ଭଦ୍ରକ: ଚୋରଙ୍କ ଠାରୁ ବ୍ୟବସାୟର ସୁରକ୍ଷା ପାଇଁ ସିସିଟିଭି କ୍ୟାମେରା ଲାଗୁଥିବା ବେଳେ ଏହାକୁ ଲୁଟିଥିଲେ ଲୁଟେରା। ଗୋଟିଏ ରାତିରେ ଭଦ୍ରକ ସହର ଓ ଏହାର ଆଖପାଖ ଅଞ୍ଚଳର ଦୋକାନରୁ ପ୍ରାୟ ୨୨ରୁ ଊର୍ଦ୍ଧ୍ବ ସିସିଟିଭି ଲୁଟି ନେଇଥିଲେ ଦୁଇ ଜଣ ଲୁଟେରା, ଯାହାକୁ ନେଇ ଭଦ୍ରକ ଟାଉନ ଥାନା ଓ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ ହୋଇଥିଲା।
ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଦୁଇ ଜଣ ଲୁଟେରାଙ୍କୁ ଗିରଫ କରାଯାଇଛି। କ୍ୟାମେରା ଚୋରି ପୂର୍ବରୁ ସିସିଟିଭିରେ ରେକର୍ଡ ଏକ ଭିଡିଓରେ ଦେଖିଆ ପାଇଁ ମିଳିଥିଲା। ଏକ କଳା ରଙ୍ଗର ବ୍ୟାଟେରି ଗାଡ଼ିରେ ବିଳମ୍ବିତ ରାତିରେ ଦୁଇ ଜଣ ଯୁବକ ଭଦ୍ରକ ସହର ସାରା ବୁଲିବୁଲି ବିଭିନ୍ନ ଦୋକାନ ବାହାରେ ଲାଗିଥିବା ସିସିଟିଭି କ୍ୟାମେରା ଲୁଟ କରୁଥିଲେ। ଜଣେ ଯୁବକ ଗାଡ଼ିରେ ବସିଥିବା ବେଳେ ଅନ୍ୟ ଯୁବକ ଜଣକ ମୁହଁରେ ରୁମାଲ ବାନ୍ଧି କ୍ୟାମେରା ଚୋରି କରିଥିବା ଦେଖିବାପାଇଁ ମିଳିଥିଲା।
ଭଦ୍ରକ ଏସପି ଅଫିସ ସାମ୍ନା, ନରିପୁର, ବନ୍ତଛକ, ଆରଡ଼ି ଛକ ପରି ଅନେକ ଛକ ଦୋକାନ ମାନଙ୍କରେ ଲାଗିଥିବା ୨୨ରୁ ଊର୍ଦ୍ଧ୍ବ ସିସିଟିଭି କ୍ୟାମେରା ଲୁଟ ହୋଇଥିଲା।
ତେବେ ସିସିଟିଭି ଫୁଟେଜ , ଲୋକାଲ ଇଣ୍ଟେଲିଜେନ୍ସକୁ ଆଧାର କରି ଭଦ୍ରକ ଜିଲ୍ଲା ଏରେଇଁ ଅଞ୍ଚଳର ବିଶ୍ୱଜିତ୍ ସେଠୀ ଓ ଯାଜପୁର ଟାଉନ୍ ଅଞ୍ଚଳର ମଙ୍ଗଳ ପୃଷ୍ଟିଙ୍କୁ ଭଦ୍ରକ ସହରାଞ୍ଚଳ ପୁଲିସ ଆଜି ଗିରଫ କରିଛି। ମୋଟ ୩୫ କ୍ୟାମେରା, ଦୁଇ ମୋବାଇଲ୍ ଓ ଗୋଟିଏ ଓଲା ବାଇକ୍ ଜବତ୍ ହୋଉଛି। ତେବେ ଗିରଫ ଦୁଇ ଯୁବକ ସିସିଟିଭି କ୍ୟାମେରା ସର୍ଭିସିଂ କାମ କରୁଥିଲେ। ତେବେ ଏହି କ୍ୟାମେରା ଗୁଡ଼ିକୁ ଆବଶ୍ୟକସ୍ଥଳେ ସଫା କରି ଅନ୍ୟକୁ ବିକ୍ରି କରିବା ନେଇ ସୂଚନା ମିଳିଛି।
ଆଜି ଭଦ୍ରକ ଟାଉନ ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ଭଦ୍ରକର ଅତିରିକ୍ତ ଏସ୍ପି ଅରୂପ ଅଭିଷେକ ବେହେରା ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ଭଦ୍ରକରେ ଏଣିକି ସବୁ ଛକ ସ୍ଥାନରେ ସିସି କେମେରା ଲଗାଯାଇ ଅପରାଧିକ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ।
Bhadrak