ବୈଶିଙ୍ଗା: ସାମୁଦ୍ରିକ ଝଡ଼ 'ଦାନା' ଦ୍ୱାରା ଉପୁଜିବାକୁ ଥିବା ସମସ୍ତ ପ୍ରକାର ପରିସ୍ଥିତିକୁ ମୁକାବିଲା କରିବା ତଥା ଜିରୋ କାଜୁଆଲିଟି ପାଇଁ ଜିଲ୍ଲା ପ୍ରଶାସନ ସମେତ ବେତନଟୀ ବ୍ଲକ ପ୍ରଶାସନ ତରଫରୁ ସବୁପ୍ରକାର ପ୍ରସ୍ତୁତି ପ୍ରାୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ବାତ୍ୟା ଦାନା ମୁକାବିଲା ନିମନ୍ତେ ପ୍ରଶାସନ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପ୍ରରିଷେଧାତ୍ମକ ପଦକ୍ଷେପ ଏବଂ ସ୍ୱତନ୍ତ୍ର ବନ୍ଦୋବସ୍ତ ବାବଦରେ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିବା ସହିତ ବୁଧବାର ଅପରାହ୍ନରେ ବୈଶିଙ୍ଗା ଥାନା ଅଧୀନ ପାଟଳିପୁରା, ଶାଳଗାଁ ଏବଂ ମାଣତ୍ରୀରେ ହୋଇଥିବା ବନ୍ୟାବାତ୍ୟା ଆଶ୍ରୟସ୍ଥଳୀ ଏବଂ ଆସ୍ଥାୟୀ ବିସ୍ଥାପନ କେନ୍ଦ୍ର ପରିଦର୍ଶନ କଲେ ବିଧାୟକ ସନାତନ ବିଜୁଳି, ମୟୂରଭଞ୍ଜ ଜିଲ୍ଲା ପାଇଁ ନୋଡାଲ ଅଫିସର ଭାବରେ ନିଯୁକ୍ତି ପାନୀୟଜଳ ଓ ପରିମଳ ବିଭାଗର ନିର୍ଦେଶକ ତଥାପ ଅତିରିକ୍ତ ସଚିବ ଭିନୀତ ଭରଦ୍ୱାଜଙ୍କ ସମେତ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସଏ, ମୟୁରଭଞ୍ଜ ଏସପି ବରୁଣ ଗୁଣ୍ଟୁପାଲ୍ଲୀଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀଗଣ।
ସୂଚନା ମୁତାବକ ବାତ୍ୟା ଦାନାର ମୁକାବିଲା ଏବଂ ଧନଜୀବନର ସୁରକ୍ଷା ପାଇଁ ରାଜ୍ୟସରକାରଙ୍କ ପକ୍ଷରୁ ବ୍ୟାପକ ବନ୍ଦୋବ୍ୟସ୍ତ କରାଯାଇଥିବା ବେଳେ ଏହାକୁ ସୁନିଶ୍ଚିତ କରିବା ତଥା ସମୀକ୍ଷା କରିବାକୁ ବରିଷ୍ଠ ପଦାଧିକାରୀଗଣ ବୈଶିଙ୍ଗା ଥାନା ଅଧୀନ ପାଟଳିପୁରା, ଶାଳଗାଁ ଏବଂ ମାଣତ୍ରୀ ଗସ୍ତ କରିଥିଲେ।
ଏହି ଅବସରରେ ବଡ଼ସାହି ବ୍ଲକ ବିଡ଼ିଓ ବନଜା ଦାସ, ବୈଶିଙ୍ଗା ଥାନା ଅଧିକାରୀ ତପନ କୁମାର ପ୍ରଧାନ, ବଡ଼ସାହି ଥାନା ଅଧିକାରୀ ଉମାଶଙ୍କର ନାୟକଙ୍କ ସମେତ ଅନ୍ୟାନ୍ୟ ବ୍ଲକ ଏବଂ ପଞ୍ଚାୟତସ୍ତରୀୟ କର୍ମଚାରୀ ଉପସ୍ଥିତ ଥିଲେ। ବନ୍ୟାବାତ୍ୟା ଆଶ୍ରୟସ୍ଥଳୀ ସମେତ ଅସ୍ଥାୟୀ ବିସ୍ଥାପନ କେନ୍ଦ୍ରମାନଙ୍କରେ ୨୪ଘଣ୍ଟିଆ ବିଦ୍ୟୁତ ଏବଂ ବିଶୁଦ୍ଧ ପାନୀୟଜଳ ବ୍ୟବସ୍ଥା ସାଙ୍ଗକୁ ଶୁଖିଲାଖାଦ୍ୟର ବ୍ୟବସ୍ଥା ମଧ୍ୟ କରାଯାଇଛି। ବର୍ଷା ଆରମ୍ଭ ହୋଇଯାଇଥିବାରୁ ଆଜି ରାତି ସୁଦ୍ଧା ସମସ୍ତ କଚ୍ଚା ଘରୁ ଲୋକମାନଙ୍କୁ ନିକଟସ୍ଥ ସ୍କୁଲ ଓ ଅଙ୍ଗନବାଡି ନଚେତ ବନ୍ୟାବାତ୍ୟା ଆଶ୍ରୟସ୍ଥଳୀ ଭଳି ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦିଆଯାଉଛି।
ଅନ୍ୟପଟେ ସ୍ଥାନୀୟ ଅଧିକାରୀ ତଥା ସରପଞ୍ଚ ମାନଙ୍କୁ ଉକ୍ତ ଅସ୍ଥାୟୀ ଆଶ୍ରୟସ୍ଥଳୀ ଗୁଡିକରେ ରନ୍ଧା ଖାଦ୍ୟ ସମେତ ଶୁଖିଲା ଖାଦ୍ୟ ମହଜୁଦ ରଖିବାକୁ ନିର୍ଦେଶ ଦେଇଛନ୍ତି। ଖବର ଲେଖା ହେବା ବେଳକୁ ବେତନଟୀ ବ୍ଲକରେ ପ୍ରଶାସନ ପକ୍ଷରୁ ୩୯ଟି ଅସ୍ଥାୟୀ ଆଶ୍ରୟସ୍ଥଳ ସମ୍ପୂର୍ଣରୂପେ ପ୍ରସ୍ତୁତ କରା ସରିଯାଇଛି।
ପଞ୍ଚାୟତିରାଜ, ରାଜସ୍ବ, ପୁଲିସ, କୃଷି, ପ୍ରାଣୀସମ୍ପଦ, ପାନୀୟ ଜଳଯୋଗାଣ, ପୂର୍ତ୍ତ, ଗ୍ରାମ୍ୟଉନ୍ନୟନ, ସ୍ୱାସ୍ଥ୍ୟ, ଶିଶୁ ଓ ମହିଳା କଲ୍ୟାଣ ବିଭାଗ ସମେତ ଅଗ୍ନିଶମ ଓ ବନବିଭାଗକୁ ୨୪ଘଣ୍ଟିଆ ଆଲର୍ଟରେ ରଖାଯାଇଛି। ଏପଟେ ଗର୍ଭବତୀଙ୍କୁ ବେତନଟୀ ଓ ବୈଶିଙ୍ଗା ତାକ୍ତରଖାନରେ ଥିବା ଡେଲିଭେରୀ ପୋଏଣ୍ଟକୁ ସ୍ଥାନାନ୍ତରିତ କରାଯାଇଛି। ଗର୍ଭବତୀମାନଙ୍କୁ ଡେଲିଭେରି ପଏଣ୍ଟ ପର୍ଯ୍ୟନ୍ତ ସ୍ଥାନାନ୍ତର ପ୍ରକ୍ରିୟା ଚାଲୁରହିଥିବା ବେଳେ ଏଥିରେ ସ୍ୱାସ୍ଥ୍ୟବିଭାଗର ଏକାଧିକ ଟିମ ନିୟୋଜିତ ହୋଇଥିବା ଡାକ୍ତରଖାନା ଅଧିକାରୀ ଡ଼. ସିପୁନ କୁମାର ପଣ୍ଡା ସୂଚନା ଦେଇଛନ୍ତି। ବୁଧବାର ସକାଳେ ମୟୂରଭଞ୍ଜ ସିଡିଏମଓ ବେତନଟୀ ଡାକ୍ତରଖାନା ପରିଦର୍ଶନ ପୂର୍ବକ ସ୍ଥିତି ସମୀକ୍ଷାକରି ଫେରିଥିବା ବେଳେ ସମସ୍ତ ସ୍ୱାସ୍ଥ୍ୟ ଅଧିକାରୀ ଓ କର୍ମଚାରୀ ହେଡ଼କ୍ଵାଟରରେ ସଜାଗ ଥିବାର ଦେଖିବାକୁ ମିଳିଛି। ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ୩୭ଜଣ ଗର୍ଭବତୀଙ୍କୁ ବେତନଟୀ ଓ ବୈଶିଙ୍ଗା ଡାକ୍ତରଖାନାର ଡେଲିଭେରି ପଏଣ୍ଟକୁ ସ୍ଥାନାନ୍ତରିତ କରସାରିଥିବା ବେଳେ ଏହି ସଂଖ୍ୟା ଆଗକୁ ଆହୁରି ବଢ଼ିବା ନେଇ ଡାକ୍ତରଖାନା ଅଧିକାରୀ ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି।