ରାଉରକେଲା: ସୁନ୍ଦରଗଡ଼ରେ ମାଳମାଳ ଶିଳ୍ପକାରଖାନା, ଖଣିଖାଦାନ ଓ ଅନ୍ୟାନ୍ୟ ବ୍ୟବସାୟିକ ସଂସ୍ଥା ରହିଛି। ଏସବୁ କାରଖାନାରେ ୭୦% ସ୍ଥାନୀୟ ଯୁବକଯୁବତୀଙ୍କୁ ନିଯୁକ୍ତି ଦେବାକୁ ସରକାରଙ୍କ ସ୍ପଷ୍ଟ ନିର୍ଦ୍ଦେଶନାମା ରହିଛି। ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ସମସ୍ତ କଳକାରଖାନା ଓ କମ୍ପାନି ମାଲିକମାନେ ସରକାରଙ୍କ ମାର୍ଗଦର୍ଶିକାକୁ ଫୁଃ କରିଦେଉଥିଲେ ହେଁ କାର୍ଯ୍ୟାନୁଷ୍ଠାନ ଶୂନ। ଜିଲ୍ଲା ନିୟୋଜନ କାର୍ଯ୍ୟାଳୟରେ ବର୍ଷକୁ ବର୍ଷ ବେରୋଜଗାର ଆଶାୟୀଙ୍କ ତାଲିକା ଲମ୍ବିଲମ୍ବି ଚାଲିଛି। ନିଯୁକ୍ତି ସଂଖ୍ୟା କିନ୍ତୁ ବଢ଼ୁନି। କାଁ ଭାଁ ହାତଗଣତି କେଇଜଣ ନିଯୁକ୍ତି ପାଉଛନ୍ତି। ଜିଲ୍ଲା ନିୟୋଜନ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟରୁ ଏହା ସ୍ପଷ୍ଟ ହୋଇଛି।
ଆଜି ପର୍ଯ୍ୟନ୍ତ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟରେ ମୋଟ ୫୨ ହଜାର ୧୭୭ ଜଣ ନାମ ପଞ୍ଜୀକରଣ କରିଛନ୍ତି। ଏମାନଙ୍କ ମଧ୍ୟରେ ୩୦ ହଜାର ୯୯୦ ହେଉଛନ୍ତି ପୁଅ। ୨୧ ହଜାର ୧୮୭ ଜଣ ହେଉଛନ୍ତି ଝିଅ। ଆଶ୍ଚର୍ଯ୍ୟର କଥା, ଗତ ପ୍ରାୟ ବର୍ଷକରେ ନିଯୁକ୍ତି ପାଇଛନ୍ତି ମାତ୍ର ୪୫ ଜଣ। ଏମାନଙ୍କ ମଧ୍ୟରେ ଅଛନ୍ତି ୩୯ ପୁଅ, ମାତ୍ର ୬ ଜଣ ଝିଅ। ନିଯୁକ୍ତି ପାଇଥିବା ୩୯ ଜଣଙ୍କ ମଧ୍ୟରୁ ୬ ଡିପ୍ଲୋମା ଓ ୧୧ ଆଇଟିର ବିଦ୍ୟାର୍ଥୀ। ଅନ୍ୟମାନେ ମେଟ୍ରିକ, ଅଣ୍ଡର ମେଟ୍ରିକ୍, କଳା, ବାଣିଜ୍ୟ ଓ ବିଜ୍ଞାନ ଛାତ୍ର। ବର୍ଷକ ମଧ୍ୟରେ ଜିଲ୍ଲା କର୍ମ ନିୟୋଜନ କାର୍ଯ୍ୟାଳୟ ଜରିଆରେ ମେଡ଼ିକାଲ, ଇଞ୍ଜିନିୟରିଂ କ୍ଷେତ୍ରରେ ଜଣେ ହେଲେ ନିଯୁକ୍ତି ପାଇନାହାନ୍ତି। କେବଳ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ନୁହେଁ, ଜିଲ୍ଲା ବିଭିନ୍ନ ସ୍ଥାନରେ ଖୋଲାଯାଇଥିବା ୭ରୁ ଅଧିକ ଦକ୍ଷତା ବିକାଶ କେନ୍ଦ୍ରରେ ମଧ୍ୟ ସମାନ ସ୍ଥିତି ଉପୁଜିଛି। ଦକ୍ଷତା ବିକାଶ କେନ୍ଦ୍ରଗୁଡ଼ିକ ବାବଦରେ ସରକାର ମାସକୁ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ଏହି କେନ୍ଦ୍ର ଜରିଆରେ ରାଜ୍ୟ ଓ ରାଜ୍ୟ ବାହାରେ ନିଯୁକ୍ତି ପାଉଥିବା ଯୁବକଯୁବତୀମାନେ ମାସେ, ଦୁଇମାସ ଚାକିରି କଲାପରେ ଫେରି ଆସୁଛନ୍ତି। ଠିକ୍ କାମ ମିଳୁ ନଥିବାରୁ ଏଭଳି ସମସ୍ୟା ଉପୁଜୁଥିବା ଚାକିରି ଛାଡ଼ି ଫେରି ଆସୁଥିବା ପ୍ରାର୍ଥୀମାନେ ଅଭିଯୋଗ କରିଛନ୍ତି। ସେହିପରି ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ପକ୍ଷରୁ ପ୍ରତିବର୍ଷ ନିଯୁକ୍ତି ମେଳା ଆୟୋଜନ ହେଉଛି। ପଞ୍ଜିକୃତ ହଜାରହଜାର ବେରୋଜଗାର ନିଯୁକ୍ତି ମେଳାରେ ସାମିଲ ହେଉଛନ୍ତି। ମେଳାରେ ନିଯୁକ୍ତିଦାତା କମ୍ପାନିଗୁଡ଼ିକ ଠିକ୍ ନଥିବାରୁ ସେମାନଙ୍କ ଚାକିରି ପ୍ରତି ପ୍ରାର୍ଥୀମାନେ ଆଗ୍ରହ ଦେଖାଉ ନାହାନ୍ତି। ଉଭୟ ଶ୍ରମ ଓ ଜିଲ୍ଲା ନିୟୋଜନ ବିଭାଗର ଅବହେଳାରୁ ଜିଲ୍ଲାରେ ବେରୋଜଗାର ଯୁବକଯୁମତୀମାନେ ସ୍ଥାନୀୟ କଳକାରଖାନା ଓ କମ୍ପାନିରେ ନିଯୁକ୍ତି ପାଇପାରୁନାହାନ୍ତି। ଯାହାର ଫାଇଦା ଉଠାଉଛନ୍ତି ରାଜ୍ୟ ବାହାରର ପ୍ରାର୍ଥୀ।
ଚାକିରି ଆଶାରେ ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ୧୦, ୭୮୨ ଗ୍ରାଜୁଏଟ୍ ଆଶାୟୀ ସେମାନଙ୍କ ନାମ ପଞ୍ଜୀକରଣ କରିଛନ୍ତି। ଚାକିରି ମିଳୁ ନଥିବାରୁ ଜଣେହେଲେ ଏମ୍ବିଏ, ଏମ୍ସିଏ, ମେଡିକାଲ, ଇଞ୍ଜିନିୟରିଂ ପାଠ ପଢ଼ିଥିବା ଛାତ୍ରଛାତ୍ରୀ ସେମାନଙ୍କ ନାମ ପଞ୍ଜୀକରଣ କରୁନାହାନ୍ତି। ୩ ହଜାର ୮୨ ଡିପ୍ଲୋମା, ୩,୧୧୧ ଆଇଟିଆଇ, ୧୩୬୦ ସିଟି ଛାତ୍ରଛାତ୍ରୀ ସେମାନଙ୍କ ନାମ ପଞ୍ଜୀକରଣ କରାଇଛନ୍ତି।