ନବରଙ୍ଗଗପୁର: ଜିଲ୍ଲାରେ ଦିନକୁ ଦିନ ସଡ଼କ ଦୁର୍ଘଟଣା ବହୁମାତ୍ରାରେ ବୃଦ୍ଧି ପାଇଛି। ଗତ ୩ ବର୍ଷ ମଧ୍ୟରେ ସଡ଼କ ଦୁର୍ଘଟଣାରେ ୩୧୮ ଜଣଙ୍କ ଜୀବନ ଚାଲିଗଲାଣି। ୨୦୨୩ରେ ଦୁର୍ଘଟଣା ଜନିତ ୨୫୬ଟି ମାମଲା ରୁଜୁ କରାଯାଇଥିବା ବେଳେ ୧୭୧ଜଣଙ୍କର ମୃତ୍ୟୁ ହୋଇଛି। ୨୦୨୪ରେ ୧୭୧ଟି ମାମଲା ରୁଜୁ କରାଯାଇ ୭୭ଜଣ ଓ ୨୦୨୫ରେ ୯୦ଟି ମାମଲା ରୁଜୁ କରାଯାଇଥିବା ବେଳେ ୭୦ଟି ଏଭଳି ୩୧୮ଜଣଙ୍କ ସଡକ ଦୁର୍ଘଟଣାରେ ପ୍ରାଣ ଚାଳିଯାଇଛି। ତେବେ ସଂକଟାପନ୍ନ ଅବସ୍ଥାରେ ବାହାରକୁ ଚିକିତ୍ସା ପାଇଁ ଯାଇ ଓ ଘରେ ଚିକିତ୍ସାଧୀନ ଅବସ୍ଥାରେ ରହି ମରିଥିବା ସଂଖ୍ୟାକୁ ଦେଖିଲେ ଏହା ଆହୁରି ଅଧିକା ହେବ।

Advertisment

ନାବାଳକଙ୍କ ଦ୍ରୁତଗାଡ଼ି ଚାଳନା, ବିନା ଡ୍ରାଇଭିଂ ଲାଇସେନ୍ସରେ ବେପରୁଆ ଗାଡି ଚାଳନା ଯୋଗୁ ଦୁର୍ଘଟଣା ବୃଦ୍ଧି ପାଉଥିବା ଚର୍ଚ୍ଚା। ବାହା ଜିଲ୍ଲା ଓ ରାଜ୍ୟରୁ ଅନେକ ବ୍ୟବସାୟୀ ମୋଟର ସାଇକେଲରେ ଗାଁ ଗାଁ ବୁଲି ବ୍ୟବସାୟ କରୁଛନ୍ତି। ହେଲେ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ନିୟମିତ ଯାଞ୍ଚ କରାଯାଉ ନ ଥିବାରୁ ଆଂଚଳିକ ପରିବହନ ବିଭାଗ ସହ ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ଯାଂଚ କରିବାର ଆବଶ୍ୟକତା ରହିଛି। ଏପରିକି ବହୁ ନାବାଳକ ଓ ନବାଳିକା ବିନା ଡିଏଲରେ ବାଇକ ଠାରୁ ଆରମ୍ଭ କରି କାର ଯାଏଁ ଦ୍ରୁତ ଗତିରେ ଚଳାଇ ଦୁର୍ଘଟଣାର ଶୀକାର ହେଉଥିବା ନଜିର ରହିଛି।

୨୦୨୪-୨୫ଆର୍ଥିକ ବର୍ଷରେ ନବରଙ୍ଗପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ମୋଟର ଯାନ ରାଜସ୍ୱ କ୍ଷେତ୍ରରେ ଲକ୍ଷ୍ୟ ଧାର୍ଯ୍ୟର ୯୮% ହାସଲ କରିଥିବା କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ୩୨୦ କୋଟି ଟଙ୍କା ଲକ୍ଷ୍ୟଧାର୍ଯ୍ୟ ସ୍ଥଳେ ୩୧୩.୨୯ କୋଟି ଟଙ୍କା ସଂଗ୍ରହ କରାଯାଇଛି। ୨୦୨୫-୨୬ ଆର୍ଥକ ବର୍ଷ ପାଇଁ ୨୦୨୫ମେ’ମାସ ମଧ୍ୟରେ ୫୬.୧୯ କୋଟି ଟଙ୍କା ସଂଗ୍ରହ ଯାହାକି ଲକ୍ଷ୍ୟଧାର୍ଯ୍ୟର ୧୦୧ପ୍ରତିଶତ କରିଛି। ୨୦୨୪-୨୫ରେ ୬୩୪୭ଟି ଇ-ଚାଳାଣ ଜାରି କରି ୬.୨୦ କୋଟି ଟଙ୍କା ଜରିମାନା ଆଦାୟ କରାଯାଇଛି।

ବେପରୁଆ ଭାବେ ଦ୍ରୁତଗତିରେ ଗାଡି ଚଳାଇବା, ଟ୍ରାଫିକ ନିୟମ ନମାନିବା, ଓଭର ଟେକ୍ କରିବା, ଗାଡ଼ି ଚଳାଇବା ବେଳେ ମୋବାଇଲରେ କଥା ହେବା, ହେଲମେଟ ନପିନ୍ଧିବା ଓ ସିଟ୍ ବେଲ୍ଟ ନବାନ୍ଧିବା, ମଦ୍ୟପାନ କରି ଗାଡ଼ି ଚଳାଇବା ଯୋଗୁ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି।। ଶତାଧିକ ଗୁରୁତର ଆହାତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସାଧୀନ ରହିଛନ୍ତି। ତୁରନ୍ତ ଉପଯୁକ୍ତ ଚିକିତ୍ସା ମିଳି ନଥିବାରୁ ଗୁରୁତର ଆହତଙ୍କ ମଧ୍ୟରୁ କେତେକ ବ୍ୟକ୍ତି ପଙ୍ଗୁ ହୋଇ ଘରେ ବସିଛନ୍ତି । ଆଉ କିଛି ଜୀବନ ମରଣ ସହ ବିଭିନ୍ନ ଡାକ୍ତରଖାନା ଓ ଘରେ ସଂଘର୍ଷ କରୁଛନ୍ତି। ଜିଲ୍ଲାର ଉମରକୋଟ, ଡାବୁଗାଁ, ପାପଡାହାଣ୍ଡି ଓ ନବରଙ୍ଗପୁର ଥାନା ଅଂଚଳରେ ବେଶିମାତ୍ରାରେ ଦୁର୍ଘଟଣା ହେଉଛି।  ତେବେ ଏହାକୁ ରୋକିବାକୁ ପୁଲିସ, ଆଂଚଳିକ ପରିବହନ କାର୍ଯ୍ୟାଳୟ ସହ ଜିଲ୍ଲାପ୍ରଶାସନର ମିଳିତ ପ୍ରୟାସର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। 

Accident | Nabarangpur