ରାୟପୁର: ରାୟପୁରର ସହିଦ ବୀରନାରାୟଣ ସିଂ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଆଜି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ବିତୀୟ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳାଯିବ। ପ୍ରଥମ ମ୍ୟାଚ ଜିତିଥିବା ଭାରତ ଏହି ମ୍ୟାଚକୁ ଜିତି ଶୃଙ୍ଖଳାରେ ନିଜର ଅଗ୍ରଣୀ ସ୍ଥିତିକୁ ଜାରି ରଖିବାକୁ ଉଦ୍ୟମ କରିବ। ନ୍ୟୁଜିଲାଣ୍ଡ ବି ଏହି ମ୍ୟାଚକୁ ଜିତି ଶୃଙ୍ଖଳାକୁ ବରାବର କରିବାକୁ ଉଦ୍ୟମ କରିବ।

Advertisment

ଆଜିର ମ୍ୟାଚରେ ଭାରତୀୟ ଦଳ ଅଲରାଉଣ୍ଡର ଅକ୍ଷର ପଟେଲଙ୍କୁ ବିଶ୍ରାମ ଦେବାର ସମ୍ଭାବନା ରହିଛି। ପ୍ରଥମ ମ୍ୟାଚରେ ସେ ବୋଲିଂ କରିବା ସମୟରେ ସାମାନ୍ୟ ଆହତ ହୋଇ ପଡ଼ିଆ ଛାଡ଼ିଥିଲେ। ନ୍ୟୁଜିଲାଣ୍ଡର ଡାରିଲ୍ ମିଚେଲଙ୍କୁ ବୋଲିଂ କରିବା ସମୟରେ ତାଙ୍କ ଅଙ୍ଗୁଳିରେ ଆଘାତ ଲାଗିଥିଲା। ଏହା ପରେ ସେ ଓଭର ପୂରଣ ନ କରି ପଡ଼ିଆ ଛାଡ଼ିଥିଲେ। ତାଙ୍କର ଅବଶିଷ୍ଟ ଓଭର ଅଭିଷେକ ଶର୍ମା ପୂରଣ କରିଥିଲେ। ଏଣୁ ଅକ୍ଷର ଶୁକ୍ରବାରର ମ୍ୟାଚ ଖେଳିବା ସମ୍ଭାବନା କମ୍। ତାଙ୍କ ସ୍ଥାନରେ ଭାରତୀୟ ଦଳ କୁ​ଳଦୀପ ଯାଦବଙ୍କୁ ଖେଳାଇବାର ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ Lady Forester Demands Bribe ଖୋଲାଖୋଲି ଲାଞ୍ଚ ମାଗିଲେ ମହିଳା ଫରେଷ୍ଟର, ଟ୍ରାକ୍ଟର ଅଟକାଇଲେ

 ଭାରତ ପାଖରେ ରବି ବିଷ୍ଣୋଇ ମଧ୍ୟ ଜଣ ବିକଳ୍ପ ଅଛନ୍ତି। କିନ୍ତୁ କୁଳଦୀପଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିପାରେ। ବ୍ୟାଟିଂରେ ଭାରତର ଅଭିଷେକ ଶର୍ମାଙ୍କ ଉପରେ ସମସ୍ତଙ୍କ ନଜର ରହିବ। ପ୍ରଥମ ମ୍ୟାଚରେ ସେ ୮୪ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। କିନ୍ତୁ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଫର୍ମକୁ ନେଇ ଚିନ୍ତା ରହିଛି। ପ୍ରଥମ ମ୍ୟାଚରେ ସୂର୍ଯ୍ୟକୁମାର ୩୨ ରନ କରିଥିଲେ। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଦଳରେ କୌଣସି ପରିବର୍ତ୍ତନ ହେବାର ସମ୍ବାବନା କମ୍। ତେବେ କ୍ରିଷ୍ଟିଆନ କ୍ଲାର୍କଙ୍କ ସ୍ଥାନରେ ଅଭିଜ୍ଞ ମ୍ୟାଟ୍ ହେନେରିଙ୍କୁ ଖେଳାଯାଇପାରେ।