ବୈପାରିଗୁଡ଼ା: ଶ୍ମଶାନରେ ଦାହ ପାଇଁ ଶବ ନେଉଥିବା ବେଳେ ଅଭାବନୀୟ ଘଟଣା ଘଟିଛି। ମହୁମାଛି ଆକ୍ରମଣରେ ୪୦ ଜଣ ଲୋକ ଆହତ ହୋଇଛନ୍ତି। ସମସ୍ତ ୪୦ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଥିରୁ ୩ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି। କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଅଞ୍ଚଳରେ ଆଜି ଏହି ଘଟଣା ଘଟିଛି।  

Advertisment

ସୂଚନା ଅନୁସାରେ ବୈପାରିଗୁଡ଼ାର ୨ ନମ୍ବର ଓ୍ବାର୍ଡ ସଭ୍ୟଙ୍କ ପିତାଙ୍କ ଦେହାନ୍ତ ହେଇଯାଇଥିଲା। ଶବ ଦାହ କରିବା ପାଇଁ ୨ ଶହରୁ ଊର୍ଦ୍ଧ୍ବ ସଂପର୍କୀୟ ଏବଂ ଗ୍ରାମବାସୀ ଶ୍ମଶାନକୁ ଯାଇଥିଲେ। ଶ୍ମଶାନ ନିକଟରେ ପହଞ୍ଚି ଶବ ରଖିବା ପୂର୍ବରୁ କିଛି ସଂପର୍କୀୟ ଶ୍ମଶାନ ନିକଟର କାଠ ଯୋଗାଡ଼ କରି ନିଆଁ ଲଗାଉଥିଲେ। ଏହି ସମୟରେ ଧୂଆଁର ଧାସରେ ଗଛରେ ଥିବା ମହୁମାଛି ଉଡ଼ିଥିଲେ ଏବଂ ଶ୍ମଶାନରେ ଥିବା ଲୋକମାନଙ୍କୁ ଆକ୍ରମଣ କରିଥିଲେ। 

publive-image

ମହୁମାଛିର ଆକ୍ରମଣରୁ ବର୍ତ୍ତିବା ପାଇଁ ଲୋକେ ପ୍ରାଣ ବିକଳରେ ସମସ୍ତେ ଏପଟସେପଟ ଦୌଡ଼ି ସେଠାରୁ ପଳାୟନ କରିଥିଲେ। ମହୁମାଛିଙ୍କ ଆକ୍ରମଣରେ ୪୦ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି। ସମସ୍ତଙ୍କୁ ବୈପାରିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ୪୦ ଜଣଙ୍କ ମଧ୍ୟରୁ ୩ ଜଣଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ଡ଼ାକ୍ତର ପ୍ରକାଶ କରିଛନ୍ତି।

ଶ୍ମଶାସନରେ ଅଭାବନୀୟ ପରିସ୍ଥିତି ଦେଖାଯିବା ପରେ ସେଠାରୁ ଲୋକେ ଭୟଭୀତ ହୋଇ ଏଣେତେଣେ ପଳାୟନ କରିଥିଲେ। ଫଳରେ ଶ୍ମଶାନରେ ଏକ ଉଦ୍‌ବେଗଜନକ ପରିସ୍ଥିତି ଦେଖାଯାଇଥିଲା। ଏହି ଅଘଟଣର ଏକ ଘଣ୍ଟା ପରେ ପୁଣିଥରେ କିଛି ସଂପର୍କୀୟ ଶ୍ମଶାନକୁ ଯାଇ ଶବ ଦାହ କରିଥିଲେ।