାମିଲ ଥିଲା। ୨୦୧୩ରେ ଜିରମ ଘାଟି ହମଲାରେ ୨୭ ଜଣ ମୃତ୍ୟୁବରଣ କରିଥିଲେ। ଏଥିରେ କଂଗ୍ରେସ ରାଜ୍ୟ ସଭାପତି ମହେନ୍ଦ୍ର କର୍ମା ମଧ୍ୟ ମୃତ୍ୟୁବରଣ କରିଥିଲେ। ୨୦୧୮ରେ ଆରକୁ ହମଲାରେ ତେଲୁଗୁ ଦେଶମ ପାର୍ଟିର ବିଧାୟକ କେଦାରି ସର୍ବେଶ୍ବରରାଓଙ୍କୁ ହତ୍ୟା, ୨୦୧୯ରେ ଗଡଚିରୋଲିରେ ୧୫ ଜଣ କମାଣ୍ଡୋଙ୍କୁ ହତ୍ୟା କରିବା ଘଟଣାରେ ସାମିଲ ଥିଲା। ନାମ୍ବଲା କେଶ ରାଓଙ୍କ ମୃତ୍ୟୁ ପରେ ସଂଗଠନ ପୁରା ଭୁଶୁଡି ଯାଇଥିବା କୁହାଯାଇଛି। ହାତଗଣତି ଆଉ କିଛି ନେତା ବଞ୍ଚିଥିବା ବେଳେ ସେମାନଙ୍କୁ ମଧ୍ୟ ଏନକାଉଣ୍ଟର କରାଯିବ ବୋଲି ପୁଲିସ କହିଛି। ତୁରନ୍ତ ବାକି ନକ୍ସଲ ଆତ୍ମସମର୍ପଣ କରନ୍ତୁ ନଚେତ ସମସ୍ତେ ଏଭଳି ମରିବେ ବୋଲି କୁହାଯାଇଛି।
Malkangiri