ନବରଙ୍ଗପୁର:  ବର୍ଷକ ତଳେ ଏମଜିନରେଗା ଯୋଜନାରେ ୧୦ବ୍ଲକର ୧୬୯ ପଂଚାୟତରେ ଖାଲି ପଡିଥିବା ୧୫୬ଟି ଜିଆରଏସ୍ ପଦବି ପୂରଣ ପାଇଁ ଜିଲ୍ଲାପରିଷଦ କାର୍ଯ୍ୟାଳୟ ପକ୍ଷରୁ ଆବେଦନପତ୍ର ଆହ୍ବାନ କରାଯାଇଥିଲା। ଏହି ପଦବି ପାଇଁ ନବରଙ୍ଗପୁର ଜିଲ୍ଲାରେ ୪୪୮୨ଜଣ ଆଶାୟୀ ଆବେଦନ କରିଥିଲେ।  କିନ୍ତୁ ବିଡମ୍ବନାର ବିଷୟ ଏହା କି ଯେ, ପ୍ରାୟ ଏକ ବର୍ଷ ବିତିଗଲାଣି ନିଯୁକ୍ତି ପ୍ରକ୍ରିୟା ଜିଲ୍ଲା ପ୍ରଶାସନ ଅଟକାଇ ରଖିଛି। ଅପରପକ୍ଷରେ ଏହି ୪୪୮୨ଜଣ ବେକାର ଶିକ୍ଷିତ ଯୁବକ ଓ ଯୁବତୀ ତ୍ରିଶଙ୍କୁ ଅବସ୍ଥାରେ ଲଟକି ରହିଛନ୍ତି।

Advertisment

ଜିଲ୍ଲା ପରିଷଦ ପକ୍ଷରୁ ୮୭ଟି ସାଧାରଣବର୍ଗ, ୨୦ଟି ପଛୁଆ, ୨୩ଟି ଅନୁସୂଚିତ ଜାତି, ୨୬ଟି ଅନୁସୂଚିତ ଜନଜାତି ବର୍ଗ (ଏଥିରେ ବିଭିନ୍ନ ବର୍ଗରେ ୪୬ଟି ମହିଳା, ୨ଟି କ୍ରୀଡାବିତ, ୪ଜଣ ଏକ୍ସ ସର୍ଭିସମ୍ୟାନ୍, ୬ଜଣ ଦିବ୍ୟାଙ୍ଗ) ସାମିଲ ରହିଛନ୍ତି। ଏସବୁ ବର୍ଗର ଆବେଦନକାରୀ ମାନେ ଆବେଦନକରି ଏଯାଏଁ ନିଯୁକ୍ତି କାହିଁକି କରାଯାଉନି ତାହାକୁ ନେଇ ସଂଦେହରେ। ତେବେ ୪୪୮୨ଜଣ ଆବେଦନକାରୀଙ୍କ ଆବେଦନପତ୍ରର ଯାଂଚ ପ୍ରକ୍ରିୟା ସରିଥିବା ଏବଂ ଅତିଶୀଘ୍ର ନିଯୁକ୍ତି ଦିଆଯିବ ବୋଲି ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ବିରଚିଂ ନାରାୟଣ ଦରୱାନ କହୁଛନ୍ତି।

ବର୍ଷକ ହେବ ନିଯୁକ୍ତି ନ ହେବ ଫଳରେ ଏହାର  ପ୍ରଭାବ ନିଶ୍ଚିତ ରୁପେ ଗ୍ରାମ ପଞ୍ଚାୟତ ଗୁଡ଼ିକରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଠାରୁ ଆରମ୍ଭ କରି ତୃଣମୂଳ ସ୍ତରରେ ଅନେକ ବିକାଶମୂଳକ କାର୍ଯ୍ୟରେ ଅବହେଳା ତଥା ବାଧାପ୍ରାପ୍ତ ହୋଇଛି। ଜନ ସାଧାରଣଙ୍କୁ ଠିକ୍ ସମୟରେ ସରକାରଙ୍କ ଅନେକ ଯୋଜନାର ଲାଭ ମିଳି ପାରୁନଥିବା ଅଭିଯୋଗ ହୋଇଛି। ଏ ବିଷୟରେ ଜିଲ୍ଲା ପ୍ରଶାସନଙ୍କୁ ମଧ୍ୟ ଅଭିଯୋଗ କରି ନିରାଶ ହେବାକୁ ପଡ଼ିଛି ବୋଲି କହିଛନ୍ତି ପ୍ରଫୁଲ୍ଲ କୁମାର ଛତ୍ରିଆ, ଭାଗ୍ୟବନ୍ତ ଖର୍ସେଲ, ରାଜା ନାଗ, ସଞ୍ଜିତା ହଳଧର, ରଶ୍ମିତା ଜାଲ,  ପବିତ୍ର ଖର୍ସେଲ, ଉମେଶ ଗୌଡ, ରାଜେନ୍ଦ୍ର ନାୟକ ଓ ନବ ହରିଜନ ଆଦି ଆବେଦନକାରୀ। ଜିଲ୍ଲାଭିତ୍ତିକ କୌଣସି ନିଯୁକ୍ତି ନଥିବା ବେଳେ ନିଜ ଗାଁ ଓ ନିଜ ପଂଚାୟତରେ କାମ କରିବାକୁ ଯେଉଁ ସୁଯୋଗ ଟିକକ୍ ମିଳିଥାନ୍ତା ତାହା କାହିଁକି ଜିଲ୍ଲା ପ୍ରଶାସନ କାର୍ଯ୍ୟକାରୀ ନ କରି ଏମାନଙ୍କ ମାନବିକ ଓ ମୌଳିକ ସାମ୍ବିଧାନିକ ଅଧିକାରରୁ ବଂଚିତ କରୁଛନ୍ତି ବୋଲି ଆଇନଜୀବୀ ତଥା ମାନବାଧିକାର କର୍ମୀ ସନ୍ତୋଷ ମିଶ୍ର ଅଭିଯୋଗ କରିଛନ୍ତି।

Nabarangpur