ନବରଙ୍ଗପୁର: ତତ୍କାଳୀନ ସରକାର ପଡ଼ା ଗାଁଗୁଡ଼ିକର ଜନସଂଖ୍ୟା ଓ ଘରର ଅଭିବୃଦ୍ଧିକୁ ଲକ୍ଷ୍ୟ କରି ରାଜସ୍ବ ଗାଁର ମାନ୍ୟତା ଦେବାକୁ ଘୋଷଣା କରି କାର୍ଯ୍ୟକାରୀ କରି ପାରି ନଥିଲେ। ନୂଆ ସରକାର ଆସିବା ପରେ ଏହାକୁ କାର୍ଯ୍ୟାନ୍ବୟନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି କ୍ରମରେ ନବରଙ୍ଗପୁର ଜିଲ୍ଲାର ୧୦ଟି ତହସିଲର ୩୮ଟି ପଡ଼ା ଗାଁ ଏବେ ରାଜସ୍ବ ଗାଁର ମାନ୍ୟତା ଅପେକ୍ଷାରେ ରହିଛନ୍ତି। ରାଜ୍ୟସରକାର ଘୋଷଣା କରି ବିଜ୍ଞପ୍ତି ପ୍ରକାଶ କରିବା ପରେ ଏହି ସବୁ ପଡ଼ାଗାଁ ରାଜସ୍ବ ଗାଁର ମାନ୍ୟତା ପାଇବ। ଏହା ସହ ଏହି ଗାଁ ଗୁଡ଼ିକର ସୀମା ସରହଦ ଆଦି ବୃଦ୍ଦି ପାଇବ।
ନବରଂଗପୁର ଜିଲ୍ଲାରେ ୧୦ଟି ବ୍ଲକ ଓ ତହସିଲ, ୧୮୯ଟି ପଂଚାୟତ, ୭୮ଟି ରାଜସ୍ବ ଗାଁ, ୮୮୭ଟି ଗାଁ, ୨ଟି ପୌରାଂଚଳ ସହ ୧୨ଟି ପୁଲିସ ଥାନା ପୂର୍ବରୁ ରହି ଆସିଛି। ୧୨ଲକ୍ଷରୁ ଊର୍ଦ୍ଧ୍ବ ଜନସଂଖ୍ୟା ବସବାସ କରୁଛନ୍ତି।
ରାଜ୍ୟ ସରକାର ନିର୍ଦ୍ଦେଶ ଦେବା ପରେ ଜିଲ୍ଲାର ୮ଟି ତହସିଲର ୧୩୩ଟି ବଡ଼ବଡ଼ ପଡ଼ା ଗାଁକୁ ସର୍ଭେ କରି ଚୟନ କରାଯାଇଥିଲା। ଏଥିରେ ନବରଙ୍ଗପୁର ତହସିଲରେ ୨୮ଟି, ନନ୍ଦାହାଣ୍ଡି ୧୭ଟି, ପାପାଡ଼ାହାଣ୍ଡି ୩୦ଟି, ତେନ୍ତୁଳିଖୁଣ୍ଟି ୯ଟି, କୋଡିଙ୍ଗା ୨୮ଟି, ଡାବୁଗାଁ ୧୮ଟି, ଉମରକୋଟରେ ୭ଟି ଓ ଝରିଗାଁ ତହସିଲରେ ଗୋଟିଏ ଏଭଳି ସର୍ବମୋଟ ୧୩୩ଟି ପଡ଼ା ଗାଁକୁ ଚୟନ କରାଯାଇଥିଲା। ଏଥିରୁ ପୁଣି ଯାଞ୍ଚ କମିଟି ଓ ଜିଲ୍ଲା କମିଟି ନବରଙ୍ଗପୁରର ୫, ନନ୍ଦାହାଣ୍ଡି ୨, ପାପାଡ଼ାହାଣ୍ଡି ୧୫, ତେନ୍ତୁଳିଖୁଣ୍ଟି ୨, କୋଡ଼ିଙ୍ଗା ୭, ଡାବୁଗାଁ ୫, ଉମରକୋଟ ଓ ଝରିଗାଁ ଗୋଟିଏ ଲେଖାଏଁ ୩୮ଟି ପଡ଼ା ଗାଁକୁ ରାଜସ୍ବ ଗାଁ ମାନ୍ୟତା ଦେବାକୁ ଜିଲ୍ଲା ପ୍ରଶାସନ ରାଜ୍ୟ ରାଜସ୍ବ ବୋର୍ଡ ନିକଟକୁ ପ୍ରସ୍ତାବ ପଠାଇଛନ୍ତି।
ଏହି ୩୮ଟି ଯାକ ଗାଁର ବିଭିନ୍ନ କିସମର ଜମି ଓ ପରିଧି, ଗାଁରେ କ’ଣକ’ଣ ରହିଛି ସବୁର ମ୍ୟାପ ଓ କାଗଜପତ୍ର ପ୍ରସ୍ତୁତ କରି ରଖିବାକୁ ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି। ସରକାର ଘୋଷଣା କରିବା ମାତ୍ରକେ ତୁରନ୍ତ ଏହାକୁ କାର୍ଯ୍ୟକାରୀ କରିବାକୁ ପଡ଼ିବ ବୋଲି ଜିଲ୍ଲାପାଳ ଓ ନବରଙ୍ଗପୁର ଗସ୍ତରେ ଆସିଥିବା ରେଭିନ୍ୟୁ ବୋର୍ଡର ଯୁଗ୍ମ ସଚିବ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି।
Nabarangpur